ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାପା ବଞ୍ଚିଥିବାର ଖବର ଧୀରେ ଧୀରେ ବ୍ରହ୍ମପୁରା, ଖପ୍ରାଖୋଲ, ମଣ୍ଡଳ, ଦେଓଗାଁ, ସାଗରପାଲି, ସଙ୍କିର୍ଡା, ବଲାଙ୍ଗିର, ପାଟଣାଗଡ଼, ନାଂଦୁପଲ୍ଳୀ, ପିପିର୍ଡା ଏପରି ଦଶଖଣ୍ଡ ଗାଁରେ ରହୁଥିବା କାକା କାକୀ, ମଉସା ମାଉସୀ, ମାମୁଁ ମାଇଁ, ଶ୍ୱଶୂର ଦେଢ଼ଶୂର, ଶଳାଶାଳୀମାନଙ୍କ ଘରକୁ ବ୍ୟାପୀଗଲା । ସମସ୍ତେ ଭାବୁଥିଲେ ବାପା ମୃତ ଓ ମା କାହିଁକି ବିଧବା ହେଉ ନାହାନ୍ତି କହି ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ । ମା’ ଆମିଷ ଖାଇବା ଛାଡ଼ିଥିଲେ ସିନା, ମାତ୍ର ଚୁଡ଼ି ସିନ୍ଦୂର ସବୁବେଳେ ପିନ୍ଧୁଥିଲେ । ବାପା ଆତ୍ମହତ୍ୟା କରିଥିବାର ଖବର ମଝିରେ ଏକ ବର୍ଷ ପାଖାପାଖି ଏ ଖଣ୍ଡମଣ୍ଡଳରେ ବିଶ୍ୱାସର ସହିତ ବ୍ୟାପୀଲା । ମାତ୍ର ମା’ ଥିଲେ ନିର୍ବିକାର । କାହାକୁ କିଛି କହୁ ନ ଥିଲେ । କାହାରି କଥା ବି ମାନୁ ନ ଥିଲେ । କାହାରି ପ୍ରସ୍ତାବ ବା ମତାମତକୁ ସ୍ୱୀକାର କରୁ ନ ଥିଲେ । ସେଥିପାଇଁ ତାଙ୍କୁ ବର୍ଷାଧିକକାଳ ଗୁଡ଼ାଏ ଅସଭ୍ୟ ବିଶେଷଣର ବୋଝ ବୋହିବାକୁ ପଡ଼ିଥିଲା । କେହି କହୁଥିଲେ ‘ଦାରୀ’, କେହି କହିଲେ ‘ବିଟାଂଗୀ’, କେହି କହିଲେ ବଡ଼ବାପାଙ୍କ ‘ରକ୍ଷିତା’ । ମା’ କିନ୍ତୁ ତାଙ୍କ ଲୁହ ଓ କୋହ ମଧ୍ୟରେ ସବୁ ବିଶେଷଣକୁ ଗରଳ ପରି ପିଉଥିଲେ ଓ ଚୁଡ଼ି ସିନ୍ଦୂର ପିନ୍ଧି ନିରବରେ ରହୁଥିଲେ । ବାପା ପିଲାଦିନରୁ ମା'ଙ୍କୁ ବିବାହ କରିଥିଲେ । ବାହା ହେବାର ସାତ ବର୍ଷ ପରେ ମା'ଙ୍କୁ ପନ୍ଦର ପୁରିଲା ବେଳକୁ ବ୍ରହ୍ମପୁରାରେ ବନ୍ଦାପନା କରି ସାଗରପାଲି ଗ୍ରାମକୁ ଆଣିଲେ । ବିରାଟ ବପୁ, ଅସୀମ ସାହସ ଓ ବଳିଆର ଭୁଜର ଅଧିକାରୀ ଥିଲେ ବାପା । ତାଙ୍କୁ ଚିଠିପତ୍ର ନିଆଅଣା କରିବା ପାଇଁ ସରକାରଙ୍କ ତରଫରୁ ଘୋଡ଼ାଟିଏ ମିଳିଥିଲା । ନିଜ ପାଇଁ ଦରମାଥିଲା ଦୁଇ ଟଙ୍କା ଓ ଘୋଡ଼ା ପାଇଁ ଦରମା ଥିଲା ଏକ ଟଙ୍କା । ସମୁଦାୟ ସେ ତିନି ଟଙ୍କା ପାଉଥିଲେ ମାସକୁ । ସ୍ଥାନୀୟ ପୁଲିସ ଲାଇନରେ ଏକ ବଖରିଆ କ୍ୱାର୍ଟରଟିଏ ମଧ୍ୟ ପାଇଥିଲେ । ଥରେ ଥରେ ବଲାଙ୍ଗିରରୁ ପାଟଣାଗଡ଼ ବା ଟିଟିଲାଗଡ଼କୁ ଚିଠିପତ୍ର ନେବା ଆଣିବା ବେଳକୁ ମା'ଙ୍କୁ ବି ସାଙ୍ଗରେ ନେଉଥିଲେ ଘୋଡ଼ା ପିଠିରେ । ମା'ଙ୍କ କୁଆଡ଼େ ନ ଯିବାର ପ୍ରତିବାଦ ତାଙ୍କ ଆଗରେ କାମ କରୁ ନ ଥିଲା । ମା'ଙ୍କୁ ଟେକି ନେଇ ଘୋଡ଼ା ପିଠିରେ ବସାଇ ଝପଟାଇ ଦେଉଥିଲେ । ତାଙ୍କର ଉଁ କି ଚୁଁ କରିବାର ଚାରା ନ ଥିଲା । ସହରରେ, ଗାଁ ଓ ଜଙ୍ଗଲରେ ନାରୀ ପୁରୁଷ, ଗାଈ ବଳଦ, ବାଘ ଭାଲୁ ସମସ୍ତେ ରାସ୍ତା ଛାଡ଼ି ଦେଉଥିଲେ । ସହରରେ ନାରୀମାନେ କବାଟ ଫାଙ୍କରୁ ଓ ପୁରୁଷମାନେ ରାସ୍ତା କଡ଼ରୁ ଡିମା ଡିମା ଆଖି କରି ଦେଖୁଥିଲେ । ‘ରାଜାରାଣୀ ବାହାରିଲେ’ ବୋଲି କଥା ହେଉଥିଲେ । ତିନି ଚାରି ଦିନ ପରେ ଘରକୁ ଫେରିଲା ବେଳକୁ ଲୋକେ ଦେଖୁଥିଲେ ଘୋଡ଼ାର ପିଠି ଭର୍ତି ଫଳ ଓ ପରିବା ଏବଂ ମା'ଙ୍କ ଦେହ ଭର୍ତି ମଖମଲି ଫୁଲ । ଲୋକେ ବି କହିଲେ ‘ଫୁଲବାଲୀ’ । ମା’ କିନ୍ତୁ ଅନ୍ୟମାନଙ୍କ ସାମ୍ନାରେ ହସୁ ନ ଥିଲେ । ଅଥଚ ବାପାଙ୍କ ସବୁବେଳର ହସ ଥିଲା ବଦମାସୀର ଓ ଅନ୍ୟମାନଙ୍କ ଉପରେ ଝାମ୍ପି ପଡ଼ିବା ପରି ଉଗ୍ର ହସ । ଥରେ ଟିଟିଲାଗଡ଼ରୁ ଚିଠି ନେଇ ମା'ଙ୍କ ସାଥୀରେ ଫୁଲ ଓ ଫଳ ଭର୍ତି ଘୋଡ଼ାରେ ଫେରିବା ବେଳକୁ ଲୋକେ ଦେଖିଲେ ମଲା ହରିଣଟିଏ ବି ଘୋଡ଼ା ପିଠିରେ ଅଛି । ଲୋକେ ଆଶ୍ଚର୍ଯ୍ୟ ହେଲେ । କିନ୍ତୁ କେହି ସାହସକରି ତାଙ୍କୁ କିଛି ପଚାରି ପାରିଲେ ନାହିଁ । ସେ ଦିନ ପୁଲିସ ଲାଇନର ସମସ୍ତଙ୍କ ଘରେ ହରିଣ ମାଂସ ରନ୍ଧାହେଲା । ଦି’ଦିନ ପରେ ଧୀରେ ଧୀରେ ଲୋକେ ଜାଣିଲେ ଯେ ବାପା