ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଠ, ଔଷଧ ଖାଇବ, ପାଣି ପିଇବ, ପୁଣି ଶୋଇବ, ଉଠ ଉଠ, ଉଠୁଛ? ଜଲଦି ଜଲଦି, ବାପା? = ବନ୍ଦ କରିଦେ, ବନ୍ଦ କଲୁ, ସେଇ ଡବାଟା ବନ୍ଦ କରିଦେ, ବୁଝିଲୁ ବାବୁ, ବନ୍ଦ କରିଦେ, ଉଁ? ହୁଁ?? = ବାପା? ବନ୍ଦ କରାଗଲା, ଏବେ ଉଠ, ଉଠ ଔଷଧ ଖାଇବ, ଉଠ, ବସ, ଔଷଧ ଖାଇବ, ପାଣି ଟିକେ ପିଇବ, ପୁଣି ଶୋଇବ, = ଶହେ ଟଙ୍କା, ବୁଝିଲୁ? ଶହେ ଟଙ୍କା ଦେଇଦେବ, ଉଁ? ଶହେ ଟଙ୍କା ଦେଇଦେଲେ ପଟିଯିବ, ହଉ, ଦେଲେ ଦିଅ ନ ହେଲେ ନାଇଁ, ତମର ଇଚ୍ଛା, ତମକୁ କିଏ ମନା କଲା? ଆଜି ନ ହେଲେ କାଲି, ଉଁ? ହୁଁ? = ହଁ ହଁ ଟଙ୍କା ଦେଇଦେବା, ତମେ ଆଗ ଔଷଧ ଖାଇଲ, ଉଠ ବସ, ବସିଲେ ସିନା ଖାଇ ପାରିବ, ଉଠ, ବସ ଉଠ ଉଠ, ବାପା? = କଣ ସବୁ ଚାଲିଛିରେ ଏଠି? ମୁଁ ଯାଉଛି, ବୁଝିଲ? ମୁଁ ଯାଉଛି ତମେ ସବୁ ପରେ ଆସିବ, ମୁଁ ଗଲାପରେ ତମେ ଆସିବ, ତମେ ସବୁ ଆସିବ ମୁଁ ଯାଉଛି, ମୁଁ ଯାଉଛି? ମୁଁ ଗଲି, ଯାଉଛି, ବୁଝୁଛ? କଣ ହଉଛରେ ତମେ ସବୁ? ଉଁ? ହୁଁ?? = ବାପା? ବାପା? କୁଆଡ଼େ ଯିବ? କଣ କହୁଛ ସବୁ? ଉଠ ଔଷଧ ଖାଅ, ପାଣି ପିଅ, ଔଷଧ ଖାଅ ଔଷଧ, ହେଇ ଦେଖ ସିଷ୍ଟର ଆସିଛନ୍ତି, ଆଁ କର, ତୁମ ହାତ ଦେଖାଅ, ହାତ ଜୀବନ ଦିଆ ହେବ, ଜୀବନ ତୁମ ଶିରା ପ୍ରଶିରା ଦେଖାଅ, ଶିରା ପ୍ରଶିରା ଜୀବନ ଦିଆହେବ, ଜୀବନ ତୁମ ରକ୍ତବାହୀ ନଳୀ ଦେଖାଅ, କଣିକା ଦିଆହେବ କଣିକା, ନାଲିକଣିକା, ଧଳାକଣିକା ଧଳାକଣିକା, ନାଲିକଣିକା ଦିଆହେବ, ଜୀବନ ଦିଆହେବ ଜୀବନ । = ନାଇଁ ବୁଝିଲ? ସେ ଶଳା ଆସିଥିଲା, ମାନିଲା ନାଇଁ ମୁଁ ବୁଝାଇଲି ବୁଝିଲା ନାଇଁ, ସେ ଶଳା ଆସିଥିଲା, ଦେଲେ ଦିଅ ନ ଦେଲେ ନାଇଁ, ମୁଁ ଯାଉଛି? ଉଁ...? ହୁଁ?? = କୁଆଡ଼େ ଯିବ ବାପା? ଦକ୍ଷିଣଆଫ୍ରିକା ଯିବ? ଆଗେ ଔଷଧ ଖାଅ, ସିଷ୍ଟର ଆସିଲେଣି, ଡାକ୍ତର ଆସିଲେଣି, ତମ ସାର୍ଟ ଉତାର, ତୁମ ହାଡ଼ର ବୋତାମ ଖୋଲ, ଆଁ କର କିନ୍ତୁ ହାଇ ମାରନା, ତୁମ ଚର୍ମ ଉତାରି ଦିଅ, ମାଂସ ଉତାରି ଦିଅ ତୁମ ହୃତପିଣ୍ଡ ଦେଖାଅ, ହୃତପିଣ୍ଡ ଜୀବନ ମପାହେବ ଚାରିଟା କୋଠରିକୁ ପଲସ୍ତରା କରାହେବ ରଙ୍ଗ କରାହେବ, ଛାତରୁ ପାଣି ଗଳୁଛି, ଖରା ଗଳୁଛି କାକର ଉତ୍ତାପରେ ତରଳି ଯାଉଛି, କଳା ଅଳନ୍ଧୁର ବୋଝରେ ଅସମ୍ଭାଳି ଯାଉଛି, ସଫା କରାହେବ ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ଯାଉଛି, ସଫା କରାହେବ ଅନ୍ଧାର ଲେପି ହେଉଛି ନାଲି ନେଳି ଆଲୁଅ ଲଗାହେବ ତୁମ ଚାରିକୋଠରିଆ ହୃତପିଣ୍ଡ ଦେଖାଅ, ହୃତପିଣ୍ଡ ତୁମ ହୃତପିଣ୍ଡ ଡାକ୍ତର ମାଗୁଛନ୍ତି ତାଙ୍କୁ ଦିଅ । ତୁମକୁ ସଜ କରିଦେବା ବାପା? ଛୋଟ ଛୋଟ କଂଢେଇ, ପାଲଟଣା ଜାହାଜ, ଡେଣା ଛାଟୁଥିବା ପ୍ରେମପକ୍ଷୀ, ଲାଲ ଲାଲ ସାଧବ ବୋହୂ, ଅଳିଅଳ ଏମୋବା, ଥଣ୍ଡାଶସ ପରି ସ୍ପଂଜ ରଜନୀଗନ୍ଧା ଫୁଲ ଭର୍ତି ତୁମ ମେଦ ଚକଚକ୍ ଜରି ଲଗା ତୁମ ପଞ୍ଜରା ଡେଫୋଡିଲ୍ ଫୁଲ ଭର୍ତି ତୁମ ଅଙ୍କାବଂକା ନଈର ଶିରା ବେଲୁନ୍ ଭର୍ତି ତୁମ ଦର୍ଶନେନ୍ଦ୍ରିୟ, ଚେଁଚାଁ କିଚିରିମିରିର୍ ଫୁର୍ ଫାର୍ ଫଡ଼୍ଫାଡ୍ ଶବ୍ଦର ଭିଡ଼ ତୁମ ଶ୍ରବଣେନ୍ଦ୍ରିୟ ତୁମ ତୁଣ୍ଡରୁ ବାହାରୁଥିବା ପାଣି ଫୋଟକାର ଗାଳି, ପ୍ରଜାପତି ଡେଣାରେ ସାଇତା ତୁମ କଲିଜା