ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାନ୍ଦିବାକୁ ଆହୁରି ଇଚ୍ଛା ହେଉଥିଲା ଋଷୀର, ମାତ୍ର ସୂର୍ଯ୍ୟର ଉତ୍ତାପ ତା ଲୁହକୁ ଶୁଖାଇ ଦେଇଛି । ନିଷ୍ଠୁର ସୂର୍ଯ୍ୟ । ତା ଜୀବନକୁ ବି ଜଳାଇଦେଇଛି । ସୂର୍ଯ୍ୟର ଜଳାଇ ପାରିବାର ଶକ୍ତିକୁ ଭାବିଲା ଋଷୀ । ମାଟି ପାଣି ପବନକୁ ଜଳାଇପାରେ ସୂର୍ଯ୍ୟ । ବିଶ୍ୱାସ ଆନନ୍ଦ ଆବେଗମାନଙ୍କୁ ଜଳାଇପାରେ ସୂର୍ଯ୍ୟ । ମାତ୍ର ଋଷୀ ଭାବେ ତା ଯନ୍ତ୍ରଣାକୁ ସୂର୍ଯ୍ୟ କେବେହେଲେ ଜଳାଇ ଛାରଖାର କରିପାରିବନି । ‘ତାହା ମୋର ନିଜସ୍ୱ, କିନ୍ତୁ ମୁଁ ନିଜେ ଯନ୍ତ୍ରଣା ନୁହେଁ । ମୁଁ ଯନ୍ତ୍ରଣା ଭୋଗୁଛି । ମୋର ଓ ଯନ୍ତ୍ରଣା ଭିତରେ କେତେ ବ୍ୟବଧାନ । ସୂର୍ଯ୍ୟ ନିଜକୁ କଣବୋଲି ଭାବୁଛି? ଲୋକେ କାହିଁକି ସୂର୍ଯ୍ୟ ନମସ୍କାର କରନ୍ତି କେଜାଣି’ । ଅଜା ତାକୁ ସବୁବେଳେ କୁହନ୍ତି ଅଟଚାଳିଶ ଡିଗ୍ରୀ ସେଲ୍ସିଅସ୍ ନ ହେବାଯାଏ ସେ ମରୁନାହାନ୍ତି । ତେଣୁ ସେ ନିଶ୍ଚିନ୍ତ ଥାଇପାରେ । ଅଜାଙ୍କର ଏଇ କଥାଟିକକ, ଏଇ ବିଶ୍ୱାସଟିକକ ହିଁ ତାର ମନୋବଳ ରଖିଛି । ତାକୁ ଆନନ୍ଦ ଦେଉଛି, ଆତ୍ମବିଶ୍ୱାସ ଆଣି ଦେଉଛି ଓ ତାର ଓ ଯନ୍ତ୍ରଣା ଭିତରେ ବ୍ୟବଧାନକୁ ମାପିପାରୁଛି । ବାପା ମରିବା ପରଦିନ ଋଷୀର ଓ ତାର ଯନ୍ତ୍ରଣାର ଫଟୋ ଛପା ହୋଇଥିଲା ଖବର କାଗଜରେ । ଗୋଟିଏ ପରିବାରରୁ ତିନିଜଣ ଅଂଶୁଘାତରେ ଗଲେ । ସରକାର ଦାୟିତ୍ୱ ଏଡ଼ାଇ ଚାଲିଛନ୍ତି । କ୍ଷତିପୂରଣ ଦେଉ ନାହାନ୍ତି । ସରକାର ଉତ୍ତରଦାୟୀ ରହିବେ । ଏମିତି ଅନେକ କଥା । ମାଇକ୍ରୋଫୋନ ଆଗରେ ଅଜା ସୂର୍ଯ୍ୟକୁ ଗାଳିକଲେ ପ୍ରଚୁର । ସୂର୍ଯ୍ୟକୁ ଆମେ ସକଳ ଶକ୍ତିର ଆଧାର ବୋଲି କହି ଦେଉଛୁଁ ବୋଲି ସେ ଆମକୁ ଏମିତି ତଳିତଳାନ୍ତ କରିପାରିବ କି? ତାର ସେ ସ୍ୱେଚ୍ଛାଚାରିତା ପଣକୁ ସ୍ୱାଧୀନ ଭାବରେ ଉପଯୋଗ କରିପାରିବ କି? କେବେ ନୁହେଁ । ତାକୁ ଚେଲେଞ୍ଜ କରିବାକୁ ପଡ଼ିବ । ତାର ଯାଚ୍ଛାତା ଦୁର୍ଗୁଣକୁ ଭାଙ୍ଗିବାକୁ ପଡ଼ିବ । ତାକୁ ଏଣିକି ସ୍ୱେରାଚାରୀ, ସ୍ୱେଚ୍ଛାଚାରୀ, ଘାତକ ବୋଲି କୁହାଯାଉ । ସୂର୍ଯ୍ୟ ନମସ୍କାରକୁ ଆମ ଯୋଗ ବିଦ୍ୟାଳୟରୁ ହଟାଯାଉ । ଏଇଟା ଆମର ଦାବି । ସରକାର ଶୁଣନ୍ତୁ । ସୂର୍ଯ୍ୟ- ଡାଉନ୍ ଡାଉନ୍, ସୂର୍ଯ୍ୟ- ଡାଉନ୍ ଡାଉନ୍ ।’ ବାପାଙ୍କ ସମାଧି ପିଣ୍ଡ ତିଆରି ହେଲାପରେ ଯୋଜନା କରାଗଲା ଏ ସମାଧି ପିଣ୍ଡମାନଙ୍କୁ ନେଇ କଣ କରାଯାଇପାରେ । ଏ କ୍ଷେତ ପାଖଦେଇ ଗତବର୍ଷ ପ୍ରଧାନ ମନ୍ତ୍ରୀଙ୍କ ଗ୍ରାମ୍ୟ ସଡ଼କ ଯିବାରୁ ଏବେ ପ୍ରଚୁର ଗହଳଚହଳ ଚାଲିଛି । ଏ ରାସ୍ତାଟି ଦୁଇଟି ରାଜପଥକୁ ସଂଯୋଗ କରୁଥିବାରୁ ଚାରି ଚକିଆ ଗାଡ଼ିଠୁ ଆରମ୍ଭ କରି ଷୋହଳ ଓ ବାଇଷ ଚକିଆ ଯାନବି ଏପଟେ ଯାଉଛି । ବାପାଙ୍କ ନିଆଁ ଲିଭା ଅଫିସର ବନ୍ଧୁମାନେ ପ୍ରସ୍ତାବ ଦେଲେ ଏକ ହୋଟେଲ କରିବାପାଇଁ, ନହେଲେ ପାନସିଗାରେଟ ଦୋକାନ ଦେବାପାଇଁ । ଅଜା ଓ ଋଷୀ ଦୁହେଁ କହିଲେ, ‘ନା’ । ନିଆଁ ଓ ଉତ୍ତାପ ସହ ସମ୍ପର୍କ ଥିବା ବ୍ୟବସାୟ କରିବାନାଇଁ । ମା’ ବାପା ଓ ଆଇଙ୍କୁ ଆହୁରି ଗରମହେବ । ଚୁଲି ଜଳିବନାଇଁ । ସିଗାରେଟରେ ମାଚିସ୍ ଲାଗିବନାଇଁ । ଗରମ ବ୍ୟବସାୟ କରିବାନାଇଁ । ନିଆଁ ନୁହେଁ ବରଂ ବରଫ ବ୍ୟବସାୟ କରାଯାଇପାରେ । ଆଇସ୍କ୍ରିମ ପରି କିଛି । ଲେମ୍ବୁପାଣି ପରି କିଛି । ଫଳରସ ପରି କିଛି । ସେପରି ହିଁ ହେଲା । ମା’ ବାପାଙ୍କ ସଂସ୍ଥାରୁ ଯାହାକିଛି ବଳକା ଜୀବନ ସଞ୍ଚୟ କରାହୋଇଥିଲା ତହିଁରେ ବଡ଼ କୋଠରିଟିଏ ତିଆରି କରାଗଲା କ୍ଷେତରେ । ତିନୋଟି ଯାକ ସମାଧିପିଣ୍ଡ ତା ଭିତରେ ରହିଲେ । ଚୌକି ଫ୍ରିଜ ଗ୍ଲାସ ଗ୍ରାଇଣ୍ଡର ଅନ୍ୟାନ୍ୟ ଆନୁସଙ୍ଗିକ ଦ୍ରବ୍ୟ କିଣାଗଲା । କୋଠରିକୁ ଶୀତତାପ ନିୟନ୍ତ୍ରିତ କରାଗଲା । କାଚ ଝରକା କରାଗଲା । ପରଦା ଲଗାଗଲା । ସମାଧିପିଣ୍ଡ ତିନୋଟିକୁ ମାର୍ବଲ ଲଗାଯାଇ ସଜ କରାଗଲା । ବଦ୍ମାସ ପିଲାମାନେ ଲୁହା କଣ୍ଟାରେ ଘୋରି ସମାଧିରେ ଲେଖିଥିବା ଅସଭ୍ୟ ଶବ୍ଦ ସବୁକୁ ବି ସମାଧି ଦିଆଗଲା । ତିନୋଟି ସମାଧିକୁ ଟେବୁଲ କରାଯାଇ ତା ଚାରିକଡ଼େ ଘେରାଏ ଚୌକି ରଖାଗଲା । ଏବେ ମା’ ବାପା ଆଇ ସମସ୍ତେ ଥଣ୍ଡାରେ ରହିଲେ । ଘର ଭିତରେ ଏ.ସି.ରେ ରହିଲେ । ତାଙ୍କ ଉପରେ ଆଇସ୍କ୍ରିମ୍ ରଖାଗଲା, ଫଳରସ ରଖାଗଲା । ସୂର୍ଯ୍ୟର ଉତ୍ତାପଠୁ ଅନେକ ଦୂର । ସୂର୍ଯ୍ୟ ନମସ୍କାରଠୁ ଅନେକ ଦୂର । ଆଜି ପଇଁଚାଳିଷ ଡିଗ୍ରୀ ସେଲ୍ସିଅସ୍‌‌ର ତିଥି । ବାପା ମା’ ଆଇ ସମସ୍ତଙ୍କର ମୃତ୍ୟୁତିଥି । ଲୋକଙ୍କୁ ବିନାମୂଲ୍ୟରେ ଫ୍ରୁଟ ସାଲାଡ ଦିଆହେବ । ଏତେ ଖରାରେ ବି ଦୌଡ଼ି ଦୌଡ଼ି ଖେଳୁଥିବା ଗୁଡ଼ାଏ ଲଙ୍ଗଳା ପିଲାଙ୍କଠୁ ଆରମ୍ଭକରି ଟ୍ରକ ଡ୍ରାଇଭର, ଗୃହିଣୀ, ନିଆଁ ଲିଭା ଅଫିସ୍‌‌ର କର୍ମଚାରୀ, ଛତା ଘୋଡ଼ି ହୋଇ ଯାଉଥିବା ଦିଦି, କାର୍ ଭିତରେ ପରିବାର, କାଠବିକାଳି, ଆଇସ୍କ୍ରିମ୍ବାଲା, ପେପରବାଲା, କ୍ଷୀରବାଲା ସମସ୍ତଙ୍କୁ । ଋଷୀ ଓ ଅଜା ତାଙ୍କ ବିଷଣ୍ଣତାକୁ ଅନ୍ୟ କେତେବେଳେ ଏକାନ୍ତରେ ଭେଟିବେ ବୋଲି କଥା ଦିଅନ୍ତି ଓ ମୁହଁରେ ହସ ଫୁଟାନ୍ତି । ଆଜି ଖୁସିର ଦିନ । ବିଷଣ୍ଣତାରୁ ବାହାରି ଆସି ଲୋକଙ୍କ ସାଥୀରେ ଖୁସିରେ ସାଲାଡ୍ ଖାଇବାର ଦିନ । ବାପା କେତେ ଖୁସ୍ମିଜାଜର ମଣିଷଥିଲେ । ସବୁବେଳେ ସ୍ୱପ୍ନ, ସବୁବେଳେ ପ୍ରଗଳ୍ଭ । ଥରେ ଋଷୀ କହିଥିଲା, "ବାପା ଏଥର ଖରା ଯଦି ଚାଳିଷଡେଇଁବ ତେବେ ଆମେ ଉତ୍ତର ମେରୁ ଅଞ୍ଚଳକୁ ପଳେଇବା । ନର୍‌‌ୱେକୁ ଯାଇ ବସବାସ କରିବା । ଛ ମାସ ଦିନ ଛ ମାସ ରାତି ହେବା ଜାଗାରେ ।’