ଏହି ପୃଷ୍ଠାଟି ବୈଧ ହୋଇସାରିଛି

କି ଇତିହାସ ବହିରେ ନାହିଁ ।’ ଏବଂ ସଙ୍ଗେ ସଙ୍ଗେ କଥା ବଦଳାଇ ସେ କେମିତି ଭୁଲ୍ ସାଇଜର ବ୍ଲାଉଜ ଚାରିଟି କିଣିଥିଲା ଓ ତାକୁ ପୁଣି କେମିତି ଫେରାଇ, ବଦଳାଇ, ଠିକ୍ ସାଇଜର ଆଣିବାରେ ତା’ର କେତେ ଝାଳ ବାହାରିଥିଲା ସେ କଥା ବଖାଣେ । ଆଉ ଦିନେ ପ୍ରେମାସ୍ପଦ କ୍ଳୀବପୁରୁଷକୁ ପଚାରିଲା, ସେ ସବ୍‌‌ଜେକ୍ଟ ପ୍ରେଡିକେଟ ଅବଜେକ୍ଟ କେମିତି ପଢ଼ାଇବ କ୍ଲାସରେ । କ୍ଳୀବ ପୁରୁଷ କହିଲା, ତମେ ଏକାକୀ ବ୍ରାସିୟର କିଣିବାକୁ ଯିବା ହେଉଛି ସବ୍‌‌ଜେକ୍ଟ, ତୁମ ସ୍ୱାମୀ ବା ଝିଅ ସାଙ୍ଗରେ କିଣିବାକୁ ଯିବା ହେଉଛି ପ୍ରେଡିକେଟ, ଏବଂ ଦଳେ ସାଙ୍ଗମାନଙ୍କ ସାଙ୍ଗରେ କିଣିବାକୁ ଯିବା ହେଉଛି ଅବ୍‌‌ଜେକ୍ଟ ।’ ଏ କଥାଟି ବି ତା’ ମୁଣ୍ଡ ଉପର ଦେଇ ଚାଲିଗଲା । କ୍ଳୀବ ପୁରୁଷ ତା’କୁ ସେଦିନ ପଚାରିଥିଲା, ମିସୋମ୍ୟୁସି ବୋଲି ଶବ୍ଦଟିଏ ଅଛି ତୁମେ ଜାଣ? ପ୍ରେମାସ୍ପଦ କହିଲା, "ମୁଁ ମଉସା, ମାଉସୀ ଶବ୍ଦ ଜାଣେ ଓ ମୂଷା ଶବ୍ଦ ଜାଣେ । ଏ ଦୁଇଟି ମିଶିଲେ ସେ ଶବ୍ଦ ହୁଏ କି?’ କ୍ଳୀବ ପୁରୁଷ କହିଲା, "ନା । ମୁଣ୍ଡକୁ ଭେଦି ପାରୁନଥିବା ସୌନ୍ଦର୍ଯ୍ୟର ଉପସ୍ଥିତିରେ ଅପମାନିତ ଦେବା ଅବସ୍ଥାକୁ "ମିସୋମ୍ୟୁସି' କୁହାଯାଏ । ଲିଭି ଯାଇଥିବା ମୁହଁର ହସକୁ ଅସ୍ୱୀକାର କରିବା, ନିଜର ସୀମାବଦ୍ଧ ସ୍ୱାଧୀନତା ଅଛି ବୋଲି ଅସ୍ୱୀକାର କରିବା, ଜ୍ଞାନ ଆହରଣ ଜନିତ ଆନନ୍ଦ ଥାଏ ବୋଲି ଅସ୍ୱୀକାର କରିବା ଅବସ୍ଥାକୁ "ମିସୋମ୍ୟୁସି' କୁହାଯାଏ । କଥା ହେଉଛି, କଳାପ୍ରତି ସମ୍ମାନ ନ ଥିବା ବିଶେଷ ଗୁରୁତ୍ୱପୂର୍ଣ ନୁହେଁ । ଜଣେ ରବି ଶଙ୍କରଙ୍କ ସୀତାର ବା ବିସ୍ମିଲ୍ଲା ଖାଁଂକ ସହନାଇ ନ ଶୁଣି, ଜଣେ ଜାଁ ପଲ୍ ସାର୍ତଙ୍କ ଦର୍ଶନ ବା ମିଲାନ କୁନ୍ଦେରାଙ୍କ ଉପନ୍ୟାସ ନ ପଢ଼ି, ଜଣେ ମୋଜାର୍ତଙ୍କ ସିମ୍ଫୋନୀ ବା ଜୁବିନ ମେହେଟାଙ୍କ ଅର୍କେଷ୍ଟ୍ରାର ଆନନ୍ଦ ନ ନେଇ, ଜଣେ ପାବ୍ଳୋ ପିକାଶୋଙ୍କ ଚିତ୍ରକଳା ବା ଅମୃତା ଶେର-ଗିଲଙ୍କ ଚିତ୍ରକଳାକୁ ନ ବୁଝି ଜୀବନ କାଳଟିଏ ବଞ୍ଚି ପାରେ, ଖୁସିରେ । କିନ୍ତୁ ମିସୋମ୍ୟୁସିଷ୍ଟଗଣ ନିଶ୍ଚିନ୍ତରେ ରହିପାରନ୍ତି ନାଇଁ । ସେମାନଙ୍କ ମୁଣ୍ଡ ବଥାଏ । ମାନସିକ ବିଭ୍ରମ ବାହାରେ । ନିଜ ପ୍ରତି ଘୃଣାରେ ଓ ଅପମାନରେ ସେମାନେ ଛଟପଟ ହୁଅନ୍ତି । ରାତିରେ ନ ଶୋଇ ସୌନ୍ଦର୍ଯ୍ୟବୋଧ ଓ କଳା ବିରୋଧରେ ପ୍ରତିଶୋଧ ନେବାର ଯୋଜନାରେ ଘାରି ହୁଅନ୍ତି । ଶେଷରେ ଆତ୍ମହତ୍ୟା କରନ୍ତି । ପ୍ରେମାସ୍ପଦ ସତରେ ଆତ୍ମହତ୍ୟା କଲାପରେ କ୍ଳୀବ ପୁରୁଷ ଭାବିଲା ତା’ କଥାରେ ଘାରି ହୋଇ ନାରୀଟି ଆତ୍ମହତ୍ୟା କଲା କି? ସେ ଏତେ ସମ୍ବେଦନଶୀଳ ନାରୀ ନୁହେଁ ଯେ ଏମିତି ଛୋଟଛୋଟ କଥାରେ ଆତ୍ମହତ୍ୟା କରିବ । ତା’ ପାଇଁ ତାର ଅଧ୍ୟକ୍ଷପଣ, ତା’ ଚୌକି, ତା’ ଠାଣି, ତା’ ଫୁଟାଣି, ତା’ ଅଫିସର୍ ପଣିଆ, ତା’ ଉପର ହାକିମ, ତା ଇଗୋ, ତା ଅହଂକାର ପରି ବଡ଼ବଡ଼ କଥା ଥାଉ ଥାଉ ଏଇ ହସ, ସ୍ୱାଧୀନତା, ସୁନ୍ଦରତା ପରି ଛୋଟଛୋଟ କଥାରେ ସେ ଆତ୍ମହତ୍ୟା କରିବ? ଅସମ୍ଭବ । ନିଶ୍ଚୟ ସେ ତାର ସ୍ୱାମୀ ସାଙ୍ଗରେ ଝଗଡ଼ା ଲାଗିଥିବ, ନଚେତ୍ ଝିଅଙ୍କ ସାଙ୍ଗରେ ଝଗଡ଼ା ଲାଗିଥିବ, ନଚେତ୍ ଶାଶୂ ଶ୍ୱଶୁର ସାଂଗେ ଝଗଡ଼ା ଲାଗିଥିବ, ନଚେତ୍ ପୁଲିସବାଲାଏ ଯାହା କହିବେ ସେ କଥା ସତ ହୋଇପାରେ, ଟଙ୍କା ପଇସା ନ ହେଲେ ଦେହ । ଆତ୍ମହତ୍ୟାର କାରଣ ଜଣାପଡ଼ିଲେ ଏଫ ଆଇ ଆର୍ ଲେଖାଯିବ । ଏବେ ଖାଲି ବାରଦିନର ଶୁଦ୍ଧିକ୍ରିୟାଟି ସରିଯାଉ ।