ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାୱାରତଳେ ଛିଡ଼ା ହୋଇପଡ଼ିଲି ଦଶମିନିଟ୍ । ମୁଣ୍ଡକୁ ସାମ୍ପୁ କଲି । ଆହୁରି ଦଶମିନିଟ୍ ଗାଧୋଇଲି । ବାହାରକୁ ଆସି କେଉଁ ପେଣ୍ଟ ସାର୍ଟ ଲଗାଇବି ଭାବିଲି । ଲାରାକୁ ଦେଖିଲି, ସେ ଶୂନ୍ୟକୁ ଦେଖୁଥିଲେ । ମୋ ବ୍ରିଫ୍କେଶ୍ ଭିତରୁ ଏକ କଡ୍ରୟ ପେଣ୍ଟ ଓ ଗଲ୍ଫ ଟି- ସାର୍ଟ କାଢ଼ି ପିନ୍ଧିଲି । ତା’ପରେ କଫି କପେ ପାଇଁ ଅର୍ଡର ଦେଇ ଆର୍ମଚେୟାରରେ ଗଡ଼ିପଡ଼ିଲି । କଫି ପିଇଲା ବେଳକୁ ଲାରାର ମା’ ବାପା ଆସିଲେ । ରାତିସାରା ସେମାନେ ଶୋଇପାରି ନଥିବାର ଚିହ୍ନ ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଥିଲା । କାନ୍ଦି କାନ୍ଦି ଆଖି ସବୁ ଲାଲହୋଇ ଫୁଲିଯାଇଥିଲା । ସେମାନେ ମୋତେ କଫି ପିଉଥିବାର ଦେଖି ମୁହଁରେ ଘୃଣା ଭାବଟିଏ ଫୁଟାଇଲେ । ମୁଁ ଉଠି ପଡ଼ିଲି ଚୌକିରୁ । ତାଙ୍କୁ ବସିବାକୁ କହିଲି ଏବଂ ଟିକେ ବାହାରୁ ଆସୁଛି କହି ବାରଣ୍ଡାକୁ ଆସିବା କ୍ଷଣି ଦେଖିଲି ଆମ ସମ୍ପର୍କୀୟ ପ୍ରାୟ କୋଡ଼ିଏ ଜଣ ପାଖାପାଖି ଆସି ଯାଇଥିଲେ । ମୁଁ ପ୍ରଥମେ ଭାବିଲି କାହାର କ’ଣ ଦୁର୍ଘଟନା ହୋଇଥିବ । "କଣ ହେଲା'? ପ୍ରଶ୍ନର ଉତ୍ତରରେ ସେମାନେ ଏକ ଘୃଣ୍ୟ ଓ ସନ୍ଦେହୀ ଦୃଷ୍ଟି କେବଳ ଫେରାଇଥିଲେ ମୋ ଆଡ଼କୁ । ମାଜିଷ୍ଟ୍ରେଟ ଓ ଡାକ୍ତରଙ୍କ ଆସିବା ଆହୁରି ଘଣ୍ଟାଏ ବାକିଥାଏ । ମୁଁ ଫେରି ଆସିଲି ଭିତରକୁ । ମୋର ଜଣେ ବନ୍ଧୁ ଓ ତାଙ୍କ ସ୍ତ୍ରୀ ଆସିଲେ । ମୋ କାନ୍ଧ ଉପରେ ହାତଟିଏ ଆସି ପଡ଼ିଲା । ମୁଁ ଛିଡ଼ା ହୋଇପଡ଼ିଲି । ହାତକୁ ଟାଣିଆଣି ହସି ହସି ହାତ ମିଳାଇଲି । ଦେଖିଲି ସେମାନେ ଦୁହେଁ ମୁହଁକୁ ଶୁଖାଇ ଛିଡ଼ା ହୋଇଛନ୍ତି । ତାଙ୍କ ପଛରେ ଆହୁରି