ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ଇନ୍’ରେ ରହିବ, ମୁଁ ବି ସେଠି ରହିବି । କିଛି କଥା ପଛେ ହେବିନାଇଁ । ମୋତେ ଏକା ରହିବାକୁ କହିବାଟା ତମେ ମୋତେ କେଉଁଠି ଛାଡ଼ିଦେଲାପରି ହେଉଛି ।’ ଜାନ୍ କହୁଛି, "ଓ, ମାରିଆ, ଆମର ଭଲପାଇବା ଓ ବୁଝାମଣାକୁ ତୁମେ କାହିଁକି ସନ୍ଦେହ କରୁଛ ଯେ?’ "ନୋ ଜାନ୍ । ପିଲାମାନେ ଭଲପାଇବା କ’ଣ ଜାଣନ୍ତିନାଇଁ । ତାଙ୍କର ଆହୁରି ସ୍ୱପ୍ନ ଦେଖିବା ବାକିଥାଏ । କର୍ତବ୍ୟ ବାକିଥାଏ । ସେ ସ୍ୱପ୍ନ ଆଉ କର୍ତବ୍ୟ ସବୁ ସେମାନଙ୍କୁ ତାଙ୍କ ସ୍ତ୍ରୀମାନଙ୍କ ଠାରୁ ଦୂରକୁ ଟାଣିନିଏ । ମୋତେ ଏକାକୀ ରହିବାକୁ କହିପାରୁଛ, କାରଣ ତାହା ତୁମର ଲୋନ୍ଲିନେସ୍ର ଭାଷା । ତୁମେ ମୋଠାରୁ ଦିନକପାଇଁ ହେଲେ ବି ଛୁଟି ଚାହୁଁଛ । କିନ୍ତୁ ମୁଁ କେବେ ତୁମଠାରୁ ଛୁଟି ନେଇପାରିବା କଥା ଭାବି ପାରିବି କି? ନାରୀମାନେ ଅଲଗା, ଜାନ୍ । ତାଙ୍କର ଭଲପାଇବା ଭିତରେ ଅଲଗା ସ୍ୱପ୍ନ ଆଉ ଥାଏନା । ସେମାନେ ଯାହାକୁ ଭଲପାଆନ୍ତି ନିବିଡ଼ ଭାବରେ ଭଲପାଆନ୍ତି । ପିଲାମାନେ କିନ୍ତୁ ଖୋଜି ଖୋଜି କାମକରନ୍ତି ଓ ସ୍ତ୍ରୀକୁ ଗୁଡ଼ାଏ "ଯୁକ୍ତି’ ଦେଖାଇ ଦିଅନ୍ତି । ତାଙ୍କ ଭିତରେ ସବୁବେଳେ ଗୋଟେ ଏକଲା ପଣଟିଏ ବସା ବାନ୍ଧିଥାଏ । ଶୁଣ କହୁଛି, ତୁମେ ଯେତେ ଯୁକ୍ତି ଦେଖାଇଲେ ବି ମୁଁ ଅଲଗା ଲଜରେ ଏକାକୀ ରହିପାରିବି ନାହିଁ । ଏଠି ରହିବି ତୁମ ସାଙ୍ଗରେ, ତୁମେ ଲୁଚକାଳି ଖେଳ କି ନ ଖେଳ ।’ "ଓଃ, କମ୍ ଅନ୍ ମାରିଆ । ସବୁ କଥାକୁ ଅତିରଞ୍ଜିତ କରିବା ତୁମର ଅଭ୍ୟାସ ଏ ଯାଏଁ ଗଲାନି । ଏତେ ସହଜ କଥାଟାକୁ...’ "ସହଜ କଥାଟାକୁ ଜଟିଳ ତୁମେ କରୁଛ, ମୁଁ ନୁହେଁ । ଠିକ୍ ଅଛି, ତୁମେ ଯାଅ, ଯୁଆଡ଼େ ଯାଉଛ । ମୁଁ ଏଠି ପଡ଼ିପଡ଼ି ଅପେକ୍ଷାକରୁଛି । ପିଲାମାନେ ଭାରୀ ନିଷ୍ଠୁର ଭାବରେ ଭଲପାଆନ୍ତି ଜାନ୍ । ତୁମେ ତାର ପ୍ରମାଣ । ଠିକ୍ ଅଛି, ତୁମେ ଯାଅ । ମୁଁ କେବଳ ଏତିକି ଆଶାକରିବି ଯେ ମୋ ଭଲପାଇବାପଣ ତୁମକୁ କୌଣସି ବିପଦ ଆସିବାରୁ ରକ୍ଷାକରୁ ।’ ମାରିଆ କାନ୍ଦି ପକାଇଲା । ଜାନ୍ ଆସି ତା ମା’ର ଇନ୍‌‌ରେ ପହଞ୍ଚିଲା । ମାର୍ଥା ସାଙ୍ଗରେ ପ୍ରଥମେ ଭେଟହେଲା । ଇନ୍ର ଖାତାରେ ମାର୍ଥା ଜାନ୍ର ନାଁ, ଗାଁ, ଇତ୍ୟାଦିି ଲେଖିଲା । ଜାନ୍ କହିଲା ନିଜେ ଜଣେ ଚେକ୍ (ଚେକୋସ୍ଲୋଭାକିଆର ଅଧିବାସୀ) ମାତ୍ର ସେ ଏବେ ସମୁଦ୍ର ସେପଟୁ ଆସିଛି । ସମୁଦ୍ର କୂଳରେ ରହୁଛି । ମାର୍ଥା ଚୁପଚାପ ଭାବିଲା କିଛିସମୟ । ଜାନ୍ ପୁଣି କହିଲା ସେ ବିବାହିତ । ସ୍ତ୍ରୀକୁ ସେପଟେ ଛାଡ଼ି ଆସିଛି । ସେ ଆଜି ରାତିକପାଇଁ ରହିବ ଓ ଯଦି ଦରକାରପଡ଼େ ଆହୁରି କିଛିଦିନ ବି ରହିପାରେ । ମାର୍ଥାର ମା ଆସିଲେ । ଜାନ୍ କହିଲା ସେ ବହୁତ ଦିନ ତଳେ ଏ ଛୋଟ ସହରକୁ ଆସିଥିଲା । ଏଠାକୁ ଆସିଲେ ତାକୁ ଖୁବ୍ ଭଲଲାଗେ । ଶାନ୍ତ ପରିବେଶ । ନିଜ ଘରକୁ ଆସିଲାପରି ଲାଗେ । ନିଜର କିଛି ବନ୍ଧୁ ବା ପରିଜନଙ୍କୁ ପାଇଲେ ସେ ନିଶ୍ଚୟ କିଛିଦିନ ଅଧିକ ରହିବ ଏଠି । ତା ମା କହିଲେ "ବନ୍ଧୁ ପରିଜନ? ନା, ସେ ସମ୍ଭାବନା ଆଦୌ ନାହିଁ । ଆମେ ଏଠି ଅନେକ ବର୍ଷ ହେଲା ଏକାକୀରହୁଛୁ । ମୁଁ ଭୁଲିଯାଇଛି କେତେବର୍ଷ ହେଲା ଓ ସେ ସମୟରେ ମୁଁ କେତେ ବୟସର ଥିଲି । ଏ ଝିଅଟି ଅନେକ ବର୍ଷ ହେଲା ମୋ ପାଖରେ ରହୁଛି । ବୋଧହୁଏ ସେଇଥିପାଇଁ ମୁଁ ତାକୁ ଝିଅବୋଲି କହୁଛି । ନହେଲେ ମୁଁ ତାକୁ ବି ଭୁଲି ସାରନ୍ତିଣି । ବହୁତ ଦିନତଳେ ମୋ ସ୍ୱାମୀ ଏଠି ଥିଲେ । ଆମେ ଖୁବ୍ ବ୍ୟସ୍ତ ରହୁଥିଲୁ ନିଜନିଜ କାମରେ । ମୁଁ ବୋଧହୁଏ ସେ ମରିବାର ବହୁପୂର୍ବରୁ ତାଙ୍କୁ ଭୁଲିଗଲିଣି ।' ଏତକ କହି ସେ ଉଠିବାକୁ ବସୁଥିଲେ । ଜାନ୍ ସାହାଯ୍ୟ କରିବାପାଇଁ ଆଗେଇ ଆସୁଥିଲା । ମା କହିଲେ, "ନା ନା ଦରକାର ନାଇଁ ପୁଅ । ମୁଁ ଅକର୍ମଣ୍ୟ ହୋଇନାଇଁ ଏ ଯାଏଁ । ମୋ ହାତକୁ ଦେଖ । ଜଣେ ଲୋକର ଗୋଡ଼ ଦୁଇଟିକୁ ଧରିବାପାଇଁ ଏ ହାତରେ ତଥାପି ଯଥେଷ୍ଟ ବଳଅଛି ।’ ମାର୍ଥା କହିଲା, "ମା, କ’ଣ କ’ଣ ସବୁ କହି ଯାଉଛ? ତାଙ୍କୁ ଚାବି ଦିଅ । ସେ ତାଙ୍କ କୋଠରିକୁ ଯାଇ ବିଶ୍ରାମ ନିଅନ୍ତୁ ।’ ଜାନ୍ ଚାବିନେଇ ନିଜକୋଠରିକୁ ଚାଲିଗଲା । ଏମିତି ଏକ ସରଳ ବିଶ୍ୱାସୀ ପିଲାଟିଏ ଆଜି ଆସିଛି... ଯେ ! ଛାଡ଼, କ’ଣ କରିବା? ଯଦି ସବୁ ଘାତକ, ଦୋଷୀମାନଙ୍କର ଆବେଗପୂର୍ଣ କଥା ଶୁଣିବସନ୍ତି ତାହେଲେ ଏ ପୃଥିବୀର ଅବସ୍ଥା କ’ଣ ହେବ? ଯାହା ବି ହେଉ ମା, ଏଥର ତୁମେ ମୋତେ ନିଶ୍ଚୟ ସାହାଯ୍ୟକର । ଏ ଶେଷ ହତ୍ୟାଟି ପଇସାପାଇଁ ନୁହେଁ, ସୂର୍ଯ୍ୟକିରଣ ପଡୁଥିବା ଏକ ସମୁଦ୍ରକୂଳ ପାଇଁ । ମୁଁ ବି କ୍ଳାନ୍ତ ହୋଇପଡ଼ିଲିଣି । ତୁମେ ତ ମୋତେ ଏ ପୃଥିବୀକୁ ଆଣିଛ । ଆଉ ସୂର୍ଯ୍ୟକିରଣ ପଡୁଥିବା ଯାଗାରେ ନରଖି, ମେଘ ଓ କୁହୁଡ଼ି ଯାଗାରେ ରଖିଛ । ଆଜି ତୁମକୁ ଯେମିତି ହେଲେ ସାହାଯ୍ୟ କରିବାକୁ ପଡ଼ିବ ମା । ଆଜି, ନଚେତ୍ ଆଉ କେବେନୁହେଁ । ଜାନ୍ ତା କୋଠରିରେ ବିଶ୍ରାମନେଇଛି । ମାର୍ଥା ଆସିଲା । କହିଲା, "ପାଣି ଆଣିଛି । ଟାୱେଲକୁ ବି ବଦଳାଇବି । ଆମ ବୁଢ଼ାଟି ବହୁତକିଛି କଥା ପାଶୋରିଦିଏ ।