ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚାରିଟି ଭାତ ଲଟକି ତା ଭିତରେ ଅଳନ୍ଧୁ ପଡ଼ି ରହିଛି ଗୁଡ଼ାଏ । ଘର ଭିତରେ ମୁଁଗ୍ଫଲିର ଚୋପା, ଚଣାର ଚୋପା ଓ ଚୁଡ଼ା ଚାଉଳ ଭିତରୁ ବାହାରିଥିବା ଅଗାଡ଼ି ପଡ଼ି ଓ ଖାଲି ଡବା, ଖାଲି ହାଣ୍ଡି ସବୁ ଗଡ଼ି ଗଡ଼ି ଘରଟା ଅପରିଷ୍କାର ଦେଖାଯାଉଛି । କାନ୍ଥର ଚିତାମାନଙ୍କ ମଝିରେ ଥିବା ଦେବୀ ଫଟୋଟି ମଝିରୁ ଚିରିଯାଇ ବଙ୍କେଇ ହୋଇ ଝୁଲି ରହିଛି ତଳକୁ । ଖାଲି ଯାହା ଚାରୋଟି କଙ୍କଣ ପିନ୍ଧା ହାତ ଉପରକୁ ଟେକି ହୋଇଛି । ଛିଣ୍ଡା କନ୍ଥାକନାକୁ ମୂଷା ସବୁ କାଟି ଟିକିଟିକି କରି ଦେଲେଣି । ହିରନ ମାଝି କିଛି ଦେଖି ପାରୁନାହିଁ । କେହି କିଛି ଦେଖିପାରୁ ନାହାନ୍ତି । ଆଖିରୁ ଆଉ ଆଲୁଅ ବାହାରୁ ନାହିଁ । କିଛି ଶୁଣି ପାରୁ ନାହାନ୍ତି । କାନ ବଧିରା ହୋଇ ଗଲାଣି । ପାଟି ଖନି ମାରିଯାଉଛି । ଲଟକି ଯାଉଛି । ଜିଭ ଆଉ ପଲଟି ପାରୁନାହିଁ । ଝିଅଟିର ପାଟିରୁ ଫେଣ ବାହାରି ମାଛି ସବୁ ନାରୁନାଚ କରୁଛନ୍ତି । ମାଛି ଘଉଡ଼ାଇବା ପାଇଁ ତା ହାତ ଆଉ ଉଠିପାରୁ ନାଇଁ । ସେମାନେ ସେଠି ଏପରି ଭାବେ ପଡ଼ି ରହିଛିଂତି, ଯେପରି ସେମାନେ ସେଠି ନାହାନ୍ତି । ସେମାନେ ସେଠି ନ ଥିବାପରି ଅଛନ୍ତି । କେହି ସେମାନଙ୍କୁ ଦେଖିପାରୁ ନାହାନ୍ତି । ନା ସଂସ୍ଥା, ନା ବିଭାଗ, ନା ଲୋକେ, ନା ଅନୁଷ୍ଠାନ, ନା ସରକାର । ନା ଜାତି, ନା ଧର୍ମ, ନା ଈଶ୍ୱର, ନା ଫିଶ୍ୱର । ସେମାନେ ସେଠି ଆବର୍ଜନା ପରି ପଡି ରହିଛନ୍ତି । ଜୁଳୁ ଜୁଳୁ କରୁଛନ୍ତି । ସେଇ ପୂର୍ଣମୀ ବେଳକୁ ହିଁ ଶୁଣାଗଲା ଅଗନା ଅଗନି ଜଙ୍ଗଲ ଭିତରେ କୌଣସି ଏକ ହୀଂସ୍ର ଜନ୍ତୁର ପଚା ମାଂସ, ଭଙ୍ଗା ହାଡ଼ ଓ ଶୁଖା ରକ୍ତର ଏକ ଆବର୍ଜନା ପଡିଛି । ଜନ୍ତୁଟିର