ଘୋଡ଼ାଉପରୁ ଲମ୍ଫ ଦେଇ ହରିଣ ପିଠିକୁ ବିଜୁଳି ବେଗରେ ଝାମ୍ପି ପଡ଼ିଥିଲେ । ବାପାଙ୍କ ହାତପାପୁଲି ଭିତରେ ହରିଣ ବେକ ବା କି ଛାର । ମା’ ବି ଡରରେ ଛାନିଆ ହୋଇ ନିଜକୁ ଘୋଡ଼ା ପିଠିରେ ସମ୍ଭାଳି ନ ପାରି ତଳେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ । ସେ ଦିନ ପରେ ମା’ ଆଉ ବାପାଙ୍କ ସାଙ୍ଗରେ କେବେ କୁଆଡ଼େ ଯାଇ ନ ଥିଲେ । ତିନି ବର୍ଷ ଭିତରେ ମା'ଙ୍କୁ ନେଇ ଘୋଡ଼ା ପିଠିରେ ଯାଇଥିଲେ ମାତ୍ର ଛ’ଥର । ପ୍ରତିଥର ସରକାରୀ କାମରେ ସ୍ତ୍ରୀଙ୍କୁ ନେଇ ଯାଉଥିବାରୁ ତାଙ୍କ ଦରମାରୁ ଫାଇନ୍ ସଦୃଶ କଟୁଥିଲା ଚାରିଅଣା । ବାପା କିନ୍ତୁ ତାକୁ ଖାତିର କରୁ ନ ଥିଲେ । ଉପର ସାହେବଙ୍କ ଗାଳିକୁ ମଧ୍ୟ ଖାତିର କରୁ ନ ଥିଲେ । ପାଖ ପଡ଼ୋଶୀ ବନ୍ଧୁବାନ୍ଧବଙ୍କ ତାଗିଦ୍ ଓ ଉପଦେଶକୁ ବି ବେଖାତିର କରୁଥିଲେ । ଶୁଣାଯାଏ ବାପା ଏକାକୀ ଯିବା ବେଳେ ଜଙ୍ଗଲ ଭିତରେ କୌଣସି ଆଦିବାସୀ ରମଣୀକୁ ଦେଖିଲେ ବି ଝାମ୍ପି ପଡୁଥିଲେ ଓ ଉଗ୍ର ହସ ହସି ଫେରୁଥିଲେ । ଥରେ ପାଟଣାଗଡ଼ ରାସ୍ତାରେ ଯାଉଥିବା ବେଳେ କଏଦୀ ପୋଷାକରେ ଥିବା ଜଣେ ଲୋକକୁ ଦେଖିଲେ । ଲୋକଟି ତା ଗୋଡ଼ର ବଳାକୁ ଏକ ଗାମୁଛାରେ ବାନ୍ଧି ରଖିଥିଲା । ବାପା ତାକୁ ସନ୍ଦେହରେ ପାଖକୁ ଡାକିଲେ । ସେ ଆସିବାରୁ ଏ ପୋଷାକ କେଉଁଠୁ ପାଇଲୁ? ଜେଲରୁ ଚାଲି ଆସିଛୁ କି? ବୋଲି ପଚାରିଲେ । ଲୋକଟି କିଛି ନ କହି ଜଙ୍ଗଲ ଭିତରକୁ ଦୌଡି ପଳାଇବାପାଇଁ ଚେଷ୍ଟାକଲା, ଘୋଡ଼ା ପିଠିରୁ ସିଧା ତା’ଉପରକୁ ଲମ୍ଫ ଦେଇ କଚାଡ଼ି ହୋଇ ପଡ଼ିଲେ ଦୁହେଁ । ତା’ ମୁହଁରେ ଦି’ଚାରି ମୁଥ ମାରିଲେ । ରକ୍ତାକ୍ତ କଲେ । ତାକୁ ଘୋଡ଼ା ପିଠିରେ ଲଦି ସହରର ଥାନା ସାମ୍ନାକୁ ଆଣିଲା ବେଳକୁ ଶହେ ପାଖାପାଖି ଲୋକ ଜମା ହୋଇ ସାରିଥିଲେ । ସମସ୍ତେ ଜାଣିଲେ କଏଦୀଟି ଜେଲରୁ