ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଡ଼ରେ, ସିମେଣ୍ଟ ପିଣ୍ଡାରେ ବସଇ, ଜହ୍ନ ଆଲୁଅ ଦେଖଇ, ଆଲୁଅ ସ୍ତଂଭ ଦେଖଇ । କେତେ ରାତିରେ ଘରକୁ ଫେରଇ ଯେ କେଜାଣି! ତା ନାଭି ସଫା କରଇ ଓ ଶୋଇଯାଉଥାଇ । ସଭିଏଁ ଶୋଇ ଯାଇଥାଇ କେତେବେଳଠୁ, ଶିଶୁ ଗଡ଼ପଡ଼ ହୁଅଇ ଏବଂ ଉଠଇ, ପାଦ ଥାପି ଥାପି ପଡ଼ୋଶୀ ମାଙ୍କ କବାଟ ଖଟ୍ ଖଟ୍ କରଇ । ପଡ଼ୋଶୀ ମା କବାଟ ଫିଟାଇ ଫିକ୍କିନା ହସି ଦିଅଇ । ସେ ହସରେ ଦିନଯାକର କ୍ଳାନ୍ତି ଅବସାଦ ଧୋଇ ନିଅଇ ଶିଶୁ । ତା ଫ୍ରିଜିଡ୍ ଦେହରେ ପୁଣି ଉତ୍ତାପ ପହଁରି ଯାଉଥାଇ । ଶୋଷ କରୁଥାଇ ଶିଶୁକୁ, ପାଣି ମାଗଇ । ପଡ଼ୋଶୀ ମା ହସଇ ବେଦମ୍, ଆହୁରି ହସଇ, ପାଣି କଣ ସତରେ ଦରକାର ଥିଲା ଶିଶୁ! ସତରେ କଣ ତା’ର ପାଣି ଦରକାର ଥିଲା? ନିଜକୁ ପଚାରଇ ଶିଶୁ । ‘ଚା ତିଆରିବି? ନିଦ ହେଉନାଇଁ? ଏଠି ଶୋଇବ? ମୁଣ୍ଡ ବିଂଧୁଛି? କ୍ଳାନ୍ତି ଲାଗୁଛି? ଏମିତି କଣ କେହି କେବେ ବଞ୍ଚିଥାଇ ଶିଶୁ? ତମେ ଜାଣନା ଏ ଛୁଆ ତିନୋଟି ମୋର ନୁହଇ, ଚମକି ପଡ଼ଇ ଶିଶୁ, ଶୁଣି ବି ବିଶ୍ୱାସ ନ କରଇ, କାଠ ପାଲଟଇ, ଏଥକୁ ସବୁ ଶୁଣିବ, ବସ, ଚା ତିଆରେଁ ।’ ‘ତୃତୀୟ ଝିଅଟି ଜନ୍ମବେଳକୁ ସିଜରିଆନ୍ ହୋଇ ତାଙ୍କ ମା, ମୋନାନି, ମରିଯାଇଥାଇ, ବର୍ଷେ ପରେ ବାପା ବି, କେନ୍ସର୍ରେ । ମୁଁ ତ ବାହା ନ ହୋଇଥାଇ । ଏମାନଙ୍କୁ ଇହାଛିନି ମୁଁ ରଖିଛି । ଏ ସବୁ ଜାଣି ବୁଝି ଆମେ ଦୁହେଁ ବାହା ହୋଇଥାଇ । ଖାସ୍ ମା ହେବାର ନିଶା ଲାଗି ଆମର ଝିଅଟିଏ ଆସିଥାଇ, ଆଉ କେବେ ନୁହେଁ, ସମ୍ବଳ କାହିଁ? ଏଥକୁ ପଢ଼ାପଢ଼ି, କଲେଜ ଖର୍ଚ, ବାହାଘର, ଚାକିରି, ତେବେ ଯାଇ ନିସ୍ତାର... ତେବେ ଯାଇ ନିଜ ଦୁଃଖ ପାଇଁ, ନିଜ ଜଂଜାଳ ପାଇଁ, ନିଜ ଭବିଷ୍ୟତ ପାଇଁ, ନିଜ ଦେହ ପାଇଁ ଚିନ୍ତା! ଏଥକୁ ତ ମାସ ଶେଷର ଚିନ୍ତା ନ ଯାଇଥାଇ । ଏଥକୁ ତ ଦେହ ଢାଙ୍କିବା ଚିନ୍ତା ନ ଯାଇଥାଇ । ଖରା ଛାଣିବା, ବର୍ଷା ଛାଣିବା, ସମୟ ଛାଣିବା ଚିନ୍ତା ନ ଯାଇଥାଇ । ତମେ କି ପ୍ରକାରେ ଶିଶୁ ମୋ ହସ, ମୋ ଆଦରକୁ ଚଡ଼୍ ଚଡ଼୍ ଫୁଟୁଥିବା କଢ଼େଇର ତାତି ବୋଲି ବୁଝିଲ? ଚା ଖାଅ, ଥଣ୍ଡା ହୋଇ ଯାଇଥାଇ ।’ ନିଜ ଦେହ ଯେ ଥଣ୍ଡା ହୋଇ ଯାଇଥାଇ, ସେ ପାଇଁ ଶିଶୁର ନିଘା ନାଇଁ ଯଦିଓ ସେ ଏବେ ଦେଖୁଥାଇ ଯେ ତା ହାତ ଗୋଡ଼ କୋଲ ମାରି ଯାଉଥାଇ । ତା ଦେହର ତାତି କୁଆଡ଼େ ଯାଇଥାଇ କି? ଉତ୍ତାପ ହଜିଯାଇ ଏବେ ପୁଣି ଥରେ ଫ୍ରିଜିଡ୍.. ପାଦଠୁ ମୁଣ୍ଡଯାଏ, ଚର୍ମଠୁ ହୃତପିଣ୍ଡ ଯାଏ ସବୁ ବରଫ, ଶିଶୁ ପଣ୍ଡା ନୁହେଁ ତ, ବରଂଚ ଶିଶୁପାଳ ପଣ୍ଡା! ଏଠି ଶୋଇବ କି ଶିଶୁ? ମୁଣ୍ଡ ଦବାଇ ଦେବି? ମୋ କୋଳରେ ମୁଣ୍ଡ ରଖ, ଦେଖେଁ ତମ ମୁଣ୍ଡ କେତେ ଟିକ୍