ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଘ ଶିକାର

                           -------------
 ବିରିପାଲି ଗାଁରେ କୌଣସି ଏକ ଶୀତ ସକାଳରେ ବେଳ ଦି'ଘଡ଼ି ନ ଯାଉଣୁ ହୁଲିଆଜାରି ହେଲା ଯେ ହିରନ ମାଝିର ଜୁଆନ ପୁଅ ଲୁଚନ ମାଝିକୁ ବାଘ ଖାଇ ଦେଇଛି । ଲୁଚନ ଗାଈ ଚରାଇବାକୁ ଯାଇଥିଲା ଗାଁ ମୁଡ୍ସାରେ ଥିବା ନିଜ ଚାଷ ଜମିକୁ । ହଠାତ ବାଘ ଆସି ଗାଈବଳଦ ଛେଳିମେଂଢାଙ୍କୁ ଛାଡ଼ି ଲୁଚନ ମାଝିର ତଣ୍ଟି କାମୁଡ଼ିଲା ଓ ଘୋସାରି ନେଇଗଲା ପାଖ ଜଙ୍ଗଲକୁ । ଗାଁ ଲୋକେ ଟାଙ୍ଗିଆ କୁରାଢ଼ି ଦା' ଧରି ବାହାରିଲେ ବାଘ ଶିକାର ପାଇଁ । ହୋହା ହେଲେ । ଦୌଡ଼ିଲେ ଏକ ମୁହାଁ ହୋଇ । ଲୋକଙ୍କ ସଙ୍ଗେ ଛିନ୍ନଛତ୍ର ହୋଇ ଦୌଡୁଥିଲେ ବି କୁକୁର ବିରାଡ଼ି ଗାଈବଳଦ । ପିଞ୍ଜରା ଭିତରେ ଶୁଆ ସବୁ କେର୍କାର କରି ଡେଣା ଛାଟି ଫଡ଼୍ଫଡ଼୍ କରୁଥିଲେ । ତାଙ୍କ ପକ୍ଷେ କି ଗୁରୁତ୍ୱପୂର୍ଣ ଘଟନା ବା ଦୁର୍ଘଟନା ଘଟିଛି ଜାଣିବା ମୁସ୍କିଲ ଥିଲା । ପିଞ୍ଜରାଟା ଯଦି ଖୋଲି ଯାଆନ୍ତା ତେବେ ସେମାନେ ବି କୁଆଡ଼େ ନାଇଁ କୁଆଡ଼େ ଫେରାର ମାରନ୍ତେ । ଗଛ ଉପରେ ଥିବା ବଗ କୁଆ ଓ ଘର ଚଟିଆ ସବୁ ଏଣେ ତେଣେ ଡେଣା ଛାଟିଲେ ଓ ଆକାଶଟାକୁ ରେରେକାରରେ ଭରିଦେଲେ । ଜଣାଗଲା ଯେମିତି ପଶୁପକ୍ଷୀ ମଣିଷ ସମସ୍ତେ ବାହାରିଛନ୍ତି ବାଘ ଶିକାରକୁ । ମଣିଷଖିଆ ବାଘଟିର ଯେମିତି ମୃତ୍ୟୁ ଛଡା ଆଉ ଗତ୍ୟନ୍ତର ନାହିଁ । ବାଘ ମାତିଛିର ଖବର ଆଖପାଖ କୋଡ଼ିଏ ଖଣ୍ଡ ଗାଁରେ ପ୍ରାୟ ଦଶଦିନ ହେଲା ଚହଟି ଯାଇଛି । ପିଲାବୁଢ଼ା କୁକୁର ମାଙ୍କଡ଼ ଚେରେ ଚିର୍ଗୁଣ ସମସ୍ତଙ୍କ ମନରେ ଭୟ । ବାଟ ଘାଟ କ୍ଷେତଖଳା ଜଙ୍ଗଲ ସଂଧ୍ୟା ପୂର୍ବରୁ ସବୁ ଶୁନଶାନ୍ । ରାତି ଅଧରେ କାନ୍ଦୁଥିବା ଛୁଆଙ୍କୁ ମା’ମାନେ ବାଘ କଥା ଭୟରେ କହିପାରନ୍ତି ନାଇଁ । ବାଘଭୟ ନ ଥିବା ସମୟରେ ମା’ମାନେ ଛୁଆଙ୍କୁ ଖୁବ୍ ବାଘ କାହାଣୀ କହୁଥିଲେ । ଏବେ କିନ୍ତୁ ତାଙ୍କ ଛାତିରେ ବି ଛନକା । ଖବରଟି ଗାଁରୁ ସହରକୁ, ସହରଠୁ ଖବର କାଗଜକୁ, ଖବର କାଗଜରୁ ସରକାର ଓ ସରକାରଙ୍କଠାରୁ ବନ୍ୟଜନ୍ତୁ ବିଭାଗକୁ ବି ବ୍ୟାପିଛି । ବେଳ ଦି'ଘଡ଼ି ହେଲେ ବାଘର ରୂପ, ଚରିତ୍ର ଓ ଭାବଭଙ୍ଗୀ ବିଷୟରେ ପ୍ରତିଦିନ ନୂଆ ନୂଆ କାନକୁହା କଥା ସବୁ ଗାଁମାନଙ୍କରେ ଖେଳି ଯାଏ - ଛ' ଫୁଟିଆ ବାଘର ଠାଣି, ତା ଚାଲି, ତା ଦେହର କଲରା ପତରିଆ ଚିହ୍ନ, ତା ନିଶ, ତା ନଖ ସବୁ ଅନନ୍ୟ । ବାଘକୁ ସାଧାରଣ ଲୋକେ ମାରିବା ମନା, ମୁହଁକୁ ମୁହଁ ଚାହିଁଲେ ବାଘ କିଛି କରେ ନାହିଁ, ସେ ଖାଲି ପଛପଟୁ ଶିକାର କରେ, ମଣିଷରକ୍ତ ତାର ପ୍ରିୟ ଖାଦ୍ୟ, ସେ ସାତ ଜଣ ଲୋକଙ୍କୁ ମାରି ସାରିଲାଣି, ଆସାମରୁ ବିଖ୍ୟାତ ବାଘ ଶିକାରୀ ରହମାନ ଆସି ପହଞ୍ଚି ଗଲେଣି, ସେ କୁଆଡ଼େ ବାଇଶଟି ମହାବଳ ବାଘ ଓ ଦଶଟି କଲରା ପତରିଆ ବାଘ ମାରିସାରିଛି, ରହମାନ ତା ମୁହଁ ପଛପଟେ ମୂଖାଟିଏ ଲଗାଇ ଶିକାର କରେ, ରହମାନ ଓ ତା ମୁଖା ଉଭୟଙ୍କ ବଡ଼ ବଡ଼ ଆଖି ଓ ବଡ଼ ବଡ଼ ମୁଛ, ବାଘ ରହମାନକୁ ଦେଖିଲେ ଲୁଚିଯାଉଛି, ବାଘ ଭାରି ଚାଲାକ । ରାତିରେ ବାଘଶିକାର ପାଇଁ ସରକାର ସର୍ଚ ଲାଇଟ ମଗାଇଛନ୍ତି, ଦଶ ରାଉଂଡ ଗୁଳି ସରିବା ପରେ ଆହୁରି ଶହେ ରାଉଂଡ ଗୁଳି ମଗାଯାଇଛି, ରହମାନ ଫେରି ଗଲେଣି, ଏବେ ତାଙ୍କ ବାପାଙ୍କୁ ଡକା ଯାଇଛି,- ଏମିତି ଅନେକ କାନକୁହା କଥା ମଝିରେ ବାଘ ଆସି ବିରିପାଲି ଗାଁରେ ଲୁଚନ ମାଝିର ତଳିପେଟ ଓ ବେକରୁ ଦି'ପୁଳା ମାଂସ ଖାଇ ଦେଇଛି । ସମସ୍ତେ ଧାଇଁଛନ୍ତି ଏକ ମୁହାଁ ହୋଇ ଜଙ୍ଗଲ ଆଡକୁ । ପ୍ରାୟ ଶହେ ସରି ପୁରୁଷ ସ୍ତ୍ରୀ । କେହି କେହି ସ୍ତ୍ରୀ ଲୋକ ନିଜର ଛୋଟ ଶିଶୁଙ୍କୁ କାଖରେ ଧରି ଧାଇଁଛନ୍ତି । ତାଗିଦ୍ କରାଯାଇଥିବା ନାବାଳକମାନେ କାକୁସ୍ଥ ହୋଇ ବଡ଼ ବଡ଼ ଆଖିକରି ଗଛତଳେ ବା କୌଣସି ଘର ଅଗଣାରେ ସିଂକୁଡ଼ି ଯାଇଛନ୍ତି । ହିରନ ମାଝି ଓ ତା ସ୍ତ୍ରୀ ଯୋଷଦା ମାଝି ଟାଙ୍ଗିଆ ଓ ଶାବଳ ଧରି କାନ୍ଦି କାନ୍ଦି ଛାଟିପିଟି ହୋଇ ଚାଲିଛନ୍ତି ଭିଡ଼ ମଝିରେ । ଯଦି ଗଜାବଇସିଆ ବାଘଟି ତାଙ୍କ ହାବୁଡ଼ରେ ପଡ଼େ ତେବେ ତାର ଦିନେ କି ଆମର ଦିନେ । କିଛି ସ୍ତ୍ରୀ ଲୋକ ଆସି ଯୋଷଦାକୁ ଅଟକାଇଲେ । ତା ପୁଅର ଶବ ପାଖକୁ ଯିବାକୁ ଦେଲେ ନାହିଁ । ଯୋଷଦା କାନ୍ଦି କାନ୍ଦି ପ୍ରଳାପ କରୁଥାଏ । ତା ଶାଢ଼ି ଓ ମୁଣ୍ଡର ବାଳ ଅବିନ୍ୟସ୍ତ । ସେ ଗାଳି କରୁଥାଏ ବାଘକୁ "ତୁ ଗାଡ଼ ଭିତରେ ପଡ଼ି ମରିଯାରେ ବାଘ, ତୋତେ ବଡ ରୋଗ ହେଉ, ତୋ ବଂଶବୁଡୁ' । ବାଘ ଶିକାରୀକୁ ଗାଳି କରୁଥାଏ, "ତୋତେ