ପୃଷ୍ଠା:Jati, Jagruti o Pragati.pdf/128

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୨୯
ଶିକ୍ଷାପ୍ରତି ଘଟୁଥିବା ଏହି ଅନ୍ୟାୟକୁ ସହିବାର ଏଇ ଯେଉଁ କଳା ହାସଲ କରିଛନ୍ତି, ଏହାଦ୍ୱାରା ନିଜର ତ କ୍ଷତି ହେଉଛି, ଏହାର କୁପ୍ରଭାବ ଯେ ସମଗ୍ର ଓଡ଼ିଆ ଜାତି ଉପରେ ପଡୁଛି, ତାହା ଏମାନେ ବୁଝିବାକୁ ନାରାଜ ।

ତଥାପି ସରକାର ଖୁସି

ବିଭିନ୍ନ ସମୟରେ ଯିଏ ବି ଓଡ଼ିଶାର ଶାସନ ଦଣ୍ଡ ଧରୁ ନା କାହିଁକି, ନିର୍ବାଚନ ବେଳକୁ ଯେତେବେଳେ ସାଧାରଣ ଜନତା ସମ୍ମୁଖକୁ ଆସନ୍ତି, ସେତେବେଳେ ନିଜ କଲାକର୍ମର ଲମ୍ବା ଚିଠା ଘୋଷଣା କରି ଆତ୍ମସନ୍ତୋଷ ଲାଭ କରୁଥିବାବେଳେ, ଏମାନେ ମଧ୍ୟ ବୁଝିପାରନ୍ତି ନାହିଁ ଭଲ କାମ କରିବାକୁ ମିଳିଥିବା ସୁଯୋଗର ଦୁରୁପଯୋଗ କରି, ଓଡ଼ିଶା ଭୂମିପାଇଁ କେତେ ଦୁର୍ଯୋଗ ଆଣିଛନ୍ତି । ଏମାନଙ୍କ ଅବହେଳାକୁ କ୍ଷମା କରି ଯଦିଓ ସାଧାରଣ ଜନତା ପୁଣିଥରେ ଏମାନଙ୍କୁ କ୍ଷମତା ଦଣ୍ଡ ଧରାଇ ଦେଇଥାନ୍ତି, ଏମାନେ ନିଜ କୁକର୍ମରେ ଲଜ୍ଜିତ ହୋଇ ସଂଶୋଧନ କରିବା ପରିବର୍ତ୍ତେ ଗର୍ବିତ ଓ ଖୁସି ହୋଇ ନିଜର ଅଧା ପଡିଥିବା ଜାତିଦ୍ରୋହୀ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ଆଗେଇ ଆସନ୍ତି ।

ଆମେ ଓଡ଼ିଶାବାସୀ!

ଆମେ ଓଡ଼ିଶାବାସୀ ଚିର ନିର୍ବିକାର, ଚହଲାପାଣିକୁ ଗୋଡ଼ ନ ବଢ଼ାଇବା ନୀତିରେ ବିଶ୍ୱାସୀ ସାଧୁ ସନ୍ନ୍ୟାସୀ ପରି । ଆମରି ସାମ୍ନାରେ ମାଆ ଭଳି ମାଟିମାଆକୁ, ଜଳ ଓ ଜଙ୍ଗଲକୁ ଲୁଟ୍ କରୁଥିବାବେଳେ ଲୁଟେରାଙ୍କୁ ପ୍ରତିରୋଧ କରିବା ବଦଳରେ “କାନ୍ଦୁଥିବା, ଯାହା ପାଉଥିବା ବାନ୍ଧୁଥିବା” ନ୍ୟାୟରେ ଏମାନଙ୍କୁ ସାହାଯ୍ୟ କରୁଛନ୍ତି ସାମାନ୍ୟ ସ୍ୱାର୍ଥ ହାସଲପାଇଁ । ଏହି ସ୍ୱାର୍ଥପର ଗୋଷ୍ଠୀଙ୍କ ସଂଖ୍ୟା ସୀମିତ ହୋଇଥିବାବେଳେ ଏହାର ପ୍ରତିରୋଧକାରୀ ଭାବେ ଯେଉଁ ବିଶାଳ ଓଡ଼ିଶାବାସୀ ଅଛନ୍ତି, ସେମାନେ କାହିଁକି ସମ୍ମୁଖକୁ ଆସୁନାହାନ୍ତି? ସଭା, ସମିତି କିମ୍ବା ଖବରକାଗଜରେ ବିବୃଟିଏ ଦେଇ ବନ୍ଧୁ ପରିଜନ ଆଗରେ ବାହାଦୁରୀର ଆତ୍ମସନ୍ତୋଷ ଲାଭ କରୁଥିବା ତଥାକଥିତ ଓଡ଼ିଆପ୍ରେମୀ ଏଭଳି ସଂକଟରେ କି ପଦକ୍ଷେପ ନେଉଛନ୍ତି, ତାହା ଓଡ଼ିଶାବାସୀ ଦେଖିବାକୁ ବାକି ରହିଲା । ତେବେ ଓଡ଼ିଆ ଜାତି ପ୍ରତି ଦେଖାଦେଇଥିବା ଏଭଳି ସଙ୍କଟ କ୍ଷେତ୍ରରେ ଇତିହାସର ସେହି ବଳିଷ୍ଠ ସ୍ୱାଭିମାନୀ ଓଡ଼ିଆଜାତିର ଉପଯୁକ୍ତ ଦାୟାଦ ଭାବେ ଆମେ ଯଦି ପାଟି ଫିଟାଇ ଏହାର ପ୍ରତିରୋଧ ନ କରିବା, ତେବେ ଓଡ଼ିଶାରୁ ନିଶ୍ଚିତ ଭାବେ ଓଡ଼ିଆତ୍ୱ ଲୋପ ପାଇବ । ଆମେ ବିଶ୍ୱ ସମ୍ମୁଖରେ ପ୍ରମାଣ କରିଦେବା ଯେ, ଓଡ଼ିଆଙ୍କ ରକ୍ତ ଥଣ୍ଡା !

***