ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାବଦରେ । ଶିକ୍ଷା ଦେଉଥିଲେ ମୋରାଲିଟି ବାବଦରେ । ତାର ଯେମିତି ନୈତିକତା ବିଷୟରେ ସେମାନଙ୍କ ଠାରୁ ହିଁ ଶିଖିବାର ଥିଲା । ପ୍ରାୟ ଦୁଇମାସ ଯାଏ ଚିଲିକା ବ୍ଲାଉଜ ପିନ୍ଧିପାରି ନଥିଲା । ଗୋଲ ବେକର ସ୍ୱେଟର ଲଗାଇ ପାରୁ ନ ଥିଲା । ବେକଯାଏ ଚାଦର ଘୋଡ଼ାଇ ଶୋଇ ପାରୁ ନଥିଲା । ଚୌକିରେ ଆଉଜାଇ ବସି ପାରୁ ନଥିଲା । ସିଧାସଳଖ ଛିଡ଼ା ହେବାବି ସମ୍ଭବ ନଥିଲା । ସେ ଦିନର ଦୁଇଘଣ୍ଟାର ଡାଏରୀ କେତେ ନିଷ୍ଠୁର ଓ ଭୟଙ୍କର, କେତେ ବିଭତ୍ସ ଓ ନାରକୀୟ ଭାବିଲେ ଭାବି ହୁଏନି । ଧର୍ଷଣ ପରେ ନାରୀ କିପରି ଦେଖାଯାଏ? ଯେପରି ବୋମାମାଡ଼ ପରେ ଲେବାନନ୍ଟିଏ । ଏଇଟା ଏବେ ରସେଲ ଷ୍ଟ୍ରିଟ । ସୂର୍ଯ୍ୟ ପ୍ରତିଦିନ ଏଇ ରାସ୍ତାରେ ଶେଷାଂଶରେ ହଁ ଅସ୍ତ ହୁଏ । ଏମାନେ ଏବେ ଅସ୍ତାୟମାନ ସୂର୍ଯ୍ୟ ଆଡ଼କୁ ଆଗଉଥିଲେ । ପଛରେ ଲମ୍ବି ଯାଉଥିଲା ଛାଇ କାଭେଂଡର କମ୍ପାନୀର ସେଇ ଡେଙ୍ଗା ଲୋକପରି । ମଣିଷଠୁ ତା ଛାଇ ଗୁଡାକ କେତେ ଲମ୍ବ । ପୃଥିବୀରେ ଯଦି ଛାଇ ବିହୀନ ମଣିଷ ହିଁ ଥାନ୍ତେ? ଗଛଙ୍କ ଛାଇ ଥାନ୍ତା, ପଶୁପକ୍ଷୀ ମେଘର ଛାଇ ଥାନ୍ତା କିନ୍ତୁ ମଣିଷର ନ ଥାନ୍ତା ଯଦି!! ମଣିଷ ଆଉ ଲୁଚକାଳି ଖେଳିପାରୁ ନ ଥାନ୍ତା । ଅନ୍ତତଃ ନିଜ ସାଙ୍ଗରେ କେବେ ନୁହେଁ । ସାମନାରୁ ଦଳେ ପ୍ରଥମ ଦ୍ୱିତୀୟ ବର୍ଷ ଛାତ୍ରୀ କଲେଜ ସାରି ଫେରୁଥିଲେ ସଞ୍ଜର ସ୍ୱର ନେଇ । ଯେମିତି ବସାକୁ ବାହୁଡୁଥିବା ପକ୍ଷୀର କିଚିରି ମିଚିରି । ଏମାନଙ୍କୁ ଦେଖିବା ପରେ ସ୍ୱରସବୁ ପତଳା କରି ଆପେ ଆପେ ନିଜକୁ ନିରବେଇ ଦେଲେ । ଛୋଟ ଝିଅ ଗୁଡ଼ାକ ଯେମିତି ଏ ଫର୍ ଏପ୍ଲ ବି ଫର୍ ବେଗ୍ କହୁ କହୁ ଇ ଫର୍ ଯାଗାରେ ନିଜକୁ ଅଟକେଇ ଦିଅନ୍ତି ‘ଇଂଜିନ’ କହିବା