ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋପା ଚା ଖାଉ ଖାଉ କହିଲେ, ‘ମୁଁ ଦି ମିନିଟ୍ ପାଇଁ କେବଳ ଚଢ଼ିବି । କେମିତି ଲାଗିବ ଦେଖିବି । କେହି ଜାଣିପାରିବେ ନାଇଁ । ଏତେ ସକାଳୁ ଏପଟେ କହି ଆସିବେନି । ତୁମ ଷ୍ଟୁଲ୍ଟା ଆମେ ଟିକେ ନେବୁ । କେବଳ ଦି’ମିନିଟ୍ ପାଇଁ ।’ ବୁଦ୍ଧଦେବ କହିଲେ, ‘ଫଟୋ ଗୋଟେ ଦି’ଟା ନେବୁ, ବାସ୍ ।’ ଚା ଖାଇବା ପରେ ଦୁହେଁ ଦୁଇଟି ଷ୍ଟୁଲ୍ ଧରି ଘୋଡ଼ା ପାଖକୁ ଗଲେ । ଗୋଟାକ ପରେ ଅନ୍ୟଟି ଲଦି ଗୋପା ବୁଦ୍ଧଦେବଙ୍କ ହାତ ଧରି ଷ୍ଟୁଲ୍ ଉପରକୁ ଡରି ଡରି ଉଠିଲେ । ତାପରେ ଘୋଡ଼ା ପିଠିକୁ । ଷ୍ଟୁଲ୍ ଗୋଟାକୁ ତଳକୁ ଆଣି ଉଭୟ ଷ୍ଟୁଲ୍ରେ ପାଦଥାପି ବୁଦ୍ଧଦେବ ଗୋପାଙ୍କ ଶାଢ଼ି ସଜାଡ଼ିଦେଲେ । କହିଲେ, ‘ସିଧାବସ, ବାଁ ହାତରେ ଘୋଡ଼ାର ବାଳକୁ ଧର, ଡାହାଣ ହାତଟା ବାଡ଼େଇବା ପରି ଉପରକୁ ଟେକ, ମୁହଁ ସିଧା ଆଗକୁ । କେମେରାକୁ ନୁହେଁ ।’ ଗୋପା କିଛି କହିଲେ ନାଇଁ । କୌଣସି କଥାକୁ ତାଙ୍କ କାନ ନାଇଁ । କୌଣସି ଦୃଶ୍ୟକୁ ତାଙ୍କ ନିଘା ନାଇଁ । କିଛି ସମୟ ପରେ କହିଲେ, ‘ଏମିତି ଦିବ୍ୟ ସୁନ୍ଦର ବଳିଷ୍ଠ ଅଶ୍ୱ ପିଠିରେ ଥରେ ତମେ ବି ବସ । କି ଅଦ୍ଭୂତ ଲାଗୁଛି । ପ୍ଲିଜ୍ ।’ ସେ ମନାକଲେ, ‘ନା ମୋର ସେ ସଉକି ନାଇଁ ।’ ଗୋପା ପୁଣି କହିଲେ, ‘ଆଲେକ୍ଜାଂଡାରଙ୍କ ବୁସିଫେଲାସ୍ ବି ଏମିତି ଥିଲା କି ନାଇଁ କେଜାଣି ।’ ଓଃ, ବର୍ତମାନଠୁ ଆରମ୍ଭ କରି ଆଖି ପାଉ ନ ଥିବା ରହସ୍ୟାବୃତ୍ତ ଇତିହାସ ଯାଏ, କିଂବଦଂତୀଠୁ ଆରମ୍ଭ କରି ପୁରାଣ ଓ ପରୀଗଳ୍ପ ଯାଏ ମୁଁ କେମିତି ବିଜୁଳି ବେଗରେ ଧାଉଁଛି ତମେ ଦେଖିପାରୁଛ ବୁଦ୍ଧଦେବ?’’ ବୁଦ୍ଧଦେବ ଟିକେ ଦୂରକୁ ଘୁଞ୍ଚିଯାଇ କେମେରାର ଲେନ୍ସ ସଜାଡ଼ିଲେ । ପୂର୍ବଦିଗକୁ ମୁହଁ କରି ଉଇଁ ନ ଥିବା ସୂର୍ଯ୍ୟର ରୂପାନ୍ତରିତ ଆକାଶକୁ ବେକଡ୍ରପ୍ କଲେ । କ୍ଲିକ୍ କ୍ଲିକ୍- ଦୁଇଟି ଫଟୋ ଉଠାଇଲେ । ତୃତୀୟ ଫଟୋ ଉଠାଇବା ବେଳକୁ ଗୋପା ଖୁବ ଜୋର୍ରେ ଚିଲ୍ଲେଇ ପାଟି କଲେ । ବୁଦ୍ଧଦେବ ବାବୁ ସ୍ଥିର ହୋଇଗଲେ । ଚା ଦୋକାନୀ ଦୌଡ଼ି ଆସିଲା । ରାସ୍ତାରେ ଜଗିଂ କରୁଥିବା ଦୁଇଜଣ ବୃଦ୍ଧବ୍ୟକ୍ତି ପରେ ପରେ ଦି’ଜଣ ସ୍କୁଲଛାତ୍ରୀ ସେଠି ଛିଡ଼ାହୋଇ ଅନାଇଲେ । ସେ ପଟେ ଫେରୁଥିବା ଗୋଟେ ବସ୍ ମଧ୍ୟ ରହିଗଲା । ଲୋକେ ଧୀରେ ଧୀରେ ଭିଡ଼ରେ ପରିଣତ ହେଲେ । ଗୋପା ଜଘନ୍ୟ ଭାବରେ ବାରମ୍ବାର ଚିତ୍କାର କରୁଥାନ୍ତି । ଛାତ୍ରୀ ଜଣେ ବି ଚିତ୍କାର କରିଉଠିଲା । ଗୋପାଙ୍କ ଗୋଡ଼କୁ ଦେଖାଇଲା । ସମସ୍ତେ ଦେଖି ସ୍ତଂବିଭୂତ, ଗୋପା ତଳିପା’ରୁ ଆସ୍ତେ ଆସ୍ତେ ଶିଳାରେ ରୂପାନ୍ତରି ଯାଉଥିଲେ । ତଳିପା’ରୁ ଏବେ ଆଣ୍ଠୁ ଯାଏ । ‘ଡେଇଁ ପଡ଼, ଡ଼େଇଁ ପଡ଼ ଗୋପା, ଶୀଘ୍ର ଡ଼େଇଁପଡ଼ । ଗୋପା ଓହ୍ଲାଇପଡ଼ ।’ ବୁଦ୍ଧଦେବ ପାଟି କରୁଥାନ୍ତି । ଘୋଡ଼ାର ଚାରି ପଟେ ଘୁରି ଯାଉଥାନ୍ତି । ନାଁ ଏବେ ଅଣ୍ଟାଯାଏ ପଥର । ଗୋପା ଚିତ୍କାର କରୁଥାନ୍ତି । ପାଗଳ ପରି ପ୍ରଳାପ କରୁଥାନ୍ତି । ଛାଟିପିଟି ହେଉଥାନ୍ତି ଜଘନ୍ୟ ଭାବେ । ଏବେ ଛାତି ଯାଏ ପଥର । ସଭିଏ କାଠ ପଥର ପାଲଟି ଦେଖୁଥାନ୍ତି । ରକ୍ତ ମାଂସର ନାରୀଟି କେମିତି ଶିଳାରେ ରୂପାନ୍ତରି ଯାଉଛି । ଏବେ ବେକ ଯାଏ ପଥର । ଏବେ ପାଟି ନାକ ଆଖି ଏବଂ ମୁଣ୍ଡଯାଏ ପଥର । ଗୋପା ଏବେ ସ୍ଥିର ନିର୍ବିକାର କଳା ମୁଗୁନି ପଥରରେ ବିନ୍ୟାସୀ ଯାଇଥିବା ଏକ ମୂର୍ତ୍ତି । ଛାତିରେ ବ୍ୟଥା, ଆଖିରେ ସ୍ୱପ୍ନ ଥିବା- ନାରୀଟି ହଜାର ଲୋକଙ୍କ ଆଗରେ ସଦ୍ୟ ରୂପାନ୍ତରି ଯାଉଥିଲା ଶିଳାରେ । ଘୋଡ଼ାଟି ଏବେ ସ୍ୱୟଂସଂପୂର୍ଣ୍ଣ । ଲୋକେ ଚଞ୍ଚଳ ହୋଇ ଉଠିଲେ, ବିଚଳିତ ହୋଇପଡ଼ିଲେ । ମ୍ୟୁନିସିପାଲିଟି ଲୋକେ ଆସିଲେ, ପୋଲିସ, ପ୍ରାଶାସକ ଆସିଲେ, ପତ୍ରିକା ବିଭାଗ- ଗୁପ୍ତଚର ବିଭାଗ ଆସିଲେ । ସଙ୍ଗେ ସଙ୍ଗେ ଟେଲିଫୋନ୍ ଟ୍ରଂକକଲ୍ ଟେଲିଗ୍ରାମ ସବୁ ଝଣଝଣେଇ ଉଠିଲା । ହଜାର କେମେରାର ସୁଇଚ୍ ସବୁ କ୍ଲିକ୍ କରିଉଠିଲା । ବୁଦ୍ଧଦେବ ବାବୁ ନିଜ ସ୍ତ୍ରୀଙ୍କୁ କାହିଁକି ଘୋଡ଼ା ପିଠିକୁ ଚଢ଼ାଇଲେ ସେଥିପାଇଁ ତାଙ୍କୁ ଗିରଫ କରାଗଲା ।