ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିଲା ତିନିଟା, ଯିଏ ଗୁଡ଼ି ଉଡ଼ଉଛି, ଆଉ ତା’ର ସାଙ୍ଗ ଦି’ଜଣ, ରହିଗଲେ ଥପ୍କିନି । ଏବଂ କାବା ହୋଇ ଅନେଇଲେ ଘରର ମାଲିକଙ୍କୁ । କ’ଣ ହେଲା? କେବେହେଲେ ଏମିତି ହୁଏ ନାହିଁ ତ? ହଁ, ଚାକରଟୋକା କେବେ କେମିତି ତାଙ୍କୁ ଘଉଡ଼େଇଦିଏ । ମାଲିକାଣୀଙ୍କ ଆଖିରେ ପଡ଼ିଲେ ସେ ବି’ ବେଳେବେଳେ ଆମକୁ ହାତ ଦେଖାନ୍ତି, ବାହାରି ଯା’ ବୋଲି କୁହନ୍ତି । କିନ୍ତୁ ବୁଢ଼ାବାବୁ, ଯେ ପ୍ରାୟ ସବୁଦିନେ ବସି ରହିଥାଆନ୍ତି ସେଇଠି, ସେ ଆମକୁ ଅନାନ୍ତି ସିନା ମଝିରେ ମଝିରେ, କିନ୍ତୁ ଅନେଇଲା ପରି ଅନାନ୍ତି ନାହିଁ । ମଧ୍ୟ ହସନ୍ତି ବେଳେବେଳେ । ହେଲେ ଆମ ଖେଳକୁ ଦେଖି ହସୁଛନ୍ତି, ତା’ ବି ମନେ ହୁଏ ନାହିଁ । ଏବଂ କିଛି ହେଲେ, କୁହନ୍ତି ନାହିଁ ଆମକୁ । ସତେ ମଜାର ବୁଢ଼ାଟିଏ! କିନ୍ତୁ ତାଙ୍କର କ’ଣ ହୋଇଛି ଆଜି? ଫଡ଼ାଫଡ଼ା ଆଖିରେ ଅନେଇଲେ ତାଙ୍କୁ ତିନିଜଣଯାକ । ସେଇଠୁଁ ମାନେମାନେ ବାହାରିଗଲେ ତାଙ୍କ ହତାରୁ । କ’ଣ ଗୋଟାଏ ଅଘଟଣ ଘଟିବାର ଅଛି ଆଜି, ଏହିଭାବରେ । ପତ୍ନୀ ସୁଲୋଚନା ଆସି ପହଞ୍ଚିଗଲେ ସେତେବେଳେ ତାଙ୍କ ଷ୍ଟଡି ରୁମରେ ଏବଂ ପଛରୁ ଥାଇ କହିଲେ, ‘କାହା ଉପରେ ପାଟି କରୁଛ ଏମିତି? ସେଇଠୁଁ ଝରକାବାଟେ ପିଲାଙ୍କ ଫେରିଯାଉଥିବା ଦୁର୍ଦଶା ଦେଖି ଈଷତ୍ ହସିଦେଇ, ଓ! ଏତେଦିନକେ ଲେଖକ ମହାଶୟଙ୍କ ପଡ଼ିଲା ତାଙ୍କ ଗୁଡ଼ିଉଡ଼ା ଦୃଶ୍ୟ? ଧନ୍ୟବାଦ ।’ ତା’ପରେ ଟିକିଏ ରହିଯାଇ କହିଲେ, ‘ଶୁଣ, କୋଉ ବିରଞ୍ଚି ପ୍ରଧାନ ଡାକୁଛି ତମକୁ ଫୋନ୍‌‌ରେ । ମୁଁ ତାକୁ କହିଛି ଟିକିଏ ଅପେକ୍ଷା କରନ୍ତୁ, ମୁଁ ସାର୍‌‌ଙ୍କୁ ଖବର ଦେଉଛି ।’ ଏବଂ ସୁଲୋଚନା ମଧ୍ୟ କିଛି କମ୍ ଅବାକ୍ ହେଲେ ନାହିଁ, ଯେତେବେଳେ ଗୋପାଳବାବୁ ବୁଲିପଡ଼ି ଅନେଇଲେ ତାଙ୍କ ଆଡ଼କୁ, ଏବଂ ଅନୁଚ୍ଚ, ହେଲେ ଦୃଢ଼ ସ୍ୱରରେ କହିଲେ ‘ନା’ । କିନ୍ତୁ ସେଇ ନାହିଁ ପଦ ମଧ୍ୟ ସ୍ତ୍ରୀଙ୍କ ପ୍ରତି ଉଦ୍ଧିଷ୍ଟ ନଥିଲା । ଥିଲା ଫୋନ୍‌‌ରେ ଡାକୁଥିବା ବିରଞ୍ଚି ପ୍ରଧାନ ପ୍ରତି, ତା’ର ଡାକରାକୁ ଅମାନ୍ୟ କଲାପରି । କାରଣ ସେ ଜାଣନ୍ତି ବିରଞ୍ଚି ଲୋକଟି କିଏ, ଓ ସେ କେଉଁଥିପାଇଁ ବ୍ୟସ୍ତ ସାର୍ଙ୍କ ସାଙ୍ଗରେ ପଦେ କଥା କହିବ ବୋଲି । ସେ ମୋତେ ମନେ ପକାଇ ଦେବାକୁ ଚାହେଁ ଯେ ଆଜି ସଂଧ୍ୟାରେ ଅଛି ତାଙ୍କ ‘ସୁରୁଚି ସାହିତ୍ୟ ସଂସଦ’ର ବାର୍ଷିର୍କ ସମ୍ମେଳନୀ । ପୂର୍ବରୁ ଥରେ ଫୋନ୍ କରିଥିଲା, କିନ୍ତୁ ମୁଁ ତାକୁ କହିଥିଲି ଯେ ଶୁଣ, ସେଦିନ ମୋର ଗୋଟାଏ କାମ ଅଛି, ତେଣୁ କ୍ଷମା କରିବ, ମୁଁ ବୋଧହୁଏ ଯାଇପାରିବି ନାହିଁ । ପ୍ରକୃତରେ ମୁଁ ଭାବିଥିଲି ମୁଁ ଆଜିଯିବି ଜଣେ ଦୀର୍ଘସୂତ୍ରୀ ପ୍ରକାଶକଙ୍କୁ ତାଗିଦା ଦେବାପାଇଁ ମୋର ପରବର୍ତୀ ଉପନ୍ୟାସ ବିଷୟରେ । କିନ୍ତୁ ସେ କାହିଁକି ଶୁଣିବ? କହିଲା ସାର୍, ଆସନ୍ତୁ ଅନ୍ତତଃ କିଛି ସମୟ ପାଇଁ । ଏଇକ୍ଷଣି ସେ ତା’ର ଏକାନ୍ତ ଅନୁରୋଧକୁ ଦୋହରେଇବାକୁ ଚାହେଁ । କାର୍ଯ୍ୟସୂଚୀ ଅନୁଯାୟୀ ମୋର କୌଣସି ନିର୍ଦିଷ୍ଟ ଭୂମିକା ନାହିଁ ସେଇ ସଭାରେ । ତଥାପି ସେ ଚାହେଁ ମୁଁ ସେଠିକି ଯିବି ବୋଲି । ଅନ୍ତତଃ କିଛି ସମୟ ପାଇଁ । ମୁଁ ଜାଣେ କାହିଁକି । ଏଇ ନୂଆ ନୁହେଁ । ଏଇ କେଇ ମାସ ତଳେ ମଧୁ ବିଶ୍ୱାଳ ମୋତେ ବାଧ୍ୟ କଲା ସେମିତି, ତା’ର ‘ଦରିଦ୍ର ନାରାୟଣ ସେବା ସମିତି’ର କୋଉ ସଭାରେ ଯାଇ କହିବା ପାଇଁ, ଯଦିଓ ମୁଁ ସମାଜସେବକ ନୁହେଁ । ମୋଟେ ନୁହେଁ । ସେ ବି ସେମିତି କହିଥିଲା ମୋତେ- ‘ଅନ୍ତତଃ କିଛି ସମୟ ପାଇଁ ।’ ମୋ ପିଲାଦିନର ସାଙ୍ଗ ବୋଲି ସେ ତା’ର ତାତ୍ପର୍ଯ୍ୟ ବୁଝେଇ ଦେଇଥିଲା । ମୁଁ ତ ସହଜେ ଆଗ ଧାଡ଼ିରେ ବସିବି, ଅନୁମତି ମିଳିବ ନାହିଁ, ପଛରେ ବସିବାଲାଗି । ଏବଂ ସେଇ ‘କିଛି ସମୟ’ ଭିତରେ କ’ଣ ପ୍ରେସବାଲାଙ୍କର ଗୋଟାଏ ଦିଟା ଫଟୋ ଉଠିବ ନାହିଁ ସଭାକୁ ଆସିଥିବା ଅତିଥି ମାନଙ୍କର? ଆଉ ମୋ ପରି ଜଣେ ବରେଣ୍ୟ ପିତାମହଙ୍କ ଚେହେରା ପରିସ୍ଫୁଟ ହୋଇ ଉଠିବ ନାହିଁ ଖବରକାଗଜର ଫଟୋ ମାନଙ୍କରେ, ଜନସାଧାରଣଙ୍କ ଅବଗତି ପାଇଁ? ଆଉ ସେଇ କ’ଣ ହେବ ନାହିଁ ତାଙ୍କ ସମାବେଶର ଅନ୍ୟତମ ସଫଳତା, ମାନେ ସେଥିର ନିଦର୍ଶନ? ମୁଁ ତା’ କଥାକୁ ବନ୍ଧୁ ସୁଲଭ ପରିହାସ ତଳେ ନେଇଥିଲି । କିନ୍ତୁ ଭିତର ମନରେ ବୁଝୁଥିଲି ଯେ କଥାଟା ସତ ନୁହେଁ ବୋଲି କହି ହେବ ନାହିଁ । ଇଏ ମୋରି ସଫଳତାର ଅନ୍ୟତମ ନିଦର୍ଶନ । ଯେଉଁ ସଭାସମିତିରେ ମୋର କିଛି ଭୂମିକା ଥାଏ ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି, କିମ୍ବା ମୁଖ୍ୟବକ୍ତା ହିସାବରେ, ସେଥିରେ ବି କଣ ମୋତେ କୋଉ ନିର୍ଦିଷ୍ଟ ବିଷୟରେ କହିବାକୁ ପଡ଼େ? ନା, କେବଳ ଅନୁରୋଧ ଯେ ସାର୍ ଆପଣ ପଦେ ଦି’ପଦ କହିବେ । ଯାହା ଆପଣଙ୍କ ମନକୁ ଆସୁଛି । ପତ୍ରପତ୍ରିକାର ବିଶେଷ ସଂଖ୍ୟା ମାନଙ୍କ ପାଇଁ ମଧ୍ୟ ସାର୍ଙ୍କର ଲେଖାଟିଏ ଲୋଡ଼ା । ତା’ ଯାହା ହେଉ ପଛେ । ରମ୍ୟରଚନା ଜାତୀୟ ପ୍ରବନ୍ଧ ହେଉ, ପ୍ରବନ୍ଧ ଜାତୀୟ ଗପ, ଆତ୍ମକଥା ଜାତୀୟ ଏଣୁତେଣୁ, ଅବା ଆଉ ଯାହା । ଥରେ ତ ମୁଁ ଲେଖାଟିଏ କୌଣସିମତେ ଦେଇପାରିବି ନାହିଁ କହିବା ସେତ୍ତ୍ୱ ମୋ ନାଆଁ ଛପା ହେଲା ଆସନ୍ତା ବିଶେଷ ସଂଖ୍ୟାର ଲେଖକ ସୂଚୀରେ । ମୁଁ ପ୍ରତିବାଦ କରିବାକୁ ଚାହିଁଲି ନାହିଁ । ବୁଝିଲି ତା’ର କାରଣ କଣ । କିଭଳି ଆକର୍ଷଣ ରହିଛି ମୋ ନାଆଁର, ସେମାନଙ୍କ ସାହିତ୍ୟ ବ୍ୟବସାୟକୁ ସମୃଦ୍ଧ କରିବା ପାଇଁ ।