ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୋଲିଓ ଦେବା ପରେ ରାହୁଳ କାଂଦେ, ହସେ, ପୁଣି କାଂଦେ, ଦାଂତ ଉଠେ, ତା ପାଟିରେ ହାତ ଦେଇ ସ୍ତ୍ରୀ ବାଚକଟି କୁତୁକୁତୁ ଅନୁଭବ କରେ ଓ ୟାଂକୁ ଭାଷଣ ଶୁଣାଏ, ଦେଶରେ ଏକଶହ ଏକାବନ ଟି ଶିଶୁ ହତ୍ୟା ହୋଇ ସାରିଥାଏ । ଜୀବନ ଦାସର ସି.ଏଲ୍. ସରି ଯାଇଥାଏ, ଟୁର୍ ବିଲ୍ ଏ ଯାଏ ହେବା ବାକିଥାଏ, ପଦୋନ୍ନତି ହେବ ହେବ ହୋଇ ହୋଇ ନ ଥାଏ । ରାହୁଳ ପାଇଁ ସିଲଟ କିଣା ହୋଇଥାଏ, ତିନିଚକିଆ ସାଇକେଲଟା ନୂଆ ହୋଇ କିଣା ହୋଇଥାଏ, କଂଢେଇ ମାଂକଡ଼ଟିର ଲାଂଜ ଛିଂଡି ଯାଇଥାଏ, ସୋଫାସେଟ୍ ର କଭର ମୂତ ମୂତ ଗଂଧୁଥାଏ, ଚାରିଟା ଅଲଗୁଣିରେ ଭିଜା କଂଥାକନା ଶୁଖୁଥାଏ, ବର୍ଷା ଦିନରେ ସ୍ତ୍ରୀଟି ବର୍ଷାକୁ ଗାଳି କରୁଥାଏ, ଧାଁ ଦଉଡ଼ କରି ଲାଂଚ ଦେଇ ସୁଦ୍ଧା ଏଇ ଯାଗାକୁ ବଦଳିଟା ହୋଇ ପାରୁ ନଥାଏ, ସ୍ତ୍ରୀ ବାଚକର ଶାଢ଼ିରେ କଳାଦାଗ ଦଗ୍ ଦଗ୍ କରୁଥାଏ, ଆଲବମରୁ ଧୂଳି ଝାଡ଼ି ରାହୁଳର ଫଟୋ ଲଗା ସରିଥାଏ, ଘରପିଂଧା ଶାଢ଼ିଟିଏ ପାଇଁ ଏ ଯାଏଁ ଦରମା ମିଳି ନ ଥାଏ, କୁମାରୀ ଦଶମ ଶ୍ରେଣୀ ଏବେ ବି.ଏ.ରେ ସଂମାନର ସହ ପାସ, ପାର୍ଲାମେଣ୍ଟରେ ବଜେଟ୍ ଉପରେ ବିତର୍କ ଚାଲିଥାଏ, ଦିଲ୍ଲୀର ରାଜପଥରେ ଦଶଗୋଟି ହତ୍ୟା ହୋଇଥାଏ, ଦୁଇଟି ବନ୍ୟାରେ ପାଂଚ ହଜାର ମୃତ ଓ ପଚାଶ ହଜାର ଗୃହଶୂନ୍ୟ, ଗୋଟିଏ ବାତ୍ୟାରେ କୋଡ଼ିଏ କୋଟି ଟଂକା କ୍ଷତି, ଇରାନ୍ ରେ ତିନିଶହ ଅନେଶତ ଜଣଂକୁ ଗୁଳିକରି ହତ୍ୟା, ଦକ୍ଷିଣ ଆଫ୍ରିକାରେ ପୁରା ଦମ୍ ରେ ଚାଲିଥାଏ ଆଂଦୋଳନ, ପ୍ରେମିକ ପ୍ରେମିକା ଚାରିହଳ ଆତ୍ମହତ୍ୟା କରି ସାରିଥାଂତି, ଗୋଟାଏ ନୁହେଁ ସାତ ସାତଟି ଫଣାଥିବା ନାଗସାପକୁ ମାରିବାରେ ଭଗବାନଂକ ଝାଳନାଳ ନିଗିଡ଼ି ପଡ଼ୁଥାଏ, ଆର୍ ଥ୍ରୀ ବାଇ ୱାନ୍ ନଂବର ଘର ବାଡ଼ବାହାରେ ଅଳିଆଗଦା ବେଶ୍ ବିରାଟ ଆକାର ଧାରଣ କରୁଥାଏ, ଅଳିଆଗଦାମାନେ ଇଂଜେକସନ୍ ଶିଶି, ଔଷଧ ଖୋଳ, ପାଉଁରୁଟି କାଗଜ, ଅଂଡାର ଖୋଳପା, ନିରୋଧ ବେଲୁନ, ଭଂଗା କଂଢେଇ, ଅଇଁଠା ପିଜୁଳି, ଶୁଖାପତ୍ର ଫୁଲ, କୁକୁଡ଼ାର ପର, ଫୁ୍ୟଜ୍ ବଲ୍ବ, ରାହୁଳର କମ୍ପୋଷ୍ଟ, ବେଂଡେଜ୍ କନା, ଟୁକୁରା କାଚ, ଭଂଗା ଚୁଡ଼ି, ମୁଂଡର ଜଟା ଅଳିଆଗଦାମାନେ ପୃଥିବୀର ଘା’ ପକ୍ଷୀ ସବୁ ଅଇଁଠା ପିଜୁଳି ଛାଡ଼ି ଯାଉଥାଂତି ଅନେକ ଶୀତର ଅଗଣାରେ, ଜୀବନ ଦାସ ଜାଣି ପାରେନା ତା ଭିତରେ ସ୍ୱପ୍ନଟିଏ ଅଛି ଶୀତଟିଏ ଅଛି ଆକାଶୀଆ ଗୀତଟିଏ ଅଛି, ମଝିରେ ମଝିରେ ଜୀବନ ଦାସ ନାଁରେ ଟେଲିଗ୍ରାମ ଆସେ ଚଟାପଟ୍ ଘରେ ତାଲା ଦେଇ, ରିକ୍ସା ଡାକି ଉଭାନ୍ ହୁଅଂତି ତିନିହେଁ, ପଂଦର ଦିନ ପରେ ଫେରଂତି ରିକ୍ସାରେ, ଜୀବନ ଦାସ ନଂଡା ହୋଇଥାଏ, ଛାତରୁ ଅଳଂଧୁ ଓ କାଂଥରୁ ମକରା ଜାଲ ସଫା କରୁଥାଂତି, ଫୁଲ ଗମଲାରେ ପାଣିଦିଆ ଚାଲିଥାଏ ଅଗଣାକୁ ଝାଡ଼ୁ କରାଚାଲିଥାଏ ସ୍ତ୍ରୀଟି ବାଂତି କରୁଥାଏ ପୁଂ ବାଚକର ଇସ୍ନୋଫେଲିଆ ବଢ଼ୁଥାଏ,