ପୃଷ୍ଠା:Hada bagicha.pdf/୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେ ଚିଲିକା ଓ ଅବକାଶ ପାଠଗାର ଭିତରକୁ ଗଲେ । ଉପର ମହଲାର ଝରକା ପାଖରେ ଛିଡ଼ା ହେଲେ କିଛି ସମୟ । ଆକାଶକୁ ଦେଖିଲେ । ଦୁଇ ସ୍ତର ମେଘ- କୁମୁଲସ୍ ଓ ତା ଉପରେ ସାଇରସ୍ । କୁମୁଲସ୍ ମେଘ ଗୋଟେ ମହାବଳ ବାଘ ପରି ଦେଖାଯାଉଛି । ଯେମିତି ଏବେ ମାଡ଼ି ଆସିବ । ଖାଇଯିବ ଯାହାକୁ ପାରିବ । ତା ତଳେ ଦୁଇଟି ପକ୍ଷୀ ବିନ୍ଦୁ ଝୁଲି ପଡ଼ିଥଲେ । ବାଘର ଠିକ୍ ଆଁ ପାଖରେ । ଏ ପକ୍ଷୀ ପଳାଅ ପଳାଅ ନ ହେଲେ ମରିବ, ଅକାରଣେ । କୁଆଡ଼େ ହେଲେ ଯିବେ? ମହାବଳ ବାଘର ଆଁ ଭିତରୁ ମୁକୁଳିବା କ’ଣ ଏତେ ସହଜ? ଥାଅ ଥାଅ ଭାଗ୍ୟକୁ ଆଦରି । ତଳକୁ ଆସୁନ କାହିଁକି? ମର । ଚିଲିକା ଝାଳ ବୁନ୍ଦାରେ ଝିଲିଝିଲି ମିଲିମିଲି କରୁଥିବା ମୁହଁଟା ପୋଛୁଥିଲା ରୁମାଲରେ । ବ୍ଲାଉଜର ପିଠିଟା କିମ୍ବା ପିଠିର ବ୍ଲାଉଜଟା ଓଦା ହୋଇ ଗାଢ଼ ହୋଇଯାଏ । ତା କଟା ନଖର ମଝି ଆଂଗୁଳିରେ ବ୍ଲାଉଜକୁ ସାମାନ୍ୟ ଟାଣି ଭିତରକୁ ଫୁଙ୍କିଦେଲା ଦିଥର । ଚଟି ଖୋଲି ରିଲେକ୍ସ୍ ମୁଡ୍ରେ ବସି ପଡ଼ିଲା ଚୌକି ଦେହରେ । ପବନ ଖାଇଲା ଫେନ୍ର । ଅବକାଶ ଏଯାଏଁ ଆଇସକ୍ରିମର କାଠିଟା ଧରିଥିଲା । ତାକୁ ତଳକୁ ଫିଙ୍ଗିଦେଇ ସହରକୁ ଦେଖିଲା । ଶୂନ୍ୟ ନିସ୍ତବ୍ଧ ଲାଗୁଥିଲା ସହରଟା । ଟ୍ରକର ଧୂଳି ନାଇଁ ଅମୂଲସ୍ପ୍ରେର କୋଳାହଳ ନାଇଁ ଲଟେରି ଟିକେଟର ଡାକ ନାଇଁ । ଅଥଚ ସହରଟା ପ୍ରକୃତରେ ଗୋଳେଇ ଘାଂଟି ହେଉଥିବା ଜୀବନର କକ୍ଟେଲ । କ୍ଷୁଦ୍ର ମଣିଷଟେ କେତେ ବଞ୍ଚି ପାରିବ ଏଠି । ଅବକାଶ ଦେଖିଲା ତଳେ ପାଖ ହୋଟେଲ ଆଗରେ ଚାରୋଟି ସାଇକେଲ ଓ ଦୁଇଟି ବୁଲେଟ୍ ରଖାହୋଇଛି । ଅବକାଶ ପୁଣି ଦେଖୁଛି ଯେ କୁକୁରଟିଏ ଜିଭ ଲମ୍ବାଇ ଆସି ବୁଲେଟର ଚକରେ ଗୋଡ଼ ଟେକାଇ ସାମାନ୍ୟ ଚର୍ ଚର୍ ମୁତି ଦେଇ ଚାଲିଯାଉଛି ନିର୍ବିକାରରେ । ତାର ମନେ ପଡ଼ିଲା ଅନେକ ଦିନ ତଳେ ସାଇକେଲ୍ରେ ଆଉଜାଇ ଜଣେ ବନ୍ଧୁଙ୍କ ସହ କଥା ହେବାବେଳେ ତା ବାଁ ଗୋଡ଼ ପେଣ୍ଟରେ କୁକୁର ମୁତି ଦେଇ ଚାଲି ଯାଇଥିଲା । ତା ଯୋତା ଭିତରଟା ଓଦା ଲାଗିଲା ପରେ ଜାଣିଲା ଏ ଭିତରେ କିଛି ଗୋଟେ ଦୁର୍ଘଟନା ଘଟିଗଲାଣି । ବର୍ତମାନ ହଠାତ୍ ତଳ ହୋଟେଲ ଭିତରୁ ଟେବୁଲ୍ ବାଡ଼ିଆପିଟା ହୋହଲ୍ଲା ଶବ୍ଦ ଶୁଣି ସେପଟେ ନଜର ଦେଲା । ଘଟନା କ’ଣ ବୁଝିବାକୁ ବେଶୀ ସମୟ ନେଲା ନାଇଁ । ବହୁତ ଦୂରରୁ ପିଲାଟିଏ ଦୌଡ଼ି ଦୌଡ଼ି ଝାଳନାଳ ହୋଇ ‘କ’ଣ ହେଲା, ଆଉଟ? କ’ଣ ହେଲା, ଆଉଟ?’ କହି କହି ହୋଟେଲ ଭିତରକୁ ଧସିମାଡ଼ି ଗଲା । ସେଠି କ’ଣ ଚାଲିଛି ଜାଣିପାରି ଅବକାଶ ବସି ପଡ଼ିଲା ଚୌକିରେ । ଚିଲିକା ପଚାରିଲା, ‘କ’ଣ ହେଲା?’ ଅବକାଶ କହିଲା, ‘ଆଉଟ’ । ଦୁହେଁ ବୁଝିଲେ ଏବଂ ଚୁପ୍ । ସମୟ ଦେଖିଲା ଅବକାଶ ତିନିଟା ତିନି । ଚିଲିକାକୁ ସମୟ ପଚାରିଲା । ଚିଲିକା କହିଲା, ‘ତିନିଟା ଏଗାର’ । କାହା ସମୟ ଠିକ୍? ଚିଲିକା କହିଲା, ‘ମୋର’ ଓ ଅବକାଶ କହିଲା ‘ମୋର’ । ଦୁହେଁ ପୁଣି ପଚାରିଲେ ‘ସମୟ କେତେ?’ ଏବଂ ନିଜ ନିଜର ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଘୂରାଇ ଘୂରାଇ ସମୟର ମାପ ବଦଳାଇଲେ । ପାଞ୍ଚଟା ପନ୍ଦର, ଛ’ଟା କୋଡ଼ିଏ, ସାତଟା ପଚିଶ, ଆଠଟା, ନଅଟା, ଦଶ, ଏଗାର, ବାର ଏକ ଦୁଇ ତିନ କେତେବେଳେ ବି ଶୂନ ଆସିଲା ନାହିଁ । ଶୂନ କାହିଁକି ବାଜି ପାରିବ ନାହିଁ ଯେ? ଚିଲିକା ପଚାରିଲା, ‘ଖବର କାଗଜ ପଢ଼ିବା? କରେଣ୍ଟ ଆଫାୟାର?’ ଚୌକି ଦେହରେ ନିଜକୁ ଲଦି ଖବର କାଗଜଟିଏ ଟାଣିଲା ଅବକାଶ । ତା ରଙ୍ଗ ଦେଖିଲା କାଦୁଅପରି । ପ୍ରଥମ ପୃଷ୍ଠାର କୌଣସି ଅକ୍ଷର ଉପରେ ନଜର ପଡ଼ିଲା । ପୃଷ୍ଠାଟି ଓଲଟାଇବା ଭିତରେ ଗୁଡ଼ାଏ ଅନାବନା ଶବ୍ଦ ଉପରେ ଆଖି ଘୁରିଗଲା । ହତ୍ୟା-ପାର୍ଲାମେଣ୍ଟ-ସାହିତ୍ୟ-ମ୍ୟୁନସିପାଲଟି-ଲେବାନନ୍-ମହାକାଶ-ଏମିତି କେତେ । ଭିତର ପୃଷ୍ଠା । ମୁଣ୍ଡବିନ୍ଧାର ଯନ୍ତ୍ରଣା, କ୍ଳାରେସିଲର ମୁହଁ, ଭିକୋବଜ୍ରଦନ୍ତିର ଦାନ୍ତ, ଇନ୍ସୁରେସ୍ କମ୍ପାନୀର ଶିଶୁ, ଜିନପୋଷାକର ଉଗ୍ର ନାରୀଟିଏ । ପୁଣି ପ୍ରଥମ ପୃଷ୍ଠା, ‘ବିରୁଟରେ ଇସ୍ରାଏଲି ବୋମାବୃଷ୍ଟି ଅବ୍ୟାହତ, ଆମ ସ୍ୱତନ୍ତ୍ର ପ୍ରତିନିଧିଙ୍କ ଠାରୁ, ବିରୁଟ ୨୪/୭ ପି.ଟି.- ଇସ୍ରାଏଲ ପକ୍ଷରୁ ଦ୍ୱିତୀୟଦିନ ପାଇଁ ଲେବାନନ୍ର ବିରୁଟ୍ ଉପରେ ପ୍ରବଳ ବୋମା ବର୍ଷଣ କରାଯାଇଛି । ବିରୁଟର ପ୍ରଧାନ ଘାଟି ଗୁଡ଼ିକ ଉପରେ ହିଁ ମୁଖ୍ୟତଃ ଆକ୍ରମଣ ହୋଇଥିଲା । କିନ୍ତୁ ଏଥିରେ କେତେ କ’ଣ କ୍ଷୟକ୍ଷତି ହୋଇଛି ବା କେତେ ମୃତାହତ ହୋଇଛନ୍ତି ତାହା ଜଣାଯାଇ ନାହିଁ । (ଦେଖନ୍ତୁ ସଂପାଦକୀୟ) ଅବକାଶ ଆହୁରିତଳକୁ ପଢ଼ିବାକୁ ଇଚ୍ଛାକଲା ନାହିଁ ଏବଂ କାଗଜଟାକୁ ସାମାନ୍ୟ ଦୂରକୁ ଠେଲି ଦେଲା । ନିଜେ ବସିଥିବା ଚୌକିକୁ ଦେଖିଲା । ଚୌକିର ହାତରେ ଗୁଡ଼ାଏ ଧୂଳିଗୁଂଡ ସବୁ ଲାଗିଥିଲା । ତାକୁ ଫୁଙ୍କି ଦେଇ କହୁଣିକୁ ନେଇ ତା ଉପରେ ଥୋଇଲା । କହୁଣିକୁ ପୁଣି ବଙ୍କାଇ ଦେଖିଲା ସେଠି ଆଗରୁ ହିଁ ମଇଳା ଲାଗି ଛୋଟ ମାନଚିତ୍ରଟିଏ ହୋଇଛି । ଚିଲିକାକୁ ଦେଖିଲା । ଚିଲିକା ତା ପଟକୁ ମୁହଁକରି କହିଲା, ‘ଶୁଣ ତଟକା ଖବର । ରାଜଧାନୀର ସଚିବାଳୟ ହତା ମଧ୍ୟରେ ଅନ୍ଧୁଣୀ ବାଳିକାକୁ ଧର୍ଷଣ । ଅଭିଯୁକ୍ତ ଆସାମୀ ଫେରାର । ପୋଲିସ୍ ନିଷ୍କ୍ରିୟ ।’ ‘ଥାଉ ଆଉ ପଢ଼ିବା ଦରକାର ନାହିଁ’ ଅବକାଶ କହିଲା, ‘ତୁମକୁ ଏସବୁ ଖବର କେମିତି ଲାଗେ ଚିଲିକା?’