ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅତି ବାସ୍ତବ, ଯାହାର ଅନ୍ୟ ନାଆଁ ଅଣବାସ୍ତବ । ରିଏଲ୍ରୁ ବଳି ସର୍ରିଏଲ୍ । ତେଣୁ ଅଯଥାରେ ତା’ର ବକ୍ତବ୍ୟ କି ଅର୍ଥ କଅଣ ବୋଲି ପଚାରନ୍ତୁ ନାହିଁ । କି ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ ନାହିଁ । ତା’ର ରହସ୍ୟଗତ ଅର୍ଥଟାକୁ ଅନୁଭବ କରନ୍ତୁ, ଆପଣଙ୍କ ନିଜ ହିସାବରେ । ବୁଦ୍ଧିରୁ ବଳି ଆପଣଙ୍କର ସ୍ୱକୀୟ ଅତିମାନସ କି ଅତୀଂଦ୍ରିୟପଣକୁ ଆହ୍ୱାନ କରି । ଅନୁଭବ କରନ୍ତୁ, ଉପଭୋଗ କରନ୍ତୁ । ହେଲା? ଗୋପାଳବାବୁ ଏହି ଭାବରେ ଗୋଟାଏ ତାତ୍ତ୍ୱିକ ସଫେଇ ବାଢ଼ି ଦେଲେ ଆଜିର ତରୁଣ ଲେଖକମାନଙ୍କ ତରଫରୁ । ଯେ ମୋର ସମାଲୋଚନା ଯଥାର୍ଥ ହେଲେ ମଧ୍ୟ ତମେ ସବୁ ଏହି ପ୍ରକାର ସଫେଇ ଶୁଣେଇ ପାରନ୍ତ ଆମମାନଙ୍କୁ । ଯାହାକୁ ଚଟ୍କିନି ହସି ଉଡ଼େଇ ଦେଇ ହେବ ନାହିଁ, କିଛି ସମୟ ଲାଗିବ ତା’ର ଅର୍ଧସତ୍ୟକୁ ଚିହ୍ନାପକେଇବା ପାଇଁ । କିନ୍ତୁ ତା’ ବି’ ତମେମାନେ କରୁଛ କୋଉଠୁ? ୟା’ ଭିତରେ, ଅର୍ଥାତ୍ ଭାବଭାବନାର ଉପରୋକ୍ତ କ୍ରମର ଅଧଘଣ୍ଟାକ ଭିତରେ ସେ ମନୋଜ ପଣ୍ଡାଙ୍କ ଦ୍ୱାରା ଲିଖିତ ଗୋଟିଏ ଗଳ୍ପ ସଙ୍କଳନର ପ୍ରାୟ ତିନି ଚାରୋଟି ଗଳ୍ପ ପଢ଼ି ସାରିଲେଣି । ଏଁ? ଗୋପାଳବାବୁ କ’ଣ ଏତେ ଶୀଘ୍ର ପଢ଼ି ନେଇପାରନ୍ତି ଶବ୍ଦ ସମ୍ବଳିତ ଲେଖାସବୁ? ଯେହେତୁ ତାହା ସାହିତ୍ୟ ପଦବାଚ୍ୟ ଏବଂ ସେ ଜଣେ ସାହିତ୍ୟରଥୀ? ନା ଆଶୁପଠନର ବିଦ୍ୟା ଜଣା ଅଛି ତାଙ୍କୁ? ନା, ସେମିତି କିଛି ନୁହେଁ । ସେ ପ୍ରକୃତରେ ଏକାଧିକ ଗଳ୍ପ ପଢ଼ିସାରିଲେଣି ବୋଲି କହିଲେ ଭୁଲ୍ ହେବ । ସେ ଗୋଟାଏ ପୃଷ୍ଠାର କିଛି ବାଟ ଆଗେଇ ଆସିଲା ପରେ ପରପୃଷ୍ଠାର