ପାଇଁ ଜିଭ ପଲଟେଇ ନ ପାରି । ସେମାନେ ଅତିକ୍ରମ କରି ଚାଲିଗଲେ ପୁଣି ନିଜ ନିଜର ସ୍ୱର ଫେରାଇ । ଟିକିଏ ଆଗରେ ଟ୍ରାଫିକ୍ ପୋଷ୍ଟ ଉପରେ ପୋଲିସ୍ଟିଏ ଧଳା ଖୋଳପା ଭିତରେ ସଢ଼ି ଯାଇଛି । ଏବେ ସେପଟୁ ଡ୍ରାଗନ ଆସୁଛି ଏବଂ ଟ୍ରାଫିକ୍ ପୋଲିସ ପାଲଟୁଛି ଯୀଶୁଖ୍ରୀଷ୍ଟ । ପୁଣି ଯୀଶୁ ପୁଣି ଖ୍ରୀଷ୍ଟ ପୁଣି ଡ୍ରିଲ କରୁଛି ପୁଣି ସଢ଼ି ଯାଉଛି । ପୁଣି ପଚି ଯାଉଛି ଏବଂ ଶବ ମୁଦ୍ରା ହେଉଛି । ହ୍ୱିସିଲ ମାରୁଛି, ହ୍ୱିସିଲ ମାରୁନି । ଡ୍ରିଲ କରୁଛି । ସାବଧାନ ବିଶ୍ରାମ କରୁଛି । ଯେମିତି ଗୋଟେ ଖେଳନା ପୋଲିସ । ଅବକାଶକୁ ଏସବୁ ଦେଖିବାକୁ ଖୁବ୍ ଭଲଲାଗେ । ଛିଡ଼ାହୋଇ ତା ହାବଭାବ ଦେଖିଲେ କିଛି ସମୟ । କେହି ଜଣେ ଅବକାଶକୁ ‘ହେଲୋ’ କହି ଚାଲିଗଲା । ଅବକାଶ ଜାଣିପାରିଲା ନାଇଁ ମୋଟେ ସାଇକେଲର ପଛପଟେ ବସିଥିବା ବ୍ୟକ୍ତିଟି ଟିଏ । ପୁଣି ଦୁହେଁ ଆଗକୁ ବଢ଼ିଲେ । ଚିଲିକା ପଚାରିଲା ‘କାଲି ସକାଳେ କେତେବେଳେ ଯିବା ଜେଲରଙ୍କ ଘରକୁ?’ ‘ଆଠଟାରେ । ମୁଁ ଗତକାଲି କଥା ହୋଇଥିଲି ।’ ଅବକାଶ କହିଲା । ଟିକିଏ ଆଗରେ ଶିଶୁ ଉଦ୍ୟାନ । ସବୁଜ ଉଦ୍ୟାନ । ଏଠି ସବୁଦିନେ ଫଗୁଣ । ଗ୍ରୀଷ୍ମ ଯେମିତି ଥାଏ ଏ ଯାଏଁ ପ୍ରଜାପତି ଛୁଇଁ ନ ଥିବା ଶିଶୁଫୁଲର ଅକ୍ଷତ ଅନ୍ଧକାରର ଗର୍ଭରେ । ପ୍ରଜାପତି ପିଠିରେ ଚଢ଼ି ବର୍ଷା ଆସେ ହାଡୁଆ ଫୁଲର କୋଷ ପଞ୍ଜରା ଥରାଇ । ଆକ୍ୱାରିୟମ୍କୁ ଭର୍ତି କରିଦିଏ ରଙ୍ଗିନ ମାଛରେ । ମାଛମାନେ ପହଁରି ଯାଉଥାନ୍ତି ବେଲୁନ ପରି । ପକ୍ଷୀ ଫୁଲ ପ୍ରଜାପତି ମାଛ ଓ ଶିଶୁଙ୍କ ଗହଣରେ ଉଦ୍ୟାନଟି ହସୁଥାଏ ଅହରହ । ଭିତରକୁ ଗଲେ ଚିଲିକା ଓ ଅବକାଶ । ଉଦ୍ୟାନ ଭିତରେ କାହାକୁ ଯଦି ପଚରାଯାଏ ଆଳୁ କେ.