ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାନ୍ଥ ଗୁଡ଼ାକ ଅନ୍ୟ କାନ୍ଥ ସାଥିରେ କବାଟ ଗୁଡ଼ାକ ଝରକା ସାଥିରେ କଥାବାର୍ତା କରିବା ଆରମ୍ଭ କରିଦେଲେ । ଟେବୁଲ ବି ଚୌକି ପଲଙ୍କ ସାଥିରେ ବୁଲାବୁଲି କରିବା ଆରମ୍ଭ କରିଦେଲେ । ଭାରତି ଶୀବାଜି ଓ ସାସ୍ୱତି ସେନ ନିଜନିଜ ଫ୍ରିଜ୍ ମୁଦ୍ରାରୁ ଓହରି ଆସି ନୃତ୍ୟ ନିମଗ୍ନ ହେଲେ । ସାର୍ତ ମାର୍କସ୍ ରସେଲ ହାତ ଧରାଧରି ହୋଇ କୋଳାକୋଳି ହେଲେ ଗସିପ୍ କଲେ, ବିଳିବିଳେଇଲେ । ଚିଲିକା ତା ଚୌକିରେ ବସିଛି ଆଉ ଚୌକିଟି ତାକୁ ନେଇଯାଉଛି ଦୂରକୁ । ଅବକାଶର ଚୌକିଟାବି ତା ବାହନ ସାଜିଛି । ସମସ୍ତେ ଅମାନିଆ ହୋଇ ଯାଉଛନ୍ତି । ରୁହ କହିଲେ ରହୁ ନାହାନ୍ତି । ଗାଳିଦେଲେ ହସୁଛନ୍ତି । ଚୁପ୍ କହିଲେ ପାଟି କରୁଛନ୍ତି । ନିରବତାକୁ ଭାଙ୍ଗି ରୁଜି ଖୁନ୍ଭିନ୍ କରିଦେଉଛନ୍ତି । କେକ୍ଟସର ଅରଣ୍ୟରେ ଏବେ ଆସିଛି ବିପ୍ଳବ ଓ ବ୍ୟଭିଚାର । ହାତମୁଠା ମାପର ଅଳିଂଦ ଓ ନିଳୟ ବି ଆନ୍ଦୋଳିତ । ମସ୍ତିଷ୍କର ସୂକ୍ଷ୍ମତନ୍ତୁ ସବୁ ଫାଟି ଉପୁଡ଼ି ଯାଚ୍ଛାତା । ଚିଲିକା ଏବେ ବଞ୍ଚୁଛି ସ୍ୱତନ୍ତ୍ର ଭାବେ । ଜୀବନକୁ ପୁଣି ଥରେ ଭଲ ପାଇଛି ନୂଆ ହୋଇ । ପ୍ରତି ସକାଳକୁ ସିଏ ସ୍ୱାଗତ କରୁଛି ନୂଆ ହୋଇ । ଏବେ ସେ ଉପସଂହାର ପାଇଛି ଯେ ଏଠି ସବୁ ଠିକ୍‌ଠାକ୍ ଚାଲିଛି । ସେ ବୁଝିଯାଇଛି ଯେ ଜିଇଁବା ଗୋଟେ କଳା ନୁହେଁ; ସାଧନା ନୁହେଁ, ତପସ୍ୟା ନୁହେଁ । ଜିଇଁବା ମାନେ ଭଗବାନଙ୍କ ଆଗରେ ପାପ ସ୍ୱୀକାର ନୁହେଁ, ପରଜନ୍ମ ପାଇଁ ପ୍ରାର୍ଥନା ନୁହେଁ । ସେ ବୁଝିଯାଇଛି ଜିଇଁବାପାଇଁ ଜୀବନ ଭିକ ମାଗିଲେ ମିଳେନା କି ବଶ୍ୟତାସ୍ୱୀକାର କଲେ ମିଳେନା । ବଞ୍ଚିବା ବି ଏକ ଅଭ୍ୟାସ ନୁହେଁ, ଯେମିତି ଚା ଖାଇବା ଖବରକାଗଜ ପଢ଼ିବା ଏକ ଅଭ୍ୟାସ । ଜିଇଁବା ଏକ ଅଭ୍ୟାସ ନୁହେଁ ଯେମିତି ମରିବା ଏକ ଅଭ୍ୟାସ । ଜିଇଁବା ଏକ ବିପ୍ଳବ, ଗୋଟାଏ ଚେଲେଞ୍ଜ ଗୋଟାଏ ଆଡ୍ଭେନ୍ଚର୍ । ଜୀବନକୁ ବଞ୍ଚା ଯାଏ । ଆଖିର ଆଖିଏ ସ୍ୱପ୍ନକୁ ସ୍ୱୀକାର କଲେ ହେଲା । ଛାତି ଭିତରେ ଶୋଇ ପଡ଼ିଥିବା କଅଁଳା ବାଛୁରୀକୁ ଚହଲାଇ ଦେଲେ ହେଲା । ତମେ ଯେ ବଞ୍ଚିଛ ତାହା ପୃଥିବୀରେ ପବିତ୍ରତମ । ତମେ ସ୍ୱତନ୍ତ୍ର ତମେ ଅନନ୍ୟ ସେଇଥିପାଇଁ ତ ବଞ୍ଚିଛ । ହଜାରେଥର ବୋମାମାଡ଼ ପରେ ଯଦି ଲେବାନନ୍ଟିଏ ଜିଇଁଛି ତେବେ ଧର୍ଷଣ ପରେ ଚିଲିକାଟିଏ ନ ଜିଇଁବ କାହିଁକି? ଚିଲିକା ଲଢ଼ାଇକରି ବଞ୍ଚିଛି, ଆକସ୍ମାତ ନୁହେଁ । ବଞ୍ଚିବାର ରିଜନ୍ ଦାବି କରି ଜିଇଁଛି, ଭିକ୍ଷାକରି ନୁହେଁ । କୌଣସି ବିପରୀତ ମୂଖୀ ଜୀବନ ଦର୍ଶନ ତା ଦୃଷ୍ଟିକୋଣ ବଦଳାଇ କହିପାରିବ ନାହିଁ ଯେ ସେ ଭୁଲ କରୁଛି । ଚିଲିକାର ଜଣେ ବନ୍ଧୁ ଆସିଲେ, ସୁପାର୍ଥ, ରାତି ଗାଡ଼ିରେ ତାଙ୍କର ଯିବାର ଥାଏ । ମା ଘୋଷଣା କଲେ ଖାଇବା ପାଇଁ । ନ’ଟା ପାଖାପାଖି ହେଲାଣି । ଚିଲିକା ସୁପାର୍ଥକୁ ବି ଅନୁରୋଧ କଲା ତାଙ୍କ ସାଥିରେ ଖାଇବା ପାଇଁ । ସୁପାର୍ଥ ହଁ କଲା ଓ ଘଡ଼ି ଦେଖିଲା । ଚିଲିକା ଉଠି ଚାଲିଗଲା ରନ୍ଧାଘର ଆଡ଼େ । ଅନୁକୁ କହିଲା ପାଣି ଦେବାପାଇଁ ଓ ନିଜେ ଅଣ୍ଟାରେ ମରୁଭୂଇଁର କାନିକୁ ବାନ୍ଧି ପାଞ୍ଚ ଛଅ ମିନିଟ ପରେ ବାହାରି ଆସିଲା ହାତରେ ଟ୍ରେ ନେଇ । ତିନି ପ୍ଲେଟ ରୁଟି ତିନି ପ୍ଲେଟ ତରକାରି କିଛି ଭଜା ଆଉ ଚଟଣି । ଥୋଇଲା ଏବଂ ତିନିହେଁ ଖାଇଲେ । ଚୁପଚାପ । ଅବକାଶ ରେଷ୍ଟୁରାଁରେ ଖାଉଥିବା ସେଇ ବର୍ବର ଜାତୀୟ ଦାଢ଼ିପିନ୍ଧା ଆଦି ମାନବକୁ ମନେ ପକାଇଲା । ତା ଖାଇବା ଢଙ୍ଗ ଦେଖିବା ଢଙ୍ଗ । କାଉଂଟରରେ ବସିଥିବା ସମ୍ବାଳୁଆ ଜାତୀୟ ଲୋକକୁ ମନେ ପକାଇଲା । ତା’ ଚାହାଣି, ତା ଭାବରଙ୍ଗ, ତା ଟାଆଁସା ବାଳ । ଚିଲିକାକୁ ଦେଖିଲା ସୁପାର୍ଥକୁ ଦେଖିଲା । ସେମାନେ ତିନୋଟି ଲେଖାଁ ଆଙ୍ଗୁଠିରେ ତରକାରି ଭିଜା ରୁଟିଖଣ୍ଡେ ନେଇ ବନ୍ଦଓଠ ଭିତରକୁ ଠେଲି ଦେଉଛନ୍ତି । ପାକୁଳି କରୁଛନ୍ତି ନିରବରେ । ଓଠ ଖୋଲୁନି ଦାନ୍ତ ଦେଖାଯାଉନି, ନିଃଶବ୍ଦ । ନିରବ ପାକୁଳି କଲାବେଳେ ଏମାନେ କେତେ ନୀରିହ ଦେଖାଯାଉଛନ୍ତି । କିଏ କହିବ ଯେ ଚିଲିକାର ଚେତନା ଅଛି ଓ ଚେତନା ଏମିତି କି ସେମିତି । କିଏ କହିବ ଯେ ଚିଲିକାର ଗୋଟେ ଇତିହାସ ଅଛି? କିଏ କହିବ ଯେ ତା ଛାତିରେ ଗୋଟେ ଲାଲ ବେଂଡେଜ ଅଛି? ସବୁ ମଣିଷ କ’ଣ ଏମିତି ଖାଇଲା ବେଳକୁ ଶିଶୁ ସୁଲଭ ନିରୀହତାରେ ହଜି ଯାଆନ୍ତି? ନିଜେ କିପରି ଦେଖା ଯାଉଛି? ମେଷଶିଶୁ ପରି ନା ଛେଳିଶିଶୁ ପରି ନା ଶଶାଙ୍କ ପରି? ପୁରାଣର ରାକ୍ଷସ ରାକ୍ଷାସୁଣୀ ମାନେ ମଧ୍ୟ ପଶୁପକ୍ଷୀ ମାଂସ ବା ମଣିଷ ମାଂସ ଖାଇଲା ବେଳକୁ କ’ଣ ଏମିତି ନିରୀହ ଦେଖା ଯାଆନ୍ତି? ଦେଖା ଯାଉଥିବେ ନିଶ୍ଚୟ । ତାଙ୍କର ସବୁବେଳେ ଚଗ୍ଚଗ୍ ନିଆଁର ଆଖି ଶୀତଳ ପଡ଼ିଥିବ । ତାଙ୍କର ପାହାଡଫଟା ହସ ବି ମହଲଣ ପଡ଼ିଥିବ । ଏଇ ରାକ୍ଷସମାନେ ବି ଅଜବ ପ୍ରକାରର । ସବୁବେଳେ ରାଗୁଥିବେ । ହସି ହସି କାହା ସାଙ୍ଗରେ କଥା ପଦେ ହେବେ ନାଇଁ । କାହାକୁ ସ୍ନେହରେ ଚୁମାଟିଏ ବି ଦେବେ ନାଇଁ । କୌଣସି ରାକ୍ଷାସୁଣୀକୁ ପ୍ରେମ କରିବେ ନାଇଁ । ରହ, ଏଥର ନିଜେ ଅବକାଶ ଗୋଟେ ଗପ ଲେଖିବ ଯେଉଁଥିରେ ରାକ୍ଷାସଟିଏ ରାକ୍ଷାସୁଣୀର ପ୍ରେମରେ ପାଗଳ ହେଉଥିବ । ରାକ୍ଷାସୁଣୀ କଥା ଦେଇଥିବ ପାର୍କରେ ଭେଟିବା ପାଇଁ । ମାତ୍ର ତାଙ୍କର ହାତୀଦାନ୍ତ ପରି ଦାନ୍ତ ଦୁଇଯୋଡ଼ା ପାଇଁ କେତେବେଳେ ବି ଚୁମାଟିଏ ଦେଇ ପାରୁ