କିଛିଟା ଦେଖି ନେଉଛନ୍ତି, ତା’ପରେ ପରବର୍ତୀ ପୃଷ୍ଠା ଏବଂ ଯଥାଶୀଘ୍ର ସମାପ୍ତି ସୂଚକ ଶେଷଧାଡ଼ି କେଇଟା । ଏହି ଭାବରେ କଥାଟା ମୋଟାମୋଟି କ’ଣ ହୋଇଥିବ ବୋଲି ସେ ଅନୁମାନ କରି ନେଉଛନ୍ତି । ଏଣେ ‘ହେଲା ନାହିଁ, ହେଲା ନାହିଁ!’ ସୂଚକ ମୁଣ୍ଡହଲା ତା’ କାମ କରିଚାଲିଛି, ତଥା ସଂଲଗ୍ନ ଭାବଭାବନା । ଏହାହିଁ ତାଙ୍କର ଅଭ୍ୟାସ ବୋଲି କହିବାକୁ ହେବ, ଯେତେବେଳେ କେଉଁ ଅତ୍ୟାଧୁନିକ ତରୁଣର ଲେଖା ତାଙ୍କ ଆଖିରେ ପଡ଼େ, ଏବଂ ସେ ଅଳସ ବିଳାସରେ ତାକୁ ପଢ଼ିବସନ୍ତି । କିନ୍ତୁ ଉଲ୍ଲେଖଯୋଗ୍ୟ ଯେ ଅଭ୍ୟାସଟାକୁ ଛାଡ଼ି ହେଉ ନାହିଁ ସିନା, ଆଜିର ଏହି ପଠନକ୍ରିୟା ଅଳସବିଳାସ ନଥିଲା । ସେ ସ୍ଥିର କରିଛନ୍ତି ଯେ ସେ ଯଥାଶୀଘ୍ର ବଛାବଛି ଅତ୍ୟାଧୁନିକ ତରୁଣ କଥାକାରମାନଙ୍କ ଲେଖା ପଢ଼ିବେ । ଏବଂ ସେଥିରେ ପ୍ରକୃତରେ କିଛି ସାରକଥା - ନୂଆକଥା ଥିଲେ ତାକୁ ସାହିତ୍ୟ ଦରବାରରେ ଚିହ୍ନାଇବେ । ଅବଶ୍ୟ ଚିହ୍ନାଇବେ । ଅନେକ ଦିନ ତଳେ ଜଣେ ତରୁଣ ଲେଖକ ତାଙ୍କୁ କହିଥିଲା ଅଭିମାନ କଲାପରି, ଯେ ଆପଣମାନେ ଅର୍ଥାତ୍ ବରିଷ୍ଠ ଲେଖକମାନେ ଆମ ଲେଖା ପଢୁ ନାହାନ୍ତି । ଏହାହିଁ ଆମର ଦୁର୍ଭାଗ୍ୟ । ଗୋପାଳବାବୁ ତାକୁ ଗୋଟାଏ ପିଲାଳିଆ ତଥା ଧୃଷ୍ଟ ଅଭିଯୋଗ ବୋଲି ଧରି ନେଇଥିଲେ । କିନ୍ତୁ ଏବେ ତାଙ୍କର ମନେ ହେଉଛି ଯେ ସେ କଥାଟାକୁ ଯେଉଁ ଭାବରେ କହିଥାଉ ନା କାହିଁକି, ସେମାନଙ୍କ ଲେଖା ଆମମାନଙ୍କର ପଢ଼ିବା ଉଚିତ । ନ ପଢ଼ିବାଟା ଅନ୍ୟାୟ । ସେହେତୁ ତାଙ୍କର ଏହି ଯୋଜନାବଦ୍ଧ ପଠନକ୍ରିୟା, ଏଇ ଛଅସାତମାସ ହେଲା । ମଧ୍ୟ ପ୍ରଣିଧାନ ଯୋଗ୍ୟ ଯେ ଆଜି ଏଭଳି ଏକ ପ୍ରଳମ୍ବିତ ଏବଂ ତାତ୍ତ୍ୱିକ ସଫେଇର ଆବଶ୍ୟକତା ତାଙ୍କ ମନକୁ ଆସିଛି ସେମାନଙ୍କ ସାହିତ୍ୟକୁ ନେଇ । ଆଗେ ସେଭଳି କିଛି ଓକିଲାତି କରିବାର କାରଣ ଅଛି ବୋଲି ସେ ମନେ କରୁ ନଥିଲେ ତ? ସତେ କ’ଣ କିଛି ପରିବର୍ତନ ଆସିଛି ତାଙ୍କ ମନରେ ଆଜିର ସାହିତ୍ୟକୁ ନେଇ ଯଦିଓ ସେ ତଥାପି ତାଙ୍କ ଦୁଃଖପ୍ରକାଶ ଓରଫ୍ ମୁଣ୍ଡହଲାକୁ ମୁରୁଛି ପାରୁ ନାହାନ୍ତି? ଏବଂ ଯଦି ତାହା ହୋଇଥାଏ, ତା’ହେଲେ କ’ଣ ତା’ର କାରଣ? ହଁ, ଧୀରେ ସୁସ୍ଥେ ଗୋଟାଏ ପରିବର୍ତନ ଆସିଛି ତାଙ୍କ ମନରେ, ଏଇ ବର୍ଷେ ଦି’ବର୍ଷ ହେଲା । ଯାହାକୁ ଉଦାରପଣ ବୋଲି କୁହାଯିବ ଏବଂ ସେଥିର ଉତ୍ସ ହେଉଛି ସଫଳତାବୋଧ । ଯେ ମୁଁ ପହୁଞ୍ଚି ସାରିଲିଣି ମୋର ଯେଉଁଠି ପହୁଞ୍ଚିବାର କଥା, ତେଣୁ ମୋର ଗୋଟାଏ କର୍ତବ୍ୟ ଅଛି ଏଣିକି ଏମାନଙ୍କ ପ୍ରତି, ଏଇ ଅର୍ବାଚୀନ ତରୁଣମାନଙ୍କ ପ୍ରତି, ସେମାନଙ୍କ ଲେଖା ଯେତେ ଦୁର୍ବଳ ହଉ ପଛେ । ଯେପରିକି ସେମାନେ ମଧ୍ୟ ଏହି ପ୍ରକାର ସଫଳତାର ଅଧିକାରୀ ହୋଇପାରିବେ, ଯଥାକ୍ରମେ । ଅବଶ୍ୟ ଗୋପାଳବାବୁଙ୍କର ଗୋଟାଏ ଅଭିଯୋଗ ରହିଛି ପାଠକ ସମୀକ୍ଷକମାନଙ୍କ ବିରୁଦ୍ଧରେ । ଯେ ଗୋପାଳ ମହାପାତ୍ରକୁ ତମେ ଠିକ୍ ଭାବରେ ବୁଝିପାରିଲ ନାହିଁ । ଖାଲି କହି ଆସିଛ ଯେ ସେ ଜଣେ ବିଶିଷ୍ଠ କଥାକାର, ତାଙ୍କର ସ୍ୱତନ୍ତ୍ର ଆସନ ରହିଛି ଓଡ଼ିଆ ସାହିତ୍ୟରେ । କିନ୍ତୁ ବାବୁ, ସେ କେଉଁ ଭାବରେ ବିଶିଷ୍ଟ କି ସ୍ୱତନ୍ତ୍ର ଅନ୍ୟମାନଙ୍କ ତୁଳନାରେ, ଏବଂ ତା’ର ଭାଉ କେତେ, ତା’ କହିଲ କେବେ? ପୁଣି କ’ଣ ନା ସେ ଆଧୁନିକ ମଣିଷର ସୁଖ ଦୁଃଖକୁ ସୁନ୍ଦର ଭାବରେ ଚିହ୍ନାଇ ପାରିଛନ୍ତି, ତା’ ମନଗହୀରର ଭାଷାକୁ ଶୁଣାଇ ପାରିଛନ୍ତି, ଇତ୍ୟାଦି । ଧନ୍ୟବାଦ । କିନ୍ତୁ ଦେଖିବାକୁ ମିଳିବ ଯେ ଅନେକ ଅନ୍ୟମାନଙ୍କ ବିଷୟରେ ମଧ୍ୟ