ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସକାଳୁ ନିଦ ଭାଙ୍ଗିଲା ମାନେ ଖାଲି କାମ କାମ । କୁମାରୀ କସ୍ତୁରୀ ଦାସ ଧଇଁ ସଇଁ ହୋଇ ଥାଆନ୍ତି । ବାପାଙ୍କ ଆଖି ଖରାପ ହେବନି ବୋଲି ଶାଗବାଲିକୁ ଡାକି ଶାଗ କିଣ, ବାଛ, ଚାଉଳ ପାଛୋଡ଼ିବା ବେଳେ ଛି...ମା...ଛି...ମା... ହୁଅ । ଡାଲିରୁ ଗୋଡ଼ି ବାଛିବା ବେଳେ କଲେଜ କାମ ରହିଯାଉଛି ଭାବି ତରତରରେ ପଢ଼ାଟେବୁଲକୁ ପଳାଅ । କଂକି ହରଣ ଗୁଣନ କଲା କି ନାହିଁ ତଦାରଖ କର । ତୁଳସୀ ଚଉରା ମୂଳେ ଗୋବର ଘଷ, ଝୋଟି ଦିଅ କିମ୍ବା ମୁରୁଜ ଆଙ୍କ । ଅଜାଙ୍କ ଆଈଙ୍କ ଅସ୍ଥି ରଖା ସ୍ଥାନକୁ କିଏ ଛୁଇଁଲେ ମନାକର । ବେଳେବେଳେ ମାଙ୍କଠୁ ଗାଳି ଖାଅ ଓ ଭାତ ଖାଅ କି ନ ଖାଅ କଲେଜ ବାହାରି ପଡ଼ ଆଠଟା ପନ୍ଦରରେ । କଲେଜରେ ଟେଷ୍ଟଟ୍ୟୁବ୍ ବେବି ଉପରେ ହେଉଥିବା ତର୍କରେ ଯୋଗଦିଅ । ପରୀକ୍ଷାଗାରରେ ଗୋଟେ ଦୁଇଟି ଜାର୍ ଭାଂଗ । କଲେଜ ଇଲେକ୍ସନ୍ରେ ସ୍ୱାଧୀନ ପ୍ରାର୍ଥୀଂକୁ ଭୋଟ ଦେବାକୁ ରୋକ୍ଠୋକ୍ ମନାକର । ନାଟକରେ ମିଶିବା ପାଇଁ ପିଲାମାନଙ୍କ ଦଳକୁ ବାରମ୍ବାର ମନାକର । ମନ୍ତ୍ରୀଙ୍କ ବେକରେ ଫୁଲମାଳ ଗଳାଇବା ପାଇଁ ମନାକର । ସ୍ୱାଗତ ସଂଗୀତ ଦଳରେ ଯୋଗଦେବା ପାଇଁ ମନାକର । କେତେ କାମ । ଧଇଁସଇଁ ହେବା ବଡ଼କଥା ନୁହଁ । ସଞ୍ଜବେଳକୁ ରୁଟିକର ତରକାରି କର । ବାପା ତାଙ୍କ ଅଫିସ୍ କଥା ମାଙ୍କୁ ଆଗ୍ରହର ସହିତ କହିଲା ବେଳକୁ ନିଜେ ଉଠିଆସ ପଢ଼ା ଟେବୁଲ୍କୁ । ପଢ଼ ଓ ପରୀକ୍ଷାରେ ଫାଷ୍ଟ ହୁଅ । ମଝିରେ ମଝିରେ ବୃତ୍ତି ଆଣିବା ପାଇଁ ଛୁଟିଦିନରେ ବି କଲେଜକୁ ଧାଅଁ । ମାଙ୍କ ପାଇଁ ଘର ପିନ୍ଧା ଶାଢ଼ି, କଂକି ପାଇଁ ସ୍କୁଲ ପୋଷାକ ଓ ନିଜ ପାଇଁ ଟିକିଲି କିଣିବା ପାଇଁ ବଜାରକୁ ଯାଅ । ଏମିତି ଧାଇଁ ଧାଇଁ ଧଇଁସଇଁ ହେଲେ ବି ଓଠର ପାଖୁଡ଼ାରୁ ପରାଗରେଣୁ ବିଂଛିଦିଅ ଘର ଦୁଆର କାନ୍ଥ କବାଟ ସବୁଠି । ରାତିରେ ଶୋଇବା ପୂର୍ବରୁ ମଶା ମାରିବା ପାଇଁ କଏଲ୍ ଜାଳି ବାପାଙ୍କ ମୁଣ୍ଡପଟେ ରଖିଦିଅ । ମୂଷା ମାରିବା ପାଇଁ ଯଂତା ଭିତରେ ରୁଟିଖଣ୍ଡେ ରଖ । ଫଟାମଶାରିକୁ ସିଲାଇ କର । ଦଉଡ଼ିଆ ଖଟର ଆଚେଁନ୍କୁ ଟିକେ ଟାଣିଦିଅ । କ୍ଷୀରକୁ ଶିକା ଉପରେ ରଖି ବହିଖଣ୍ଡେ ଧରି ବସିପଡ଼ । ଅଧରାତି ଯାଏ ରେକର୍ଡ ଖାତା ତଦାରଖ କର । କଂକି ଫିଙ୍ଗି ଦେଇଥିବା ଚାଦରକୁ ତାକୁ ପୁଣି ଥରେ ଘୋଡ଼ାଇ, ପାଣିପିଇ ଲାଇଟ୍ ଲିଭାଇ ନିଜେ ବି ଶୋଇପଡ଼ । ସକାଳୁ ସକାଳୁ ରୁଟି ଦୁଇଟି ଓ ଗୁଡ଼ ଖାଇ ପାଣି ପିଅ ଓ ମାଙ୍କୁ ଖବର କାଗଜର କଥା ଶୁଣାଅ । ଦୁଇମୁଣ୍ଡ ଥିବା ପୁଅ ଜନମ କଥା, ନାହାକ ବୁଢ଼ାର ବାସ୍ତରୀଟି ପିଲାପିଲି କଥା, ରାମପୁର ଗାଁରେ ଭୂତର ଉତ୍ପାତ କଥା, ସୀତାପୁର ଗାଁର ଗାଈ କଥା କହୁଥିବାର ଖବର, ମୁନୁଗା ଗଛରୁ ଦଶବର୍ଷ ହେଲା କ୍ଷୀର ବାହାରୁଥିବାର ଖବର । ଏମିତି ଅନେକ । ମା ଏସବୁ ଲୀଳା ବୁଝିପାରୁ ନ ଥିବେ । ‘ଯାଏଁ ମା ତେଣେ ମୋର କେତେ କାମ ବାକି ଅଛି’ କହି ଚାଲି ଯାଉଥିବେ । କୁମାରୀ କସ୍ତୁରୀ ଦାସ ବି ବୁଝିପାରୁ ନ ଥିବେ ବାର୍ମୁଡା ତ୍ରିକୋଣ ଜଳରାଶି ଭିତରେ ଜାହାଜ କେମିତି ଉଭେଇଯାଏ, ହିମାଳୟ ଉପରେ ୟେତି ନାମକ ମଣିଷ ରାକ୍ଷସଟି କେଉଁଠୁ ଆସେ, ମୃତତାରକା ଭିତରେ କେମିତି ସମୟ ପଛକୁ ଫେରେ ନା ସ୍ଥିର ରହେ ନା କଣ କଣ ହୁଏ । ଆହୁରି ବି ବୁଝି ପାରନ୍ତି ନାଇଁ ଯେ ବାପା ଓ କାକା ମାନଙ୍କ ମଧ୍ୟରେ ଗଣ୍ଡଗୋଳ କାହିଁକି ଲାଗି ରହିଥାଏ, ବାପା କାହିଁକି ବାରମ୍ବାର କୋର୍ଟ କଚେରୀ ଧାଆନ୍ତି, ମା କାହିଁକି ବାପାଙ୍କ ଉପରେ ରାତିଅଧ ଯାଏ ଚିଡ଼ିଚିଡ଼ି ହେଉଥାନ୍ତି । ମଝିରେ ମଝିରେ ଛୁଟିଦିନ ଆସେ । ଛୁଟିଦିନ ମାନେ ଗୋଟିଏ ନିଛକ ହୃଦ୍ସ୍ପଂଦନର ଦିନ । ଛୁଟି ଦିନରେ ମା ଝିଅ ଦୁହେଁ ଆଖି ଡାକ୍ତର ହାଡ଼ ଡାକ୍ତର ପାଖକୁ ଯାଆନ୍ତି । ଦୁହେଁ ମିଶି କନ୍ଥା ସିଲାଇ କରନ୍ତି । ପୁରୁଣା ପେଣ୍ଟ କାଟି ମୁଣା ତିଆରି କରନ୍ତି । ପୁରୁଣା ଫ୍ରକ୍କୁ ତକିଆ ଖୋଳ କରନ୍ତି ଓ ହସନ୍ତି ପ୍ରଚୁର । ଛୁଟିଦିନରେ ଘରେ ଅପେକ୍ଷାକୃତ ବେଶି ମଇଳା ବାହାରେ, ଶାଗଡାଳ, ଚିନାବାଦାମ ଚୋପା, ମୁଣ୍ଡରଜଟା, ପପିନ୍ସ ଖୋଳ, ଘା’ର ଖଟି, ଡାଲିର ଚୋପା, ଗହମରୁ ମକାଦାନା, ଗୋଡ଼ି, ମାଟି, ଠୁଟିବିଡ଼ି, ଔଷଧଖୋଳ, ଟୁକୁରାଚିଠି, ପୁରୁଣାବ୍ଲେଡ଼, ଛାତରୁ ଅଳନ୍ଧୁ, କାନ୍ଥରୁ ମକରା ଜାଲ, ପାଦରୁ ଧୂଳି, ଏପରିକି ତାଙ୍କ ଉଦ୍ବେଳିତ ଫୁଲରୁ ତାରୁଣ୍ୟ, ପିନ୍ଧିଥିବା ଡେଣାରୁ ପର, ଓଠରୁ ପରାଗରେଣୁ, ଛାତିରୁ ସରାଗ, ଶରୀରରୁ ବୟସ ସବୁକୁ ଛୁଟି ଦିନରେ ହିଁ ସଫା କରିବାକୁ ହୁଏ । ଛୁଟି ଦିନରେ ଛାତି ଅପେକ୍ଷାକୃତ ବେଶୀ ଧକ୍ ଧକ୍ କରେ । ଛୁଟିଦିନ ମାନେ ଗୋଟେ ନିଛକ ହୃଦ୍ସ୍ପଂଦନର ଦିନ । ଦିପହର ଖରା ଦାଉ ଦାଉ କଲା ବେଳକୁ ବାପାଙ୍କ ରକ୍ତ ଚାପ ନିୟନ୍ତ୍ରଣ କର । ଏଡେଲଫିନ୍ ଖୁଆଅ । କଂକିକୁ ଖରାରେ ନ ବୁଲିବା ପାଇଁ ତାଗିଦ୍ କର ବାରମ୍ବାର । ତା ଘା’ରେ ଚନ୍ଦନ