ପୃଷ୍ଠା:Jati, Jagruti o Pragati.pdf/110

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୧୧
ସରକାର ସ୍ଥିର କରିଛନ୍ତି । ତେବେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡ଼ା ବ୍ଲକର ଘାଟବାସୁଳି ଗାଁ’ ଓ ଛତିଶଗଡ଼ର ବସ୍ତରଜିଲ୍ଲା ଅନ୍ତର୍ଗତ ବୋକାହଣ୍ଡ ବ୍ଲକର ବେଲଗାଁ’ଠାରେ ଏହି ଡ୍ୟାମ୍ ନିର୍ମାଣ ଚାଲିଥିବାବେଳେ, ଘାଟବାସୁଳି ନିକଟରେ ଯେଉଁ ଜଳଭଣ୍ଡାର ନିର୍ମାଣ କରାଯାଉଛି, ଏହାଦ୍ୱାରା ନବରଙ୍ଗପୁର ଜିଲ୍ଲାର ୩୦ରୁ ଊର୍ଦ୍ଧ୍ୱ ଗାଁ’ ଏବଂ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ୍ ଅନ୍ତର୍ଗତ କିଛି ଅଞ୍ଚଳ ଜଳମଗ୍ନ ହେବ । କଳାହାଣ୍ଡିରୁ ପ୍ରବାହିତ ଇନ୍ଦ୍ରାବତୀ ଓ ଉମରକୋଟରୁ ପ୍ରବାହିତ ଭାସ୍କେଲନ‌ଦୀ କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଘାଟବାସୁଳି ଗାଁ’ଠାରୁ କିଛି ଦୂରରେ ମିଳିତ ହୋଇଛି । ଏହି ପାଣିକୁ ଓଡ଼ିଶା ସରକାର ବ୍ୟବହାର କରିପାରୁ ନ ଥିବା ବେଳେ, ଛତିଶଗଡ଼ ସରକାର ଏହାର ସଦୁପଯୋଗ କରିବାପାଇଁ ଉକ୍ତ ନ‌ଦୀବନ୍ଧ ଯୋଜନା ଯୁଦ୍ଧକାଳୀନ ଭିତ୍ତିରେ କରିଚାଲିଛନ୍ତି । ଏଥିରୁ ବସ୍ତର ଜିଲ୍ଲାରେ ନିର୍ମିତ ହେବାକୁ ଯାଉଥିବା ଷ୍ଟିଲପ୍ଲାଣ୍ଟକୁ ଜଳଯୋଗାଣ ସହିତ ଏଠାରୁ ବିଦ୍ୟୁତ୍ ଉତ୍ପାଦନ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏଥିରେ ନିର୍ମିତ ହେଉଥିବା ୧୪ଟି ଗେଟ୍‌ଦ୍ୱାରା ଇନ୍ଦ୍ରାବତୀ ଓ ଭାସ୍କେଲ ନ‌ଦୀର ପାଣି ଓଡ଼ିଶାର ୩୦ଖଣ୍ଡ ଗାଁ’କୁ ଜଳମଗ୍ନ କରି ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ଥିବାବେଳେ, ଛତିଶଗଡ଼ ସରକାର ନିର୍ବିଘ୍ନରେ ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବାରେ ଲାଗିଛନ୍ତି । ଅଥଚ ଓଡ଼ିଆ ଏଠାରେ କିଭଳି ସମସ୍ୟାର ସମ୍ମୁଖୀନ ହେବେ, ସେ ସମ୍ପର୍କରେ ଆମ ସରକାର କିମ୍ବା ପ୍ରଶାସନ କୌଣସି ଚିନ୍ତା ହିଁ କରୁନାହାନ୍ତି ।

କଳାହାଣ୍ଡିଠାରେ ଇନ୍ଦ୍ରାବତୀ ନ‌ଦୀବନ୍ଧ ଯୋଜନା ନିର୍ମାଣ ହେବାରୁ ସବୁ ପାଣି କଳାହାଣ୍ଡିକୁ ଚାଲିଗଲା ଓ ନବରଙ୍ଗପୁର ଜିଲ୍ଲା ମରୁଡ଼ି ପ୍ରବଣ ହୋଇଗଲା ବୋଲି ନବରଙ୍ଗପୁରର ନେତାମାନେ ଓଡ଼ଶା ସରକାରଙ୍କୁ ଦୋଷ ଦେଉଥିବାବେଳେ, ବର୍ତ୍ତମାନ ସମୟରେ ଏହି ନେତାଗଣ ଛତିଶଗଡ଼ ସରକାରଙ୍କ ଏଭଳି ନୀତିହୀନ କାର୍ଯ୍ୟଦେଖି ନୀରବ ରହୁଥିବାରୁ ଜନସାଧାରଣଙ୍କ ସୁବିଧା ପ୍ରତି ଏମାନଙ୍କର ଦୃଷ୍ଟି କେତେ ରହିଛି, ତାହା ଏଥିରୁ ଜଣାପଡ଼େ ।

ଏଠାରେ ଗୋଟିଏ କଥା ସ୍ମରଣ ରଖିବାକୁ ହେବ ଯେ, ଓଡ଼ିଆ ଜାତି ଆଜି ଆର୍ଥିକ ଦୁର୍ବଳତା ଯୋଗୁଁ ପ୍ରତିବାଦ କରିବାର ଶକ୍ତି ହରାଇ ବସିଥିଲେ ମଧ୍ୟ ଏଭଳି ଅନ୍ୟାୟକୁ ଦୃଢ଼ ଭାବରେ ପ୍ରତିବାଦ କରିବାର ମାନସିକତାକୁ ହରାଇ ନାହାନ୍ତି । ଶାନ୍ତିପ୍ରିୟ ଓଡ଼ଶା ପ୍ରତି ପଡ଼ୋଶୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଆକ୍ରମଣକୁ ଯେ ଓଡ଼ଶାବାସୀ ଦିନେ ନିଶ୍ଚିତ ରୂପେ ପ୍ରତିହତ କରିବେ, ସେଥିରେ ସନ୍ଦେହ ନାହିଁ ଓ ସେ ସୁଦିନ ପାଖେଇ ଆସିଲାଣି ।


***