ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାର ବି ଇସ୍ନୋଫେଲିଆ ଆଦୌ କମେନା ଡୁ୍ୟଟିରୁ ଫେରି ଅଦା ପକେଇ ଚା ଖାଏ- ସୁଁ ସୁଁ ହୋଇ ଖବରକାଗଜ ପଢ଼େ । ଆଜିକାଲି ଖବରକାଗଜ ବୁଝି ହୁଏନା, ପକ୍ଷାଘାତ ସମାଜର ଶ୍ଳେଷ୍ମା, ପଚାସଢ଼ା ମାଂସ, ପୋକ ଯୋକ ଲଗା ହାଡ଼, ମରୁଥିବା ଲୋକଂକ ରକ୍ତ, ପୃଥିବୀର ଘା’ ଫାଟି ତାର ପୁଯ ରକ୍ତ ଦୁର୍ଗଂଧ ନର୍ଦମା, ମାଛି, ଖାଲି ମାଛି, ଖବରକାଗଜ ସାରା ଖାଲି ମାଛି ଚାରିଜଣ ବାଳକ ଗାଧୋଇବାକୁ ଯାଇ ପରମାତ୍ମା, ଭରାନଈରେ ତୀର୍ଥଯାତ୍ରୀ ବସ୍, ଶହେବାରଟି ଆତ୍ମାରେ ପରମାତ୍ମା, ମାଟିଧସି, ଟ୍ରକଚାପା, ବୋମା, ଗୁଳି, ଛୁରୀ, ତଂଟିଚିପି, ଚାରିଶହ ଆତ୍ମା ଆଠଜଣ ଯୁବକ ଗୋଟାଏ ନାବାଳିକାକୁ, ଗୋଟିଏ ମହାନ୍ ଆତ୍ମାକୁ, ପରମାତ୍ମାରେ, ଜଣେ ଡାକ୍ତର ଜଣେ ମହିଳା ରୋଗୀର ଆତ୍ମାକୁ ପରମାତ୍ମାରେ, ଜଣେ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀର ଆତ୍ମାକୁ ପରମାତ୍ମାରେ, ହାଜତ ଭିତରେ ଜଣେ ମହିଳା ଅପରାଧୀର ଆତ୍ମାକୁ ପାଂଚଜଣ ପରମାତ୍ମାରେ, ଜଣେ ପୂଜାରୀ ଗୋଟିଏ ବିଧବାର ଆତ୍ମାକୁ ମଂଦିର ଅଗଣାରେ, ପରମାତ୍ମାରେ, ଆସେମ୍ଳିହଲ୍‌ରେ ଜଣେ ଅଂଧୁଣୀର ଆତ୍ମାକୁ, ଦି’ଜଣ, ପରମାତ୍ମାରେ, ସିମେଂଟ ଚାଲାଣ, କାଠ ଚାଲାଣ, ଚାଉଳ ଚାଲାଣ, ମୂର୍ତୀ ଚାଲାଣ, ଶ୍ରମିକ ଚାଲାଣ, ବେକାର ଯୁବକ ଚାଲାଣ, ବେଶ୍ୟା ଚାଲାଣ, ଧାର୍ମିକ ଲୋକ ଚାଲାଣ, ଅହରହ ଈଶ୍ୱର ଚାଲାଣ, ଆଜିକାଲି ଖବରକାଗଜ ବୁଝି ହୁଏନା । ଜୀବନ ଦାସ ଝାଳ ପୋଛେ ହଜାରେ ଥର ହାଇମାରେ ଚାରି ହଜାର ଥର ଛିଂକେ ଆଠ ହଜାର ଥର ‘ଓଃ’ କହେ ଦଶହଜାର ଥର ସ୍ତ୍ରୀଟି ‘ଇ...ମା, ଛି...ମା’ କହେ ଶହସ୍ର ହଜାର ଥର ଝିଅଟି ମଝିରେ ମଝିରେ ସିକାକାଇ ସାବୁନ୍ରେ ମୁଂଡ ଛଡ଼ାଏ, ଭାତଗାଳେ, ଗମଲାରେ ପାଣିଦିଏ, ଅଳଂଧୁ ସଫା କରେ, ପୁଅଟି ସାଇକେଲ ସଫା କରେ ଓ ଏ ଅଫିସରୁ ସେ ଅଫିସ୍, ପୁଣି ସେ ଅଫିସରୁ ଏ ଅଫିସ୍ ହେଉଥାଏ, ସ୍ତ୍ରୀଟି କୁଂଥଉଥାଏ ଓ ମହାଲକ୍ଷ୍ମୀ ଖଟୁଳି ସଜାଡ଼ୁଥାଏ, ପୁରୁଷଟି ଶସ୍ତା ପାଏନ୍ପିଆ କପଡ଼ାଟିଏ ଧରି କେବେ କାହାର ଦଶାଘାଟକୁ ଯାଏ, ‘ଟିକେ ଅଫିସ କାମ ଅଛି ଯାଉଛି’ କହି ଶୀଘ୍ର ଫେରିଆସେ, ରଂଗିନ୍ ଖୋଳପା ଭିତରେ ଉପହାର ନେଇ କାହାର ନିର୍ବଂଧକୁ ଯାଏ, ‘ଆଜିକାଲି ହଜମ ହେଉ ନାହିଁ’ କହି ତରତରରେ ଲେଉଟି ଆସେ, ଫିମାସରେ ଗୋଟିଏ କରି ଝିଅ ପାଇଁ ଯୌତୁକ ସଜଡ଼ା ଚାଲିଥାଏ, ଝିଅଟି ସାଂଗଠାରୁ ମାୟାପୁରୀ ମନୋରମା ମାଗିଆଣି ପଢ଼ୁଥାଏ, କଣ ଗୋଟେ ବାବାଂକୁ ମାଂକୁ କହିବ କହିବ ହୋଇ କରିପାରେନା, ରାତିରେ ମୁଂଡ ବିଂଧେ, ଟେବ୍ଲେଟ୍ ଖାଏ, ପାଣିପିଏ, ସକାଳକୁ ମୁଂଡ ଛଡ଼ାଏ, ବାବାଂକ ଲାଗି ଅଦାର ଚା ତିଆରି କରୁଥାଏ, ଶାଢ଼ି ରଫୁ କରୁଥାଏ, ମାଂକ ସ୍କୁଲଖାତା ଦେଖୁଥାଏ, ଧୋବାଘର ଖାତା ହିସାବ କରୁଥାଏ, ମୁହଁରେ ହଳଦୀ ଲଗାଉଥାଏ, ଦର୍ପଣ ଦେଖୁଥାଏ ଉକୁଣି ଦେଖୁଥାଏ, ତିରିଶ ନଂବର ପ୍ରିନ୍ସ ଚାର୍ମିଂ ଜଣକ ହଁ କରିଥାଏ ଝିଅର ଭାଗ୍ୟକୁ, ଜୀବନ ଦାସ ଟଂକା ଯୋଗାଡ଼ରେ ବ୍ୟସ୍ତ ଥାଏ, ଝିଅର କଂଚାସୁଆଦି ବୟସ ଚାଲିଯାଇଥାଏ କେବେଠୁ, ସୋଲ୍ ଜଳା ବେଳକୁ ରୋଷଣୀ ଜଳେ ଭୋଜି ବେଳକୁ ଝଗଡ଼ା ହୁଏ,