ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧ୍ୟାପିକା ତାଙ୍କର ଜଣେ କଲିଗ ସହ ଆସୁଥିବାର ଦେଖି ଅବକାଶ କହିଲା, ‘ଆରେ ହଁ ମୁଁ ଭୁଲିଯାଇଛି । ଏନ୍ଥ୍ରୋପୋ ଏଠି ବସି ୟୁ.ପି.ଏସ୍.ସି. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି ସେ ପଟେ ସେ ଗୋଟେ ନାଗା ଝିଅକୁ ବାହା ହୋଇଛି, ୟାକୁ ଖବର ବି ଦେଇନି ।’ ‘କିଏ, ସିଦ୍ଧାର୍ଥ?’ ‘ହଁ, ଆଉ ଏନ୍ଥ୍ରୋପୋ ମୋତେ ଖବର କାଗଜରୁ ତଟକା ଘଟନା ସବୁ ମନେ ରଖିବା ପାଇଁ କହୁଥିଲା ।’ ସେମାନେ ମୁହଁ ସେପଟେ କରି ଚାଲି ଯାଉଥିଲେ । ଅବକାଶ ଡାକିବ କି ଭାବି ଗୋଟାଏ ପାଦ ଆଗକୁ ଯାଇ ପୁଣି ଫେରି ଆସିଲା । ସେମାନେ ଫେନ୍ସି ଷ୍ଟୋର୍କୁ ଚାଲିଯାଉଥିଲେ । ହୁଏତ ଅମୂଲ ସ୍ପ୍ରେର ଡାକ ଶୁଭିଥିବ । ହୁଏତ ଫେନ୍ସିଷ୍ଟୋର୍ ଚକ୍ ଚକ୍ ହାତଠାରି ଡାକିଥିବ । ହୁଏତ ଏପରି ହୋଇପାରେ ଯେ କିଛି ବି କାମ ନ ଥାଇପାରେ । କିମ୍ବା ହୁଏତ... କିମ୍ବା ହୁଏତ.... ଅବକାଶ ଦେଖିଲା ପାଖରେ ଲଟେରି ଟିକେଟର ଡାକ ଶୁଭୁଛି ଏବଂ ଲୋକଟିଏ ବିକଳିଆ ସ୍ୱରରେ ତା ଟିକଟ ଦେଖାଇ ନମ୍ବର ମିଳାଇବା ପାଇଁ ନେହୁରା ହେଉଛି । ଅଥଚ ଟିକେଟବାଲା ୟାକୁ ଦୃଷ୍ଟି ନ ଦେଇ ଆହୁରି ଜୋର୍ରେ କହୁଛି, “ଆପଣ ଯାହାକୁ ଭାଗ୍ୟବାନ୍ ବା ଭାଗ୍ୟବତୀ ବୋଲି ଭାବୁଛନ୍ତି ପିଲା ବୁଢ଼ାବାପା, ମା, ଭାଇ, ବନ୍ଧୁ କୁଟୁଂବ ତାଙ୍କ ନାଁରେ ଟିକଟ କିଣଂତୁ । ଥରେ ଲାଗିଲେ ଷାଠିଏ ଲକ୍ଷ ଟଙ୍କା । ଟିକଟ ନେଲାବେଳେ ଆପଣଙ୍କ ନାଁ ଗାଁ ଜିଲ୍ଲା ପୋଷ୍ଟ ଠିକ୍ ଦିଅନ୍ତୁ, ଲଟେରି ଲାଗିଲେ ଖବର ଯିବ, ମନେ ରଖନ୍ତୁ ଷାଠିଏ ଲକ୍ଷ ଟଙ୍କା ।’’ ଯେପରି କହୁଛି ଲୋକଙ୍କ ଦେହରୁ ପାଏ ରକ୍ତ ଶୋଷି ନେଇ ସତେ ଯେପରି ସେମାନଙ୍କ ନାଁରେ ଷାଠିଏ ଲକ୍ଷ ଟଙ୍କାର ନମ୍ବରଟା ଲାଗି ସାରିଛି । କେବଳ ସେମାନେ ଟିକଟଟିଏ କିଣିବା ବାକି ଅଛି । ଚିଲିକା ଆଇସ୍କ୍ରିମ୍ କିଣିଲା ଓ ଦୁହେଁ ପୁଣି ଆଗକୁ ପାଦ ବଢ଼ାଇଲେ । ଥଣ୍ଡା ଆଇସ୍କ୍ରିମ୍ର ଥଣ୍ଡା ଶଶ ଦେହାଭ୍ୟଂତରକୁ ଶିର୍ଶିରେଇ ଯାଉଥିଲା । ଯେମିତି ଦୁଃଖ ଚରିଯାଏ ଦେହସାରା । ଏମାନେ ଲଟେରି ଟିକେଟର ଡାକ, ଅମୂଲ ସ୍ପ୍ରେର କୋଳାହଳ ଓ ପାଦଚିହ୍ନ ଛାଡ଼ି ଆସୁଥିଲେ । କୋଳାହଳ ନିରବି ଯାଉଥିଲା । ମେଷ ଶାବକ ଦୁଇଟି ଆଗଉଥିଲେ ଯୋଡ଼ା ଯୋଡ଼ା ଆଖି ଅତିକ୍ରମି । ଏଇ ହଜାରଯୋଡ଼ା ଆଖିସବୁ ଜେଲର ରେଲିଂ ପରି । ସବୁ ସ୍ୱାଧୀନତା ତା ପଛରେ । ଆଖିସବୁ ଧର୍ଷଣ କରି ଦିଅନ୍ତି ତୁମର ଦେହମନକୁ । ତମେ ସବୁ ସଙ୍କୁଚିତ ହୋଇଯାଅ । ନିର୍ବୋଧ ହୋଇଯାଅ । ବିରାଡ଼ି ପରି ପୋଷାମାନ । ଏଇ ଯୋଡ଼ା ଯୋଡ଼ା ଅଜଣା ଆଖି ସାମ୍ନାରେ ତମେ ଆଉ ତମେ ହୋଇ ରୁହନା । ଆଖି ଗୁଡ଼ାକ ତୁମ ଅସ୍ତିତ୍ୱ ଶୋଷି ପକାନ୍ତି ଏବଂ ତମେ ଏକ ପ୍ରୋକ୍ସି ହୋଇଯାଅ । ତମେ ଯାହା ନୁହଁ, ତାହା ଏବଂ ଯାହା, ତାହା ନୁହଁ ହୋଇଯାଅ । ଏକା ଥିଲେ, ଅନ୍ଧାରରେ ଥିଲେ ଏବଂ ଏଇ ଆଖି ପଛରେ ଥିଲେ ତୁମେ କେତେ ନିଜେ ନିଜର, ଖୋଲା, ମୁକୁଳା ଓ ସ୍ୱଚ୍ଛ । ଅଥଚ ଏବେ ଦେଖ ଆଖିମାନଙ୍କର ରେଲିଂ ସାମନାରେ ତମେ ନିଜର ନୁହଁ, ଅନ୍ୟର, ଗଣ୍ୟମାନ୍ୟ, ଭଦ୍ର, ସଙ୍କୁଚିତ ଆଉ କେହି । ଗପ ଶୁଣିବ, ଗପ? ସେଇ ନଗରୀ, ପ୍ଲେଗ୍ରୋଗ କଥା, ବଂଶୀବାଦକର କଥା, ମୂଷାଂକ କଥା ଶୁଣିବ? ଏକଦା ଚାରିଶହ କିମ୍ବା ଚାରି ହଜାର ବର୍ଷ ତଳେ ପ୍ଲେଗ୍ ରୋଗ ବ୍ୟାପିଥିଲା । ଜିଅନ୍ତା ଲୋକେ ଶବ ପାଲଟି ଯାଉଥିଲେ । ଜିଉଁଥିବା ଜୀବନରୁ ଗୋଟି ଗୋଟି ହୋଇ ଓହରି ଓହରି ଯାଉଥିଲେ । ଯେପରି ପ୍ରେତଙ୍କ ଲୀଳା ଲାଗିଥିଲା । ଏବଂ ହଠାତ୍ ଦିନେ... ହଠାତ୍ ଦିନେ ଜଣେ ବଂଶୀବାଦକ ଆବିର୍ଭାବ ହେଲା । ବଂଶୀ ବଜାଇଲା ଠିକ୍ ବଜାର ମଝିରେ ଛିଡ଼ା ହୋଇ । ଜିଅନ୍ତା ଲୋକେ କିଛି ସମୟ ପାଇଁ ପ୍ଲେଗ୍କୁ ବି ଭୂଲିଗଲେ । ମୂଷା ମାନଙ୍କୁ ବି ମନେ ପକାଇବାକୁ ଚାହିଁଲେ ନାହିଁ । ଅଥଚ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ମୂଷାମାନଙ୍କୁ ଦେଖି । ସେମାନଙ୍କ ହାବଭାବ ଦେଖି । ମୂଷାମାନେ ସମସ୍ତେ ଗୋଟି ଗୋଟି ହୋଇ ତାର ବଂଶୀ ଶୁଣିବା ପାଇଁ ଘେରିଗଲେ । ନଗରୀର ସମସ୍ତ ମୂଷା । ସେମାନେ ଘେରିଯାଇଥିଲେ ଓ ଦୁଇଟି ପଛଗୋଡ଼ରେ ଛିଡ଼ା ହୋଇ ତନ୍ମୟି ଯାଇଥିଲେ । ବଂଶୀବାଦକ କାହାକୁ କିଛି କହିଲାନି କାହାକୁ ଚାହିଁଲା ନାଇଁ ବି । ଅଥଚ ପାଦ ବଢ଼ାଇ ଆଗକୁ ଗଲା ଏବଂ ମୂଷାମାନେ ତା ପଛେ ପଛେ । ବଂଶୀବାଦକ ତା ସୁର ସହିତ ଆଗେ ଆଗେ ଓ ପଛେ ପଛେ ମୂଷା । ଆଗେ ଆଗେ ଓ ପଛେ ପଛେ । ଆଗରେ ନଦୀ । ବଂଶୀବାଦକ ନଦୀ ପାର ହେଲା । ଏବଂ ମୂଷାମାନେ ବି ପାଣିକୁ ଖାତିର କଲେ ନାଇଁ, ସ୍ରୋତକୁ ଖାତିର କଲେ ନାଇଁ ଓ ନଦୀ ପାର ହେଲେ । ନଦୀ ସେପଟେ, ନଗରୀ ସେ ପଟେ ସମସ୍ତ ପ୍ଲେଗବାହକ ଯିବା ପରେ ବଂଶୀବାଦକର ସୁର ବନ୍ଦ ହେଲା । ବଂଶୀବାଦକ ଉଭେଇଗଲା । ତା ସୁର ହଜିଗଲା । ମୂଷାମାନେ ଛିନ୍ନଛତ୍ର । ନଦୀ ଏପଟେ ଆସିବା ଆଉ ସମ୍ଭବ ନ ଥିଲା । ପରେ ହୁଏତ ସେମାନେ ନିଜ ନିଜ ଭିତରେ କୁହାକୁହି ହୋଇ ଭିଡ଼ ଭାବେ ମୃତ୍ୟୁ ଲଭିଥିବେ ।