ନଖ, ଦାନ୍ତ, ଚର୍ମ କୁଆଡ଼େ ଉଭାନ । ଲୋକେ ନିଜ ଭିତରେ ଅତି ସନ୍ତର୍ପଣରେ କୁହାକୁହି ହେଉଥିବାର ଦେଖାଗଲା । ଏ ସବୁ ଆବର୍ଜନା ତ କୌଣସି ଏକ ବାଘର ପରି ଦେଖାଯାଉଛି!! ପ୍ରୋଜେରିଆ ସେଦିନର ବାପାଙ୍କ ଦୟନୀୟ ଅବସ୍ଥା ଓ ଭୟଙ୍କର ଦୃଶ୍ୟ କଥା ମନେପକାଇଲେ ଏବେ ବି ଦେହଟା ଶିହିରି ଉଠେ । ତାଙ୍କ ରିଟାୟାର୍ଡ କଲାଦିନ କଥା । ଗୋଟେ ଅଜବ ସ୍ୱସ୍ତି ଓ ଅସ୍ୱସ୍ତିରେ ଘରଟା ସକାଳୁ ସକାଳୁ ମହକୁଥାଏ । ସେଦିନ ମିଠାଭାତ ରନ୍ଧା ହେଲା । ବାପାଙ୍କୁ ମିଠାଭାତ ଖୁବ୍ ଭଲଲାଗେ । ରସଗୋଲା ଅଣା ହେଲା, ଚିକେନ୍ ଅଣା ହେଲା । ବାପାଙ୍କୁ ମିଠା ଓ ଚିକେନ୍ ବି ଭଲଲାଗେ । ବାପା ସକାଳୁ ଗାଧୋଇ ସମଲାଇ ଗୁଡ଼ିର ପ୍ରସାଦ ଜଳଖିଆ କଲେ- ଅଂଗୁର ପେଡ଼ା, ନଡ଼ିଆକୋରା ଏବଂ କିଛି ସମୟ ବିଶ୍ରାମ କରିବାପାଇଁ ତାଙ୍କ ବିରାଟ ଚୌକିରେ ଗଡ଼ି ପଡ଼ିଲେ । ଚୌକିଟି ଅହରହ ହଲୁଥାଏ । ତାଙ୍କ ଅଫିସରୁ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ଦଳ ଆସିଲେ । ତାଙ୍କୁ ମିଠା ଦିଆହେଲା, ଲେମ୍ବୁ ସରବତ ଦିଆହେଲା । ସେମାନେ ଆଣିଥିଲେ ବାପାଙ୍କ ଲାଗି ଚଷମା ଓ ଉଲେନ୍ ଚାଦର ଏବଂ ବାପା ଦଂଭ ଧରିବେ ଭାବି ବିଭୁତି ଆଣି ଆସିଥିଲେ, "ଏମିତି ହୁଏ, ଆମେ ବି ଦିନେ ନିଜନିଜ କାମ ସାରି ବାହୁଡ଼ିବୁ' କହିଲେ । ସେମାନେ ଗଲାପରେ ବାପା ଶୋଇ ପଡ଼ିଲେ । ମୁଣ୍ଡଉପରେ ଡିମୋକ୍ଲିସ୍ଂକ ଫେନ୍ ଘୁରୁଥାଏ । ଗଲାବେଳେ ପିଅନ୍ଟି ତିନୋଟି ରିକ୍ସା ଡାକି ଅଫିସ୍ ଆଲମାରି, ଅଫିସ ଟେବୁଲ, ଚୌକି ଓ ଅଫିସ ବେଂଚ ଦୁଇଟି ନେଇଗଲା । ବେଂଚ ଉପରୁ ପାଞ୍ଚଟି ବଡ଼ ବଡ଼ ବାକ୍ସ କାଢ଼ି ତଳେ ଇଟାପକାଇ ରଖାହେଲା । ସବା ଉପରେ ଦୁଇଟି ନୂଆ ଆଟାଚି ଓ ତା ଉପରେ ଅଫିସ୍ର ପୁରୁଣା ପରଦା ଢଂକାଗଲା ।