କିଛି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସମସ୍ତେ ମୁହଁ ଶୁଖାଇ ଆଖିରେ ବିଷାଦଭାବ ପୁରାଇ ଭିଡ଼ଟିଏ କରିଛନ୍ତି । ମୁଁ ଭାବିଲି ମୋର ବି ମୁହଁକୁ ଶୁଖାଇ ଅନ୍ୟମାନଙ୍କ ସହ କଥାବାର୍ତା କରିବା ଦରକାର । ପାଖରେ ଜଣେ ନର୍ସ ଛିଡ଼ା ହୋଇଥିଲା । ତାକୁ ପଚାରିଲି, "ଟ୍ୟୁବ ଖୋଲିବାର କେତେ ସମୟ ଭିତରେ ଲାରାର ମୃତ୍ୟୁ ହେବ?’ ସେ କହିଲା, "ମୁଁ କହିପାରିବି ନାହିଁ । ବୋଧହୁଏ ଏକ ମିନିଟ୍ ଭିତରେ ହୋଇପାରେ ।’ ଅନ୍ୟମାନେ ମୋ ମୁହଁକୁ ଚାହିଁଲେ । ମୋତେ କେମିତି ଗୋଟେ ଦୟା କଲାପରି ଚାହୁଁଥାଆନ୍ତି । ମୁଁ ଦୟନୀୟ ଦେଖାଯାଉଛି କି କ’ଣ ଭାବି ପାରିଲିନାହିଁ । ଲାରାର ମା'ଙ୍କ ପାଖରେ କିଛି ସମ୍ପର୍କୀୟ ନାରୀ ଛିଡ଼ାହୋଇ ତାଙ୍କୁ ଫିସ୍ ଫିସ୍ କରି କଣ କଣ କହୁଥାଆନ୍ତି । ମୁଁ କିଛି ବୁଝିପାରୁ ନ ଥାଏଁ । ସେମାନେ ସବୁ ମୁହଁରେ ଶାଢ଼ି କାନିକୁ ଚାପିଧରି ସୁଁ ସୁଁ କରି କାନ୍ଦୁ ଥାଆନ୍ତି ବୋଧହୁଏ । ମୋର ଜଣେ ବଡ଼ଭାଇ ଆସିଲେ ଏବଂ କହିଲେ ମୋର କିଛି ଚିନ୍ତା କରିବା ଦରକାର ନାହିଁ । ଶ୍ମଶାନକୁ ନେବାପାଇଁ ଗାଡ଼ି ଓ ଅନ୍ୟାନ୍ୟ ସବୁବ୍ୟବସ୍ଥା ସେ କରିସାରିଛି । ମୋର ପ୍ରକୃତରେ ସେ ଦିଗପ୍ରତି ଧ୍ୟାନ ନଥିଲା । ମୋର ବଡ଼ଭାଇ ମୋ ସାଙ୍ଗରେ ଗତ ଚାରିବର୍ଷ ହେଲା କଥା ହେଉ ନଥିଲା । ଗତ ହଜାରେ ଦିନରେ ସେ କିମ୍ବା ତା’ ସ୍ତ୍ରୀ ନର୍ସିଂ ହୋମ୍କୁ କ୍ୱଚିତ ଆସିଛନ୍ତି । ଅଥଚ ହଠାତ୍ ଏଠି ଆଜି ତାର ଆବିର୍ଭାବ ମୋତେ ଆଚମ୍ବିତ କଲା । ତଥାପି ମୁଁ କିଛି କହିଲିନାହିଁ । କେବଳ କହିଲି, "ଶ୍ମଶାନକୁ ନେବା ନାଇଁ, ଇଲେକଟ୍ରିକ୍ ଚୁଲାରେ ଦାହ କରିବା । ଶୀଘ୍ର କାମ ସରିଯିବ ।’ ବଡ଼ଭାଇ ସମେତ ସଭିଏଁ ଚମକିପଡ଼ିବା ପରି ଦେଖାଗଲେ । ମୁଁ କ’ଣ ଭୁଲ କହିଲି କି ବୋଲି ଭାବିଲି । ଦେଖିଲି ଧୋତି ପିନ୍ଧା ଓ ପଇତା ପିନ୍ଧା ଲୋକଟିଏ ଆସି ତଳେ ଚକାପାରି ବସିଗଲା । କାହାକୁ କିଛି ନ ପଚାରି ଗୁଣୁଗୁଣୁ ହୋଇ ସାମାନ୍ୟ ଉଚ୍ଚ ସ୍ୱରରେ ସଂସ୍କୃତ ଶ୍ଳୋକ ସବୁ ଉଚ୍ଚାରଣ କରିବାକୁ ଲାଗିଲା । ମୁଁ ଅନ୍ୟମାନଙ୍କୁ ଦେଖିଲି ସଙ୍ଗେ ସଙ୍ଗେ ବଡ଼ଭାଇ କହିଲା ସେ ଏଇ ପୁରୋହିତକୁ ଡାକିଆଣିଛି । ବେଦମନ୍ତ୍ର ଉଚ୍ଚାରଣ କରି ଲାରାକୁ ଶୁଣାଇବ । ମୁଁ କହିଲି, "ନୋ ପ୍ଲିଜ, ଏଇ ଶେଷ ଅଧଘଣ୍ଟା ସମୟକୁ ଏପରି ବିରକ୍ତିକର ଉଚ୍ଚାରଣରେ ନଷ୍ଟ ହେବାକୁ ଦେବିନାହିଁ ।’ ଏବଂ ସେ ପୁରୋହିତକୁ ଦେଖି କହିଲି, "ୟୁ ପ୍ଲିଜ ଗୋ, ପ୍ଲିଜ ।’ ସେ ସଙ୍ଗେ ସଙ୍ଗେ ଉଠି ଚାଲିଗଲା । ଗଲାବେଳକୁ ବଡ଼ ବଡ଼ ଆଖିରେ ମୋତେ ଦେଖି ରାଗିଗଲା ବୋଧହୁଏ । ଜିଲ୍ଲାପାଳ ଓ ଏସ୍.ପି. ଆସିଲେ । ମୁଁ ଆଶ୍ଚର୍ଯ୍ୟ ହେଲି । ଏମାନଙ୍କୁ କିଏ କାହିଁକି ବା ଏଠାକୁ ଡାକିଲା ମୁଁ ଭାବି ପାରିଲିନାହିଁ । ଜିଲ୍ଲାପାଳ ମୋ ମୁହଁକୁ ଦେଖି କହିଲେ, "ୱି ଆର୍ ଡିପ୍ଲି ସରି, ମି. ଦାସ । ଟେକ୍ କେଆର୍ ।’ ମୁଁ କହିଲି, "ଇଟ୍ସ୍ ଅଲ୍ ରାଇଟ୍ ।’ ଜଣେ ୱାଡର୍କୁ ଡାକି କଫି ପାଞ୍ଚ ସାତଟି ଆଣିବାପାଇଁ କହିଲି । କେହିଜଣେ ଧନ୍ୟବାଦଜଣାଇ ମନାକଲେ କଫି ଆଣିବାପାଇଁ । ଲାରାର ମା’ ସାମାନ୍ୟ ଜୋର୍ରେ କାନ୍ଦିବାରୁ ତାଙ୍କପଟକୁ ସମସ୍ତଙ୍କ ମୁହଁ ବୁଲିଗଲା । ତାଙ୍କୁ ବାହାରକୁ ନିଆଗଲା । ନ’ଟା ହେବାକୁ ଆଉ ପନ୍ଦରମିନିଟ୍ ବାକି । ମାଜିଷ୍ଟ୍ରେଟ ଆସିଲେ । ତାଙ୍କ ସାଥୀରେ ସି.ଡି.ଏମ୍.ଓ., ଏ.ଡି.ଏମ୍.ଓ., ଅନ୍ୟ ଚାରିଜଣ ଡାକ୍ତର, ସରକାରୀ ଓକିଲ, ଦି’ଜଣ କିରାଣି ଏବଂ ଆହୁରି କିଏ କିଏ । ଜଣେ ଡାକ୍ତର କମ୍ପ୍ୟୁଟରରୁ ସମସ୍ତ ପ୍ରକାରର