ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁଣି ସଂଘମିତ୍ରା ଜନମ ହୁଏ ତିନିଚକିଆ ସାଇକେଲର ଚକା ଖୋଲୁଥାଏ, ସଜଡ଼ା ଚାଲିଥାଏ, ଧୋବାଘରୁ ଆସିଥିବା ସାର୍ଟର ବୋତାମ ଛିଂଡୁଥାଏ, ଟିପା ଚାଲିଥାଏ, ଶୀତ ଆସେ ଚାଲିଯାଏ ବାହାଘର ବେଳେ ଆଣିଥିବା ଉଲ୍ର ସ୍କାର୍ଫ ଏବେ ଚାରି ଜାଗାରେ କଣା ହୋଇଥାଏ, ପିଲାଂକ ସ୍ୱେଟର ସବୁ ଛୋଟ ଛୋଟ ହେଉଥାଏ, ସ୍ତ୍ରୀବାଚକଟି ଗୁଣୁଗୁଣୁ ଚିଡ଼ିଚିଡ଼ି ହେଉଥାଏ, ପୁଂବାଚକ କହୁଥାଏ ‘ଏଥରଟା ଯାଉ ଆର ଶୀତରେ’ ଖରା ଆସେ, ପଟ୍ଟନାୟକ ବାବୁ ଘରେ କୁଲର୍ କିଣିଥିବା ଖବର ସ୍ତ୍ରୀଟି ଦିଏ, ସିଏ କହେ ‘ଗଲାଥର ପରି ଏଥର ଗରମ କରୁ ନାହିଁ ତ’ ଖାଇବା ଟେବୁଲ୍ ପୁଣି ପଢ଼ା ଟେବୁଲ୍ ହୁଏ, ପୁରୁଣା ପରଦାକୁ ତା ଉପରେ ବିଛା ହୁଏ, ଫିଲ୍ମ୍ଫେଆର୍ ମଲାଟ ଲାଗିଥିବା ଭାରତ ଇତିହାସ, ଅଭିନବ ବୀଜ ଗଣିତ, ସଂସ୍କୃତ ପ୍ରବେଶ, ମାଇଁ ଇଂଲିଶ ରିଡର୍ ବୁକ୍ ୱାନ୍ ଥାଏ, ଦୁଆତ ଥାଏ, କଂପାସ୍ ଥାଏ, ଡ୍ରଇଁ ଖାତାରେ ଶାଢ଼ିର ଧଡ଼ି, ଝରଣା, ଉଇଁ ଆସୁଥିବା ସୂର୍ଯ୍ୟ ପ୍ରଜାପତି ଜହ୍ନ ଜଗନ୍ନାଥ ଓ ତାଜମହଲ ଅଂକା ହେଉଥାଏ, କୁମାରୀ ଦଶମ ଶ୍ରେଣୀ ବି.ଏ. ପରେ ଏବେ ଶ୍ରୀମତୀ ବଧୂ, ତାର କଣ ପିଲାପିଲି ହେବ ବୋଲି ଗତକାଲି ଶାଶୁଘରୁ ଆସି ଏଠି ପହଂଚିଥାଏ ସଂଘମିତ୍ରା ସ୍କୁଲ ଫ୍ରକ୍ ଲଗାଇ ମା ସାଥୀରେ ଯାଏ ଓ ଫେରେ, ରାହୁଳ ମାଟ୍ରିକ୍ରେ ଦ୍ୱିତୀୟ ଶ୍ରେଣୀରେ ପାସ କଲା ବୋଲି ପେଂଟସାର୍ଟ ଓ ଘଡ଼ିଟିଏ ପାଇଁ ଜିଦ୍ ଧରିଥାଏ, ଦହନାର ମା ବୁଢ଼ୀ ହୋଇ ସାରିଥାଏ ଓ କହୁଥାଏ ଯେ, ବୁଇର ବିହା ବେଳକୁ ସେ ଯେମିତି ହେଉ ଯିବ, ଜୀବନ ଦାସ ଏବେ ବଡ଼ବାବୁ । ଅପରାହ୍ନର ଖରା ଏବେ ରଗ୍ ରଗ୍ ଜଳୁଥାଏ ଖାଇଲାବେଳେ ସ୍ତ୍ରୀ କହେ, ‘ରୁହରୁହ ତୁମ ମୁଂଡର ଭଉଁରୀ ଯାଗାରେ ପାଚିଲା ବାଳଟିଏ ଟାଣିଦିଏଁ, ରାହୁ କଣ ପିକ୍ନିକ୍ ଯିବ ବୋଲି କହୁଥିଲା, ମିତାର କଣ ଡ୍ରେସ୍ କରିବ ବୋଲି ଗଲା ମାସରେ କହିଥିଲା ପରା? ଆଜି ସେ ପାଟି କରୁଥିଲା, ତମେ ସେ ଲୋକଟା ସାଂଗରେ ବେଶୀ ଲଗାଲଗି କରିବନି, ସେ ଦୁଇ ଦୁଇଟା ଲୋକ ମାରି ସାରିଲାଣି ବୋଲି ପଟ୍ଟନାୟକ ବାବୁଂକ ସ୍ତ୍ରୀ କହୁଥିଲେ,’ ସୋଫାସେଟ୍ର ସ୍ପଂଜ ସବୁ ବାହାରି ଗଟ୍ ଛିଂଡି ଯାଇଥାଏ, ପୁରୁଣା ଶାଢ଼ିକୁ କାଟି ସଂଘମିତ୍ରା ମେକ୍ସି ପିଂଧେ, ଝରକାର ପରଦା କରେ, ଯୌତୁକ ପ୍ରଥା ବିରୁଦ୍ଧରେ ଭାଷଣ ପ୍ରତିଯୋଗିତାରେ ପ୍ରଥମ ହୋଇ ସାଧାରଣତଂତ୍ର ଦିବସରେ କୌଣସି ମହାମାନବଂକ ଠାରୁ ସିଲ୍ଡ ପାଉଥିବାର ଫଟୋ କାଂଥରେ ଝୁଲାଇଥାଏ, ପୁରୁଣା ପଂଡ୍ସ ଡବା ଭିତରେ ପାଂଚଦଶ ପଇସି ଚାରିଣି ଆଠଣି ଗଳାଉଥାଏ ଟେପ୍ ସଜାଇ ସଜାଇ ଖରାପ ହେଲାପରେ ପଲଂକ ତଳେ ଗଡୁଥାଏ, ରାହୁଳ କେବେକେବେ ବାପାଂକ ପକେଟରୁ, ପଂଡସ୍ ଡବାରୁ ଚୋରି କରେ ପଇସା, ଲୁଚି ଲୁଚି ସିନେମା ଯାଏ, ସିଗାରେଟ ଖାଏ, ଏଥର ସେ ବି.ଏ.ର ସପ୍ଲିମେଂଟାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାଏ, ସଂଘମିତ୍ରା ସ୍ୱପ୍ନ ଦେଖିବା ଆରଂଭ କରେ, ଏକାଦଶ ଶ୍ରେଣୀର ଗଣିତ ଅପ୍ସନାଲ୍ ଖାତା ତଳେ ପ୍ରେମପତ୍ର ଲେଖୁଥାଏ ଲୁଚି ଲୁଚି, ରାହୁଳ ଭଉଣୀର ପ୍ରେମକଥା ତା ସାଂଗଠାରୁ ଶୁଣେ ସଂଘମିତ୍ରା ବି ତାକୁ ମୁହେଁ ମୁହେଁ କହେ, ‘ଯେମିତି ତୋ କଥା ମୁଁ ଜାଣିନି, ଭାରି ଦେଖାଇ ହେଉଛି’ ସ୍ତ୍ରୀବାଚକର ଏବେ ଅଧକପାଳି ଧରେ ପବନପବନ କଣ ପେଟ ଭିତରେ କେଉଁଠି ରହିଲା ପରି ବୋଧହୁଏ, ଡାକ୍ତରଂକ ପାଖରୁ ଯିବ ଯିବ ହୋଇ ଯାଇପାରେ ନା, ପୁଂବାଚକକୁ ପାଂଚପଚିଶ ଗାଁର ଲୋକେ ଭୟଭକ୍ତି କରୁଥାଂତି