ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର କଥାଦର୍ଶ ଗଳ୍ପର ସଞ୍ଜ୍ଞା କଣ? ଗଳ୍ପ ପ୍ରକୃତରେ ଥାଏ କେଉଁଠି? ଗଳ୍ପ ଭିତରେ କଣ ଥାଏ? ଗାଳ୍ପିକ କିଏ? ଚରିତ୍ର କଣ? ଏପରି ପ୍ରଶ୍ନମାନଙ୍କର ଉତ୍ତର ଖୋଜିବା ଦିନବେଳା ଲଣ୍ଠନ ଜାଳି ହାଟବଜାରରେ "ମୁଁ ଈଶ୍ୱରଙ୍କୁ ଖୋଜୁଛି' ବୋଲି କହିବା ସଙ୍ଗେ ସମାନ । କୁହାଯାଏ ମଣିଷସବୁ ଅଧା ରକ୍ତମାଂସରେ ତିଆରି ଓ ଆଉ ଅଧା ଗଳ୍ପରେ ତିଆରି । ଏଠି କଣ ଗଳ୍ପ ନୁହେଁ ? କିଏ ଗାଳ୍ପିକ ନୁହେଁ? ଖାଲି ଲେଖିବା ନ ଲେଖିବା କଥା ତ? ପାଣି-ପବନ-ମାଟି-ଗଛଲତା- ମରୁବାଲି-ବରଫ-ବନ୍ୟା-ବାତ୍ୟା-ମାରୀ-ମରୁଡ଼ି ଗଳ୍ପ ସବୁଠି ଥାଏ । "ଲୋକେ ନିଜ ନିଶ୍ୱାସରେ ଗଳ୍ପ ତ୍ୟାଗ କରନ୍ତି ।' ଛୋଟ ଏକ ଗାଁ । ଗାଁର ଏକ କନ୍ଧବୁଢ଼ା । ତାଙ୍କ ଦେହରେ ଅସଂଖ୍ୟ ପୋଡ଼ାଦାଗ, ତାଙ୍କ ବତୁରି ଯାଇଥିବା ଚର୍ମ, ତାଙ୍କ ବିଲୋଳ ହସ, ତାଙ୍କ ନିରବତା, ତାଙ୍କ ଖାଲିହାତରେ ବାଘ ସଙ୍ଗେ ଲଢ଼େଇର ଖିଆଲ, ତାଙ୍କ ଶିଶୁସୁଲଭ ଦୃଷ୍ଟି ସବୁକିଛି ଗୋଟିଏ ଗୋଟିଏ ଗଳ୍ପ । ସେ ଯେ କୌଣସି ବସ୍ତୁକୁ ଛୁଇଁ ଦିଅନ୍ତି ସେ ଏକ କାହାଣୀ ପାଲଟିଯାଏ । ସେ ରୋପଣ କରିଥିବା ଗଛ, ସେ ଖୋଲିଥିବା ଏକ ଚହଲା, ସେ ପାଳନ କରିଥିବା କୁକୁର, ଯିଏ କି କେବଳ ମୃତ୍ୟୁଖବର ଆଣେ-ସିଏ ବି ଏକ ଗଳ୍ପ । ଏଗାଁର ବୁଢ଼ାଲୋକମାନେ ଯେଉଁଠି ବସି ଥାଆନ୍ତି ସେଠି ଖରା ବର୍ଷା ଶୀତ, ଛାଇ ଓ ଉତ୍ତାପ, ନେତା ଓ ସରକାର, ବ୍ୟକ୍ତି ବା ସଂସ୍ଥା, ସମସ୍ତେ ବାଟକାଟି ଯାଉ ଥାଆନ୍ତି । କେହି କାହାକୁ ନେଇ ବିଚଳିତ ହୁଅନ୍ତି ନାହିଁ । ସମସ୍ତେ ନିର୍ବିକାର-ପଥର ପରି, ତେନ୍ତୁଳି ଗଛପରି, ପିମ୍ପୁଡ଼ିଧାର ପରି, ଠାକୁରାଣୀ ଖୁଂଟପରି, ଈଶ୍ୱର ବିଶ୍ୱାସପରି, ଅନ୍ଧବିଶ୍ୱାସ ପରି । ଗଳ୍ପ ଆଉ କେଉଁଠି ଥାଏ କି? ପ୍ରେମକରିବାର ମୁହୂର୍ତଠାରୁ ଆରମ୍ଭକରି ଶବ ବ୍ୟବଚ୍ଛେଦର ମୁହୂର୍ତଯାଏ ସବୁଠି ତ ଗଳ୍ପ । ସଭିଏ ଗଳ୍ପ ସାଇତିଥାନ୍ତି । ଗାଳ୍ପିକ ତାର ଖିଆଲି ମନ, ସ୍ୱପ୍ନ ଓ ସ୍ୱାଧୀନତା ନେଇ ସବୁ ବସ୍ତୁକୁ ଚାହେଁ, ସବୁ ଘଟନାକୁ ଚାହେଁ, ଓ ସେମାନେ ସଙ୍ଗେ ସଙ୍ଗେ ଗଳ୍ପ ପ୍ରସବ କରନ୍ତି । ଗୋଟିଏ ଭୂମିକମ୍ପରେ ଉଜୁଡ଼ି ଯାଇଥିବା ଛାତ ତଳୁ ଉହୁଂକି ମାରୁଥିବା ହଳେ ପାଦତଳେ, ବାତ୍ୟାରେ ଉଡ଼ି ଆସିଥିବା ପ୍ରତିଟି ପେଟ ଭିତରେ, ବନ୍ୟାରେ ଭାସୁଥିବା ମୁଣ୍ଡର କେଶରେ, ମରୁଡ଼ିର କ୍ଷୁଧାରେ, କୋଟରଗତ ଚକ୍ଷୁରେ, ଉଗ୍ରବାଦୀର ଗୁଳିବାଜିଥିବା ମୁଣ୍ଡର କଣା ଭିତରେ, ସ୍କାମପୂର୍ଣ ଆଟାଚି ଭିତରେ ସତେ ଯେମିତି ଗଳ୍ପ ଉଛୁଳି ପଡୁଥାଏ । ଏଠି ବେନ୍ ଓକ୍ରିଂକୁ ମନେ ପକାଯାଇପରେ, "ଗଳ୍ପର ଏପରି ଉଛୁଳି ପଡୁଥିବା ଅବସ୍ଥା ନିଶ୍ଚୟ ଏକ ବିଶୃଙ୍ଖଳିତ ପରିବେଶକୁ ଇଂଗିତ କରେ । ଯେଉଁଠି ଗଳ୍ପ ଉଛୁଳି ପଡୁଥାଏ ସେଠି ଲୋକେ ଗଳ୍ପରୁ କିଛି ଶିଖନ୍ତି ନାଇଁ । ତେଣୁ ସେ ଦେଶଟା ବାହାରକୁ କିଛି ଗଳ୍ପ ଚାଲାଣ କରିବା ଦରକାର, ନିଜ ସ୍ୱଚ୍ଛତା ଯାଇଁ । ରସାତଳକୁ ଯାଉଥିବା ଗୋଟିଏ ଦେଶ ଏତେ ଗଳ୍ପ ଜନ୍ମକରେ ଯେମିତି ଗୋଟିଏ ଶବ ପୋକ ଯୋକ ଜନ୍ମକରେ ।' ମାତ୍ର ଗଳ୍ପ କେଉଁଠି ଥାଏ ନାହିଁ? କୁମ୍ଭମେଳାରେ ବୁଡ଼ ପକାଉଥିବା ଲୋକଙ୍କ ଲକ୍ଷେ କୁମ୍ଭରେ ଗୋଟିଏ ହେଲେ ଗଳ୍ପ ଥାଏ ନାହିଁ । ଗଳ୍ପ ନ ଥିବା ମଣିଷ ସମାଜ ହେଉଛି ସିଦ୍ଧ ପୁରୁଷଙ୍କ ସମାଜ । ସିଦ୍ଧ ପୁରୁଷଙ୍କ ମୁଣ୍ଡର ଜଟା ବା ଥୋଡ଼ିର ଜଟା ବା ଜଂଘସନ୍ଧିର ଜଟାରେ ଗଳ୍ପ ଖୋଜିଲେ ମିଳେନା । ସେମାନେ ଲୋକଙ୍କୁ ଆକର୍ଷଣ କରନ୍ତି । କିନ୍ତୁ ତାହା ବିଷପରି ଏକ ଉଗ୍ର ଆକର୍ଷଣ । ସେଇ ଜଟା ଭିତରେ ଛପି ରହିଥିବା ଜୀବନ ପ୍ରତି ଭୟଙ୍କର ଘୃଣାଭାବ, ଜୀବନ ପ୍ରତି ବିମୁଖତା, ଓ ଜଟା ଭିତରୁ ବାହାରୁଥିବା ଗୋଳମାଳିଆ ଶବ୍ଦ ତଥା ଶାବ୍ଦିକ ଆଡଂବରର ଉଛ୍ୱାସ ଏତେ ଗଭୀର ଯେ ତା ଭିତରୁ ଜଣେ ମୁକୁଳି ପାରେନା । ଶବ୍ଦ ସବୁ