ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିରନ୍ତର ଯାଯାବର ସେ ଏକ ବୃଦ୍ଧ ଯାଯାବର କଳାମାଛ । ତା ଆଖିର ରଙ୍ଗ ଲାଲ । ତା ଆଖିରେ କେବେବି ପଲକ ପଡ଼େନା । ସେ କେବେବି କାହା ସାଙ୍ଗରେ କଥା ହୁଏନା । କୌଣସି ନିର୍ଧାରିତ ଅଞ୍ଚଳରେ ସେ କେବେବି ନିରନ୍ତର ଦେଖାଦିଏନା । ସେ ଯାଯାବର । ସବୁବେଳେ ଏଠୁ ସେଠିକି, ସେଠୁ ଏଠିକି ହେଉଥାଏ । ଖାଦ୍ୟ ପ୍ରତି ତାର ନିଘା ଥାଏନା । ତା ପାଟି ପାଖରେ ଯଦି କିଛି ଖାଦ୍ୟ ଆସି ଧରା ଦିଏ ତେବେ ସେ ଖାଏ, ନଚେତ ସେ କେବେବି ଖାଦ୍ୟ ଅନ୍ୱେଷଣରେ ବାହାରେନା । ଅହରହ ସେ କାହାକୁ ଖୋଜୁ ଥିବାପରି ଜଣା ଯାଉଥାଏ । ପୃଥିବୀ ଯାକର ବୋଝ, ସେ ହିଁ ମୁଣ୍ଡରେ ବୋହିଛି ପରି ଜଣାପଡ଼େ । ସମସ୍ତଙ୍କର ଦୁଃଖ ସେହିଁ ଛାତିରେ ଧରିଛି । ସମସ୍ତଙ୍କ ମୁହଁର ଗାର ସବୁ ସତେ ଯେମିତି ତା ମୁହଁରେ ଆସି ଠୁଳ ହୋଇଛି । ତା ତେଣା ଦୁଇ ହଳ ଓ ଲାଞ୍ଜ ହଳକ ସବୁବେଳେ ଚଞ୍ଚଳ ଥାଆନ୍ତି । ତାକୁ କ୍ଳାନ୍ତି ଲାଗୁ ନଥିବ କାଳେ!! ସେ କେବେବି ଅନ୍ୟମାଛଙ୍କ ଗହଳିକୁ ଆସି ଦୁଃଖସୁଖ ହୁଏନା । କୋରାଲ ଧଡ଼ିରେ ସେ କେବେବି ଆଶ୍ରୟ ନିଏନା । ମତ୍ସ୍ୟକନ୍ୟାମାନଙ୍କ ସାଙ୍ଗରେ କେବେବି ଲୁଚକାଳି ଖେଳେନା । ମତ୍ସ୍ୟ ଘୋଟକମାନଙ୍କ ସମାରୋହରେ କେବେବି ଭାଗ ନିଏନା । ସାମୁଦ୍ରିକ ଗଛମାନଙ୍କ ଡାଳରେ କେବେବି ବିଶ୍ରାମ ନିଏନା । ପତ୍ରଫୁଲ ଓ କଣ୍ଟାମାନଙ୍କ ଛାଇସାଙ୍ଗରେ କେବେବି ଲାଗେନା । ବାରମ୍ବାର ଆକାଶକୁ ଡିଆଁ ମାରୁଥାଏ । ହାଲିଆ ହୋଇପଡ଼େ । ତଥାପି ଡିଆଁ ମାରିବା ଚାଲୁ ରଖିଥାଏ । ବେଳେ ବେଳେ ସେ ହାଉଁଳି ପଡ଼େ, ଚମକି ଉଠେ, ଡରିଯାଏ ନିଜକୁ ନିଜେ । ବିଳିବିଳେଇ ଉଠେ । ପୁଣି ନିଜେ ନିଜେ ଚୁପ୍ ହୋଇଯାଏ । କେହି ହେଲେ "ଭୟକରନା ଆମେ ଅଛୁଁ' ବୋଲି କହନ୍ତି ନାଇଁ । ବରଂ କେହି କେହି "ପାଗଳଟାଏ, ତା ମୁଣ୍ଡ ଖରାପ ହୋଇଗଲାଣି' ବୋଲି କହନ୍ତି । କହନ୍ତି "ଯାଯାବରଟାଏ' । ବୃଦ୍ଧ ଯାଯାବରର କାହାପ୍ରତି କେବେ ହେଲେ ବିଦ୍ୱେଷଭାବ ନ ଥାଏ । ନିରନ୍ତର ସେ ପହଁରୁଥାଏ । କେତେବେଳେ ଜୋର୍ରେ । କେତେବେଳେ ଧୀରେ ଧୀରେ । କେବେ ଆକାଶ ଆଡକୁ ଡିଆଁ ମାରେ, କେବେ ଗଭୀର ଜଳ ଭିତରକୁ ତୀରଗତିରେ କ୍ଷେପିଯାଏ । ତା ଦେହ ଅବଶ ହୋଇ ଯିବ କହିଲେ ସେ ଭ୍ରୂକ୍ଷେପ କରେନା । ତା ଡେଣା ଛିଣ୍ଡି ଯିବ କହିଲେ ସେ ଶୁଣେନା । ଅନ୍ୟମାନେ ଦୂରରୁ କେବଳ ତାକୁ ଚାହୁଁଥାନ୍ତି । କିଛି କହିବା ବା କିଛି କରିବା ସମ୍ଭବ ହେଉ ନଥାଏ । ବୃଦ୍ଧ ଯାଯାବରର ଲାଲ ଆଖିରେ କେବେବି ପଲକ ପଡ଼େନା । ପଲକପଡ଼ିବାମାନେ ନୂଆଭାବେ ନିଜକୁ ଓ ଜଗତକୁ ଦେଖିବାର ସଂକେତ । କ୍ଳାନ୍ତି ଦୂରକରି ନୂତନ ଉସôାହରେ ଦଶଦିଗ ଦେଖିବାର ସଂକେତ । ପଲକପଡ଼ିବା ମାନେ ନିଜକୁ ପୁଣିଥରେ ଆବିଷ୍କାର କରିବା । ନୂଆ ଆଶାର ସଂଚାର ହେବା । ବଞ୍ଚିବା ପାଇଁ ଏକ ଖୋରାକ ମିଳିବା । ଯେଉଁଠି ଆଖିପତା ପଡ଼େନାହିଁ ତାହା ନରକ ଭିନ୍ନ ଅନ୍ୟକିଛି ହେବା ସମ୍ଭବ ନୁହେଁ । ଅହରହ ବିଷାଦଗ୍ରସ୍ତ ପୌନଃପୁନିକ ବିରାମହୀନ ଜୀବନଟି ନରକ ବ୍ୟତୀତ ଆଉ କଣ ଅଧିକ ଦେଖିପାରେ? ମେରୁ ଅଞ୍ଚଳରେ ଲୋକେ ଛମାସ ଆଲୁଅରେ ଅପଲକ ରହିଯାଆନ୍ତି ଅନ୍ଧାରକୁ ଭାବି ଭାବି ଓ ଅନ୍ଧାର ଭିତରେ ବି ଛମାସ ରହି ଯାଆନ୍ତି ଆଲୁଅକୁ ଭାବି ଭାବି । ଅଥଚ ଯାଯାବର ମାଛଟି କି କଷ୍ଟ ପାଉ ନଥିବ । ତା ଲାଲଆଖିର ପତା କେବେବି ପକାଇ ପାରେନା ା କଣ ଦେଖୁଥାଏ ସେ ଏତେ ସମୟଧରି? କଦବାକ୍ୱଚିତ୍ ସେ ଆକାଶ ଜହ୍ନ ତାରା ଦେଖେ ବେଳ ଅବେଳରେ । ପୁଣି ସଙ୍ଗେ ସଙ୍ଗେ ଖପ୍ କରି ପଡ଼ିଯାଏ ପାଣିରେ ଓ ଦେଖେ ଧୂସର ସମୁଦ୍ର । ସମୁଦ୍ରର ଧୂସରତା ଦେଖିବା ତା ଅଭ୍ୟାସରେ ପଡିଗଲାଣି । ଅନନ୍ତକାଳ ପାଇଁ ବିରାମହୀନ ଜୀବନଟେ ଜିଇଁବା ତାର ଅଭ୍ୟାସରେ ପଡ଼ିଗଲାଣି । ଏମିତି ଦିନେ ସେ ଏକାକୀ ଗଭୀରରୁ ଗଭୀରତର ସମୁଦ୍ର ଭିତରେ ଦ୍ରୁତଗତିରେ ପହଁରି ଯାଉଥିବା ସମୟରେ ଦେଖିଲା ତା ଚାରିଦିଗରେ ଚାରୋଟି ବଡ଼ ବଡ଼ ନିଶ ଓ ଦାନ୍ତ ଥିବା ଏବଂ ଚିତାବାଘ ପରି ଦେଖାଯାଉଥିବା ବାଦାମୀ ରଙ୍ଗର ମାଛ ପହଁରୁଛନ୍ତି । ତାର ଗତି ସାଙ୍ଗରେ ସେମାନଙ୍କ ଗତି ମିଳାଇ ଚାଲିଥାଆନ୍ତି । ହଠାତ ସେ କିଛି ବୁଝି ପାରିଲା