ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୃତ୍ୟୁ ମହୋତ୍ସବ ଦଳବଦ୍ଧ ହୋଇ ଗାଁ ଛାଡ଼ି ଚାଲିଯାଉଥିବା ଲୋକଙ୍କ ବିଷୟରେ ରିପୋର୍ଟ ସଂଗ୍ରହ କରିବାଥିଲା ଦି’ଜଣ ବୃଦ୍ଧ ସାଂବାଦିକଙ୍କ ସେଦିନର କାମ, ଜଣଙ୍କର ହିଟଲରୀୟ ନିଶ, ଅନ୍ୟ ଜଣଙ୍କର ବିଷମାର୍କୀୟ ନିଶ । ସେମାନେ ବିରିପାଲି ଗାଁ ମୁଣ୍ଡ ତେନ୍ତୁଳି ଗଛର ଶୀତଳ ଛାଇରେ ଗରମ ହୋଇ ଯାଇଥିବା ନିଜ କାର୍କୁ ଓ କ୍ଳାନ୍ତ ହୋଇ ଯାଇଥିବା ନିଜ ଶରୀରକୁ ଆଶ୍ରୟ ଦେଲେ ଓ ଅପେକ୍ଷା କଲେ ଚିହ୍ନାଅଚିହ୍ନା କାହାକୁ ଜଣକୁ । ଗାଁ ଚାରିକଡ଼େ ବା ଗାଁ ଭିତରକୁ ଯେତେଦୂର ଦୃଷ୍ଟି ଯାଇପାରୁଥିଲା ସେ ଯାଏଁ କେହି ଦେଖାଯାଉ ନ ଥିଲେ । ନା ବ୍ୟକ୍ତିବିଶେଷ ନା ପଶୁବିଶେଷ । ଏପରିକି ତେନ୍ତୁଳି ଗଛରେ ଉଅଁରର ମହାର୍ଘ ଗୁଂଜରଣ ବି ଶୁଣା ଯାଉ ନ ଥିଲା । ଏକ ଘଣ୍ଟା ପରେ ହିଟଲରୀୟ ଓ ବିଷମାର୍କୀୟ ନିଶ ଦୁହେଁ ପାଦେ ପାଦେ ଆଗେଇଲେ ଗାଁ ଭିତରକୁ । କେହି କୁଆଡ଼େ ନାହାନ୍ତି । କବାଟ ସବୁ ଖୋଲା ଏବଂ ମୁକୁଳା । ଗାଁର ଶେଷଭାଗରୁ ଦୁଇଟି ବିଲେଇ ନିର୍ବିକାରରେ ଚାଲି ଆସୁଥିବାର ଦେଖି ଟିକେ ଆଶ୍ୱସ୍ତ ହେଲେ । ଚାରିଯୋଡ଼ା ଆଖି ପରସ୍ପର ଉପରେ ସ୍ଥିର ହେଲା ପରେ ହିଟଲରୀୟ ସାଂବାଦିକ ପଚାରିଲେ, ‘ହେ ପୁଷି ଯୁଗଳ ଆପଣଙ୍କ ମୁନିବ ସବୁ ଗଲେ କୁଆଡ଼େ?’ ଏବଂ ଅନତି ଦୂରରେ ଓଦାସରସର କେଇ ଜଣ ବୃଦ୍ଧବୃଦ୍ଧାଂକୁ ଦେଖି ଆହୁରି ଆଶ୍ୱସ୍ତ ହେଲେ । ପ୍ରକୃତରେ ତାହା ଥିଲା ଦଶଜଣ ବୃଦ୍ଧ ପାଞ୍ଚଜଣ ବୃଦ୍ଧା, ପାଞ୍ଚଟି କୁକୁରଙ୍କ ଦଳ । ସଭିଏ ଓଦାସରସର । ସବାଶେଷରେ ଅନ୍ୟ ଜଣେ ଚୁଟି ଓ ଦାଢ଼ି ପିନ୍ଧା ବୃଦ୍ଧ ଅନ୍ୟ ଏକ କୁକୁରକୁ ଚେନ୍ରେ ବାନ୍ଧି ଟାଣି ଟାଣି ଆସୁଥିଲେ । କୁକୁରଟି ଚାରିଗୋଡ଼କୁ ମାଟିରେ ଭରା ଦେଇ ବେକ ଲମ୍ବାଇ ବସି ରହୁଥିଲା ଏବଂ ବୃଦ୍ଧ ଜଣକ ନିଜ ବୟସାଧିକ୍ୟ ଘଟକୁ ଆଗକୁ ଝୁଂକାଇ ଚେନ୍କୁ ଟାଣି ଟାଣି ଆସୁଥିଲେ । କୁକୁରଟି ଘୋଷାଡ଼ି ହୋଇ ଯାଉଥିଲା । ବୃଦ୍ଧ ଏବେ କୃଦ୍ଧ ହୋଇ ତାକୁ ଲାତ ମାରି ସମଗ୍ର ଗାଁଟିର ନିରବତା ଭଙ୍ଗାଇ କହିଲେ ‘ହାରାମଜାଦା, ଘୋଡ଼ାମୁହାଁ’ ଏବଂ ପ୍ରଭୁ ଭକ୍ତ କୁକୁରଟି ଏବେ ଲୋମହୀନ ଲାଂଗୁଡ଼ ହଲାଇ ଚାଲିଲା । ତାଙ୍କୁ ଚେନ୍ ଟାଣିବାକୁ ପଡ଼ିଲା ନାଇଁ । ମଝିରେ ଛିଡ଼ା ହୋଇ ବୃଦ୍ଧ ଜଣକ ନିଜ ମୁଣ୍ଡର ଚୁଟି ଝାଡ଼ି ବାନ୍ଧିବାକୁ ଲାଗିଲେ । କୁକୁରଟି ଛିଡ଼ା ହୋଇ ନିଜ ଦେହର ପାଣିକୁ ଛିଞ୍ଚାଡ଼ି ଦେଲା, ଆଉ କୁରୁଳି ଉଠିଲା । ତାର ଯତକିଞ୍ଚିତ୍ ଲୋମସବୁ ଟାଙ୍କୁରି ଉଠିଲା । ତା ପିଠିରେ ଘା ହୋଇ ଲୋମ ଅନେକ ଝଡ଼ି ଯାଇଛି । ଆଉ ତା ଲୋମହୀନ ଲାଂଗୁଡ଼କୁ ମାଛି ବା କୀଟ ବା ପତଙ୍ଗ ମାନଙ୍କ ଖାତିର ନ ଥାଏ । ବୃଦ୍ଧଙ୍କ ପିଠିରେ ବି ଘା’ଟିଏ । ସେ ବେଳେବେଳେ ବିରକ୍ତିରେ ମାଛି ମାନଙ୍କୁ ବି ଗାଳି କରୁଥାନ୍ତି । କୁକୁର ଭାବେ ବୋଧହୁଏ ତାକୁ ଗାଳି ବର୍ଷୁଛି ତେଣୁ ସେ ଅଟକି ଯାଏ । ବୃଦ୍ଧଙ୍କ ଆଖିକୁ ଦେଖେ କରୁଣ ଦୃଷ୍ଟିରେ । ବୃଦ୍ଧ ବି ତାକୁ ଦେଖନ୍ତି ଘୃଣ୍ୟ ଦୃଷ୍ଟିରେ । ପୁଣି ଚେନ୍ ଟାଣିବାକୁ ଲାଗଂତି । ଏଥର କିନ୍ତୁ କୁକୁରଟି ଆଗେ ଆଗେ ଓ ବୃଦ୍ଧ ଟାଣି ହୋଇ ପଛେ ପଛେ ଏ ଏକ ଅନନ୍ତ ଯାତ୍ରା । ବୃଦ୍ଧ ସାଂବାଦିକ ଦିଜଣଙ୍କ ନିଶ ପ୍ରତି କାହାରି ଦୃଷ୍ଟି ଗଲାନାଇଁ, କେହି ଆକର୍ଷିତ ହେଲେ ନାଇଁ, କେହି ଜିଜ୍ଞାସୁ ହେଲେ ନାଇ, କେହି ପ୍ରଶ୍ନ କଲେ ନାଇଁ, କିଏ? କାହିଁକି? କେହି ଦୁର୍ ଦୁର୍ କଲେ ନାଇଁ, କେହି ମାର୍ ମାର୍ କଲେ ନାଇଁ । ପାଞ୍ଚଜଣ କୁକୁର ମଧ୍ୟ କୁଁ କୁଁ କୁଁ କୁଁ କୁଁ କଲେ ନାହିଁ, କି ଭୋ ଭୋ ଭୋ ଭୋ ଭୋ କଲେ ନାହିଁ । ସାଂବାଦିକ ଦୁହେଁ କାହା ଅଗଣାରେ, କାହା ଛାଉଣି ତଳେ ବସିଲେ, ଭଙ୍ଗା ଶଗଡ଼ ଚକରେ ବସିଲେ, କାଠଗଦା ଉପରେ ବସିଲେ, ଜଣକୁ କହିଲେ, ‘ବୁଢ଼ାବାବା’, ଜଣକୁ କହିଲେ ‘ବୁଢ଼ୀ ମା, ଢେର ସ୍ୱଗତୋକ୍ତି କଲେ, କୁକୁର ମାନଙ୍କୁ କହିଲେ, ‘ଚୁ ଚୁ ଚୁ ଚୁ ଚୁ’, ଏକମାତ୍ର ଶୁଆକୁ କହିଲେ ‘ମିଟୁ ମିଟୁ ଏ ମିଟୁ, ତୁ ବି ଚୁପ୍, ମିଟୁ, ଏ ମିଟୁ, ଉଁ ଚୁଁ କେହି କୁଆଡ଼େ ନାହିଁ । ନିର୍ବାକ ଚଳଚ୍ଚିତ୍ରର ଚରିତ୍ର ମାନଙ୍କ ପରି ବୃଦ୍ଧମାନେ ଓ ତାଙ୍କ ଛାଇମାନେ ଏଠୁ ସେଠିକି ନିରବରେ ଯା’ଆସ କରୁଥାନ୍ତି । ବିରିପାଲି ଗାଁ ପରିବେଶ ଯେମିତି ଏକ ନିସ୍ତବ୍ଧ କୁହର, ସମସ୍ତେ ଯେପରି ଏଠି ତୁଷାର ପୁରୁଷ । ସାଂବାଦିକ ଦୁହେଁ ଗାଡ଼ି ଭିତରେ ବସି ଫ୍ଲାସ୍କ୍ ରୁ ଚା ଖାଇଲେ ଏବଂ ହଟ୍କେଶ୍ରୁ ଜଳଖିଆ ଏବଂ ପରସ୍ପର ପ୍ରତି ବିରକ୍ତ ହେଲେ । ତାଙ୍କର ଭାଗ୍ୟକୁ ସେପଟୁ କେହି ଜଣେ ବିଧାତା ସାଇକେଲରେ ଆସୁଥିବା ଦେଖି ତାଙ୍କୁ ଅଟକାଇଲେ । ଦୀର୍ଘ ଛଅଘଣ୍ଟାର ପରିଶ୍ରମ ପରେ