ଜି. ଦାମ୍ କେତେ ବା କିରୋସିନି ଲିଟର ପ୍ରତି କେତେ ସେ କ’ଣ କହିପାରିବ? ପାରିବ । କାରଣ ଏବେ ଦିଜଣ ଅଭିଭାବକ- ହୁଏତ ଦୁଇଜଣଙ୍କ ବାପାମା କିମ୍ବା ଜଣଙ୍କ ମାବାପା- ଫୁସୁର ଫାସୁର ହେଉଥିଲେ ଆଳୁ ରେସନ କିରୋସିନି ରେସନ, ଚାକରଙ୍କ ବଢ଼ିଥିବା ଦରମା, ଗାଡ଼ିର ତେଲ ଖର୍ଚ୍ଚ ଏବଂ ମନେ ପକାଇବାକୁ ବି ଚାହୁଁ ନ ଥିଲେ ପକ୍ଷୀ ଫୁଲ ପ୍ରଜାପତି ଏବଂ ନିଜ ନିଜର ଶିଶୁଙ୍କୁ ବି । ଏମିତି ବି ମଣିଷ ଥାଆନ୍ତି ଯେଉଁମାନେ ଫୁଲ ଓ ରେସନ୍ କାର୍ଡ଼, ପକ୍ଷୀ ଓ ଅମୂଲସ୍ପ୍ରେ, ଲୁହ ଓ କିରୋସିନି ମଧ୍ୟରେ ପାର୍ଥକ୍ୟ ଜାଣି ପାରନ୍ତି ନାହିଁ । ଶିଶୁ ଉଦ୍ୟାନ ବି ମଲାମୂଷା ପରି ଗନ୍ଧାଏ ସେମାନଙ୍କୁ । ନିଜ ଦେହରେ ଗୁଡ଼ାଇ ହୋଇଥିବା ମରୁଭୂଇଁକୁ ସଜାଡ଼ି ଆଣିଲା ଚିଲିକା । ମରୁଭୂଇଁର ତରଙ୍ଗକୁ ବି । ‘ଚାଲଯିବା ଏଠୁ’ କହିଲା ଏବଂ ଦୁହେଁ ଦୋଳିରୁ ଉଠି ଗେଟ୍ ଖୋଲାଥିବା ରାସ୍ତାରେ ନ ବାହାରି ଅନ୍ୟପଟେ ବନ୍ଦଥିବା ଗେଟ୍ ଡେଇଁ ବାହାରକୁ ଆସିଲେ । ଟିକେ ପରେ ସେମାନେ ଥିଲେ କେକଟସ୍ର ଅରଣ୍ୟରେ । ଚୁପଚାପ କଫି ପିଇଲେ ଦଶମିନିଟ୍ । ସବୁକିଛି ନିରବ ନିଶ୍ଚଳ ଥିଲା । ଚୌକି ଚିଲିକା ଟେବୁଲ ଅବକାଶ ପଲଙ୍କ ପଙ୍ଖା ବୁଢ଼ିଆଣୀ ଅକ୍ଟୋପସ୍ କବାଟ ଝରକା ସବୁ କିଛି ନିରବ । ବାହାରୁ ଆସୁ ନ ଥିଲା ସ୍ୱରବର୍ଣ ବ୍ୟଜଂନବର୍ଣ ନା ଆସୁଥିଲା ଦନ୍ତ-ସ, ତାଳବ୍ୟ- ଶ, ମୂର୍ଧଣ୍ୟ-ଷ ର ସ୍ୱର ନା କାହାର ଝରକା ଡେଇଁ କରିଡର୍ ଡେଇଁ ଆସୁଥିଲା ଅନୁସ୍ୱାର ବା ଚନ୍ଦ୍ରବିନ୍ଦୁର ଧ୍ୱନି । ସମୁଦାୟ ଜଗତଟା ଯେମିତି ନିରବ । ଗୋଟେ କୋଡ଼ିଏ ବାଇ ଷୋହଳ ବାଇ ତେରର ଆୟତଘନର ନିରବତାରେ ସଭିଏଁ ନିରବ ଆରଣ୍ୟକ । କେକ୍ଟସର ଅରଣ୍ୟରେ ଏବେ ସ୍ୱାଦ ନାଇଁ ଗନ୍ଧନାଇଁ ଜୁଆର ନାଇଁ କି ତରଙ୍ଗ ନାଇଁ । ସ୍ମୃତି ସ୍ରୋତ ଶାନ୍ତ୍ୱନା ସମ୍ ସନ୍ଧି ସମ୍ଭାବନା ସଭିଏଁ ଶୁନ୍ । କେକ୍ଟସର ଅରଣ୍ୟ ଏବେ