ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ ପଚାରିଲା ଚିଲିକାକୁ ବୁଲିଯିବାକୁ । ସନ୍ବାଥ୍ ନେବାକୁ । ଚିଲିକା ଚା ଆଣି ଆସୁଥିଲା । କହିଲା ‘ଜେଲରଙ୍କ ଘରକୁ ଯିବା । ଏବେ ଆଉ ବୁଲି ଯାଇ ହେବନି । ଗାଧୋଇବି’ । ଅବକାଶ କହିଲା ‘ତମ ହଷ୍ଟେଲର ସେଇ ସ୍କିପିଂ କରୁଥିବା ଝିଅଟି ଏବେ କେମିତି ଅଛି?’ ଚିଲିକା କହିଲା, ‘ତାର ପାଠ ସରିଗଲାଣି । ହଷ୍ଟେଲରେ ସେ ଆଉ ନାହିଁ । ତମକୁ ସବୁବେଳେ ଗୋଟେ ଲୋଫର୍ ବୋଲି କହୁଥିଲା । ଯିବା ଯାଏଁ ।’ ହସିଲା ଚିଲିକା । ଅବକାଶ ବି ହସିଲା । ମନେ ପଡ଼ିଲା କେବେ ଦିନେ କେମ୍ପସ୍ରେ ଚିଲିକାକୁ ଭେଟିବାକୁ ଯାଇଥାଏ । ଅଗଣାରେ ଝିଅଟିଏ ସ୍କିପିଂ କରୁଥାଏ । ଚିଲିକାକୁ ଡାକି ଆଣିବାକୁ କହିବାରୁ ଡାକି ଆଣିଲା ଏବଂ ଚିଲିକା ପରିଚୟ ଦେଇଥିଲା । ‘କନ୍ୟା ଦାସ, ଆଥେଲେଟ । ଛ’ ଫୁଟ ଏକ ଇଞ୍ଚ । ରାଜନୀତିିର ଛାତ୍ରୀ’ । ‘ମୁଁ ଆସୁଛି’ କହି ଚିଲିକା ଚାଲିଯାଇଥିଲା ଭିତରକୁ । ଝିଅଟି ସ୍କିପିଂର ଉପକାରିତା ବିଷୟରେ ବୁଝାଉଥିଲା ଅବକାଶକୁ । ଅବକାଶ କହିଲା ‘ମୁଁ ବି ସ୍କିପିଂ କରେଁ’ । ଝିଅଟି ବିଶ୍ୱାସ କଲା ନାହିଁ । ଅବକାଶ ପୁଣି କହିଲା, ‘ମୁଁ ବର୍ତମାନ ଦୁଇଶହ ଯାଏ ସ୍କିପିଂ କରି ଦେଲେ ଆପଣଙ୍କୁ ଥରଟିଏ ଚୁମ୍ବନ କରି ପାରିବି?’ ‘ହ୍ୱାଟ୍ ନନ୍ସେନ୍ସ’ ରାଗିଗଲା ବୋଧହୁଏ ଝିଅଟି । ଅବକାଶ କହୁଥିଲା, ‘ଆମ ସମସ୍ତଙ୍କ ମୁହଁରେ ‘ସେମିଓ କେମିକାଲ’ ନାମକ ଗୋଟେ ରାସାୟନିକ ପଦାର୍ଥ ଥାଏ । ଏହାର ବାସ୍ନା ଖୁବ୍ ମଧୁର ଏବଂ ଏହା ଆକର୍ଷଣ କରେ ଅନ୍ୟକୁ, ଏ ବାସ୍ନାର ସ୍ୱାଦ ବାରିବା ପାଇଁ । ମୁଁ ହଠାତ୍ ଜଣେ ଆଥେଲେଟର ଓଠର ଏ ରାସାୟନିକ ଗନ୍ଧରେ ଅକର୍ଷିତ ହୋଇପଡ଼ିଲି । ଏଥିରେ ରାଗିବାର କଣ ଅଛି? ମୁଁ ତ ବାଧ୍ୟ କରୁନାଇଁ । ପଚାରୁଛି । ଅନୁମତି ମାଗୁଛି । ଆପଣଙ୍କ ପ୍ରତି ମୋର ଏହା ରାସାୟନିକ ଆସକ୍ତି’ । ‘ସଟ ଅଫ୍ ଏଣ୍ଡ ଗୋ ଟୁ ଡଗସ୍’ କହି ଝିଅଟି ଚାଲିଗଲା । ଅବକାଶ ହସିଲା । ଭୁଲିଗଲା ଯେ ସେ କାହା ସହିତ କଥା ହେଉଥିଲା । କେକଟସ୍ର ଅରଣ୍ୟର ଝରକା ସବୁ ଖୋଲି ପରଦା ସଜାଡୁଥାଏ ଅନୁ । ଅବକାଶ ଫୋନେଟିକ୍ ଶୁଣୁଥାଏ । ଖରାର ଅଗଣାକୁ ଆର୍ମ ଚୌକିଟି ନେଇ ରଖିଲା । ଟିପାଇଟା ବାହାରକୁ ଆଣି ତା ଉପରେ ଟେପ୍ଟି ଥୋଇଲା । ଶୁଣିଲା ଅନେକ ବେଳଯାଏ । ଚିଲିକା ଅଧଘଣ୍ଟା ପରେ ବାହାରିଲା ଶାଢ଼ି ବଦଳାଇ । ମାଙ୍କ ଶାଢ଼ି । କୋକାକୋଲା ରଙ୍ଗର । ଶାଢ଼ି ବଦଳାଉଥିବା ସମୟରେ ବେଳେବେଳେ ମନେ ପଡ଼େ ତାର ଧର୍ଷଣ ବେଳର ଶାଢ଼ିର ଅବସ୍ଥା, ତା ରଙ୍ଗ, ତା କୁଞ୍ଚ, ଧଡ଼ି ଓ ବିପର୍ଯ୍ୟ୍ୟସ୍ତ ଝାଳର ଗନ୍ଧ ଓ ଯନ୍ତ୍ରଣା । ଶାଢ଼ି ବଦଳାଉଥିବା ବେଳେ ନିଜ ଉଲଗ୍ନ ଶରୀରକୁ ଦେଖି, ଏଠି ସେଠି ସୂକ୍ଷ୍ମ ଘା’ର ଅବଶେଷକୁ ଦେଖି ସେ ଉତ୍ଫୁଲ୍ଳ ହୁଏ ଯେ ଏ ମାଂସର କୋଣାର୍କକୁ ଇତର ଶିଳ୍ପୀର ମୁନିଆଁ ନିହାଣ ଖାସ୍ କିଛଧ୍ୱଂସ କରି ପାରି ନାଇଁ । ଏ ଖାଂଡାହାରକୁ ନିଜେ କେତେ ଯତ୍ନରେ ସାଇତି ସ୍ୱପ୍ନ ବୁଣି ଦେଇଛି ପ୍ରତିଟି ନିହାଣର ଗାରେ ଗାରେ । ସେ ଭାବି ନେଇଛି ଆଠୋଟି ବର୍ବର ଆଦିମ ପଞ୍ଝା ତାକୁ ଟିକ୍ ଟିକ୍ କରି ଖାଇ ଯାଉ ନ ଥିଲେ । ବରଂ ସକାଳର ନିରୀହ ପକ୍ଷୀ ସବୁ ତାକୁ ଖୁମ୍ପି ଯାଉଥିଲେ ଏବଂ ସେ ଗୋଟାଏ ଅପୂର୍ବ ନିଦା ଯନ୍ତ୍ରଣାରେ ବିଳପି ଯାଉଥିଲା । ଜୀବନଟା ତ ଯାଉନି ତେବେ ସବୁ ଠିକ୍‌ଠାକ୍ ଅଛି । ପୃଥିବୀରେ ତ ଏମିତି କେତେ କଣ ଘଟନା ଦୁର୍ଘଟନା ଘଟୁଛି । ସବୁ ସକାଳରେ ସବୁ ରାତିରେ ସବୁ ଯୁଗରେ । ଆଲୋକେ ଅନ୍ଧାରେ । ଆଦିମରେ ଅଧୁନାରେ । ଖେଳାଇ ହୋଇ ପଡ଼ିଥିବା ସ୍ୱପ୍ନର ଆକାଶକୁ ଚାହିଁ ଉଡ଼ିଯିବାର ଅଦମ୍ୟ ନିଶାରେ ଘାରି ହେଉଥିବା ନିର୍ଦୋଷ ପକ୍ଷୀମାନଙ୍କର ଯନ୍ତ୍ରଣା ସବୁ ଯୁଗରେ ସମାନ । ଫରକ୍ ଯାହା ସେ ଯନ୍ତ୍ରଣାର ସ୍ୱର । ଟେପ୍ଟି ବନ୍ଦ ହୋଇଥିବା ସତ୍ୱେ ଅବକାଶ ବସିଥିଲା ଚୁପଚାପ । ମୁହଁରେ ଲେକ୍ଟୋକାଲାମାଇନ୍ ଘସି ଅବକାଶକୁ ପ୍ରସ୍ତୁତ ହେବା ପାଇଁ ମନେ ପକାଇଦେଲା ଚିଲିକା । ଅବକାଶ ‘ହଁ’ କଲା । ଉଠି ଚାଲିଗଲା ବାଥରୁମକୁ । ପୁଣି ଫେରିଆସି ଟୁଥ୍ପେଷ୍ଟ ଓ ବ୍ରସ୍ ନେଇ ଫେରିଗଲା । ନ ଗାଧୋଇ ଫେରିଲା ପ୍ରାୟ ଦଶ ମିନିଟ୍ ପରେ । ବାରଣ୍ଡାରେ ଅନୁ ଓ ତାର ଦଶମ ଶ୍ରେଣୀର ଚାରିଜଣ ଦରକାରରୁ ଅଧିକ ମାପର ଫ୍ରକ୍ ପିନ୍ଧା ସାଙ୍ଗ ଛିଡ଼ା ହୋଇ ଚିଲିକା ସାଥୀରେ ଗପ କରୁଥିଲେ । ପ୍ରକୃତରେ ଗପ ତ କରୁ ନ ଥିଲେ ବରଂ କହିବାକୁ ହେବ ଚିଲିକା ସେମାନଙ୍କୁ କହୁଥିଲା ୱାର୍ଡସୱାର୍ଥଂକ ଲୁସି ଗ୍ରେ କବିତା ବିଷୟରେ । ଏବଂ ସେମାନେ କିଛି ନ ଶୁଣି ତା ଓଠର ହଲ୍ଚଲ୍କୁ ଦେଖୁଥିଲେ । ତା ଆଖିର ଗତିକୁ ଦେଖୁଥିଲେ । ବେକ ତଳେ ବୁନ୍ଦାଏ ପାଣି ଗୋଛାଏ ବାଳ ସହ ଲଟକି ରହିଥିଲା ତାକୁ ଦେଖୁଥିଲେ । ଏବଂ ତାର ବ୍ୟକ୍ତିତ୍ୱ ଭିତରେ ହଜିଯାଉଥିଲେ । ଶବ୍ଦ ବିନ୍ୟାସକୁ ବୁଝନ୍ତୁ ନ ବୁଝନ୍ତୁ ଚିଲିକାର ଉଚ୍ଚାରଣକୁ ସେମାନେ ପିଇ ଯାଉଥିବା ପରି ଅନାଇ ରହିଥିଲେ । ଗବ୍ଗବ୍ ଖାଇ ଯାଉଥିଲେ ତାର ସ୍ୱାଦକୁ । ଅବକାଶ ପେଣ୍ଟସାର୍ଟ ବଦଳାଉଥିଲା ଓ ଚିଲିକାକୁ ଶୁଣୁଥିଲା ଏବଂ ଭାବୁଥିଲା ପୃଥିବୀଟା କେତେ ଅଚଳ ନ ହୁଅନ୍ତା ଯଦି ଏଠି ଶବ୍ଦ ନ ଥାନ୍ତା । ‘ଏନ୍ତୁଡ଼ିଶାଳ’ ଶବ୍ଦଟା ଅଭିଧାନରେ ଅଛି ବୋଲି ଅବକାଶ ଅକ୍ଟୋବର୍ ମାସର ପୃଥିବୀରେ ଭୂମିଷ୍ଠ ହୋଇ ପାରିଲା । ସେ ଜାଣେ ‘ଏନ୍ତୁଡ଼ିଶାଳ’ କେଡ଼େ ଭୟାନକ ଶବ୍ଦଟିଏ । ଡରଡରୁଆ ଅନ୍ଧାରୁଆ ରାତିଟିଏ, ବର୍ଷା, ନିରବ କୋଳାହଳ, ଉତ୍କଣ୍ଠା, ରହି ରହି କୁକୁରର ଭୋ ଭୋ ଶବ୍ଦ, ଲିଭୁଥିବା ଓ ପୁଣି ଜଳାଯାଉଥିବା ଡିବିରିଟିଏ, ଧାଇ, ନିଆଁ, ଉହ୍ମେଇ, କପା, ଥଣ୍ଡାପାଣି, ମା’ର