ପୃଷ୍ଠା:Jati, Jagruti o Pragati.pdf/131

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୩୨ / ଜାତି, ଜାଗୃତି ଓ ପ୍ରଗତି
ସିନା ପ୍ରଚୁର ଅର୍ଥ ସଂଗ୍ରହ କରିନେଲେ, ମାତ୍ର ଉଚ୍ଚ ମାଧ୍ୟମିକ ଶିକ୍ଷାବ୍ୟବସ୍ଥାକୁ ସାମଗ୍ରିକ ଭାବରେ ଅବହେଳା କରିବାରୁ ଗାଁ’ ଗହଳର ଅସଂଖ୍ୟ ମେଧାବୀ ଯେ ଅକାଳରେ ମଉଳି ଯାଉଛନ୍ତି ବିଗତ ୪ ବର୍ଷ ଧରି, ସେ ବିଷୟରେ ନା ଆମ ମନ୍ତ୍ରୀ ଚିନ୍ତା କଲେ, ନା ଏହି ପିଲାମାନଙ୍କର ବାପାମାଆମାନେ ।

ଅର୍ଥ ଅଭାବ ଆଳରେ ନିଯୁକ୍ତି ବନ୍ଦ :

ଉଚ୍ଚଶିକ୍ଷା ବ୍ୟବସ୍ଥା ହିଁ କୁଶଳୀ ଓ ଯୁଗୋପଯୋଗୀ ମାନବସମ୍ବଳ ପ୍ରସ୍ତୁତ କରେ, ସେଥିପାଇଁ କୋଠାରୀ ଆୟୋଗ (୧୯୬୪-୬୬) ମତ ଦେଇଥିଲେ-“ଭାରତର ଭାଗ୍ୟ ତା’ର ଶ୍ରେଣୀକକ୍ଷରେ ତିଆରି ହେଉଛି ।” ଜାତୀୟ ଶିକ୍ଷାନୀତି (୧୯୮୬) ମଧ୍ୟ ମତ ଦେଇଥିଲେ-“କୌଣସି ଲୋକ ଶିକ୍ଷକଙ୍କ ସ୍ତରକୁ ଅତିକ୍ରମ କରିପାରିବ ନାହିଁ ।” ଅର୍ଥାତ୍ ଜଣେ ଉପଯୁକ୍ତ ସୁଶିକ୍ଷିତ ଓ ପରିମାର୍ଜିତ ଛାତ୍ର ଗଠନପାଇଁ ଜଣେ ଶିକ୍ଷକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକଙ୍କର ମାନସିକ ସ୍ଥିତି ହିଁ ଶିକ୍ଷା ଓ ଶିକ୍ଷାର୍ଥୀକୁ ପ୍ରଭାବିତ କରେ ।

ଅଥଚ ଆମ ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ ଏ ବିଷୟରେ ଚିନ୍ତା କରିବାକୁ ହୁଏତ ସମୟ ପାଇନାହାନ୍ତି । ବୋଧହୁଏ ଧ୍ୟାନ ଦେଇନାହାନ୍ତି ୧୪୫ ବର୍ଷ ତଳେ ସଂଗଠିତ ଓଡ଼ିଆ ମାରଣ ଯଜ୍ଞର ଦୁଇ ପୁରୋଧା ପ୍ରତ୍ନତ‌ତ୍ତ୍ୱବିଦ୍ ରାଜେନ୍ଦ୍ରଲାଲ ମିତ୍ର ଓ ଶିକ୍ଷକ କାନ୍ତିଚନ୍ଦ୍ରଙ୍କର ସେ ଉତ୍ତରପୁରୁଷ ବୋଲି । ତା’ ହୋଇ ନ ଥିଲେ ରାଜଧାନୀକୁ ଛାଡ଼ି ବାକି ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ, ସମସ୍ତ ବିଶ୍ୱବିଦ୍ୟାଳୟରୁ ଡିଏଫ୍ଆଇଡି ନିର୍ଦ୍ଦେଶିତ ଅସଂଖ୍ୟ ଅଧ୍ୟାପକ, ପ୍ରଫେସର ପଦବୀ ଉଚ୍ଛେଦ ପରେ ମଧ୍ୟ, ଆହୁରି ଖାଲି ଥିବା ୨୦୦୦ରୁ ଊର୍ଦ୍ଧ୍ୱ ପଦବୀ ପୂରଣପାଇଁ ପଦକ୍ଷେପ ନେବାକୁ ବିଧାନସଭାରେ ବାରମ୍ବାର ଘୋଷଣା କରିଥିଲେ ବି, ତାହା ନ କରି ଆମ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରିବାର ପ୍ରାଥମିକ ପ୍ରୟାସ ଆରମ୍ଭ କରି ନ ଥାନ୍ତେ ।

କେବଳ ସେତିକି ନୁହେଁ, ସରକାରୀ ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଗଣ ଦରମା ଠିକ୍ ସମୟରେ ପାଉଥିଲେ ମଧ୍ୟ ଏମାନଙ୍କ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧିପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯଦିଓ ଏମାନେ ଦରମା ବାବଦକୁ ପ୍ରଚୁର ଅର୍ଥ ପାଉଛନ୍ତି, ଏମାନେ କେବଳ ଶ୍ରେଣୀ ଶିକ୍ଷା ମଧ୍ୟରେ ଆବଦ୍ଧ ରହି ଘୋଷା ବଳଦ ପରି ନିର୍ଦ୍ଧିଷ୍ଟ ପାଠ୍ୟକ୍ରମକୁ ଅନୁସରଣ କରି ଚାଲିଛନ୍ତି । ଏଥିସହିତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇ ନ ଥିବାରୁ ଅଧ୍ୟକ୍ଷ ଦାୟିତ୍ୱରେ ଥିବା କାମଚଳା ଅଧ୍ୟକ୍ଷ ଅନୁଷ୍ଠାନର ବିକାଶପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁନାହାନ୍ତି, ଫଳରେ ନାମକୁ ମାତ୍ର ଶିକ୍ଷା ବ୍ୟବସ୍ଥା ବଞ୍ଚି ରହିଛି ।