ପୃଷ୍ଠା:Jati, Jagruti o Pragati.pdf/140

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୪୧
କରିଛି ଅଧିକ କ୍ଷତାକ୍ତ, ଯାହାର ଜ୍ୱଳନ ତୀବ୍ର, ଶାଣିତ ଏବଂ ମନ ଭିତରେ ଭରିଦେଇଛି ଜ୍ଞାନହୀନ କର୍ମଠତା, ହୀନବୀର୍ଯ୍ୟର ପ୍ରାବଲ୍ୟତା, ଯାହା ଅପୂରଣୀୟ ଏବଂ ଅନିର୍ବାପିତ ।

କିନ୍ତୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥିଲା ଏ ଦେଶ ମାଟିରେ ଇଂରେଜକମ୍ପାନୀର ଶୋଷଣ । ୧୭୫୭ ଗ୍ରୀଷ୍ମକାଳରେ ଛଅ ହଜାର ମାଇଲ ଦୂରରେ ସମୁଦ୍ରକୂଳରେ ଟାପୁପ୍ରାୟ ଭୂଖଣ୍ଡରେ ଅବସ୍ଥିତ ଏକ ବଣିକଜାତିର କିରାଣୀଟିଏ ମାତ୍ର ଆଠଶହ ସୈନ୍ୟ ବଳରେ ପଲାସୀର ଧାନ କିଆରୀରେ ବଙ୍ଗନବାବଙ୍କ ପଚାଶ ହଜାର ସୈନ୍ୟକୁ ପରାସ୍ତ କରି, ଏ ବିଶାଳ ଭୂଖଣ୍ଡର ଛାତି ଉପରେ ସ୍ଥାପନ କଲା ଉପନିବେଶ ଏବଂ ଶାସନ ନାମରେ ଶୋଷଣ କରିଥିଲା ନିରଙ୍କୁଶ ଭାବରେ ଦୀର୍ଘ ଦୁଇଶହ ବର୍ଷ ।

ଭାରତୀୟଙ୍କ ଅର୍ଥରେ ବପୁବନ୍ତ ଓ ଧନଶାଳୀ ହୋଇ ଗରିବ ବ୍ରିଟିଶ ଦେଶ ଓ ଶାସକ ନିଜ ଶାସକୀୟ ଶୋଷଣର ଢାଞ୍ଚା ବଦଳାଇ ଅମାନବିକତାକୁ ଧନ ଉପାର୍ଜନର ଧର୍ମ ଭାବରେ ଗ୍ରହଣ କରିବାରୁ ଭାରତରୁ ଧୀରେ ଧୀରେ ଉପନିବେଶବାଦ ପ୍ରତିଷ୍ଠାର ସୀମାକୁ ବ୍ୟାପ୍ତ କରିଛି ସମଗ୍ର ବିଶ୍ୱର କୋଣ ଅନୁକୋଣରେ । ତେଣୁ ଅନ୍ୟାନ୍ୟ ଦେଶର ସଂସ୍କୃତି ସଭ୍ୟତା ପରି ଭାରତର ପ୍ରାଚୀନ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ସଭ୍ୟତା ଉପରେ ଘନ ଘନ ପ୍ରହାର କରି ଚାଲିଛି ଆମର ନବ୍ୟ, ଶିକ୍ଷିତ ପିଢ଼ିର ଜୀବନ ଦର୍ଶନ, ଚିନ୍ତନ, ପୋଷାକ ପରିଚ୍ଛଦ ଓ ଚାଲିଚଳଣରେ ଏବଂ ସର୍ବଶେଷ ଧକ୍କା ଭାବେ ଆସିଛି ସାଂପ୍ରତିକ କାଳରେ ନୂଆ ଅର୍ଥନୀତି, ଜଗତିକରଣ, ମୁକ୍ତ ବଜାର, ବିଶ୍ୱକରଣ ନାମରେ । ଏ ଧାରାରେ ଚୂର୍ଣ୍ଣୀଭୂତ ହେଉଛି ଆମର ପ୍ରାଚୀନ ସମୃଦ୍ଧ ସଂସ୍କୃତି, ମୂଲ୍ୟବୋଧ, ଆଉ ବନ୍ଧାପଡ଼ିଛି ଆମର ଐତିହ୍ୟ, ପରମ୍ପରା । ବିଶ୍ୱ ବଜାରରେ ନିଲାମ ହେଉଛି ଆମର ପ୍ରାକୃତିକ ସଂପଦ ଆଉ ଦରିଦ୍ରତାର ଶ୍ରମ ସ୍ୱେଦ । ଅଙ୍ଗୁରୀୟମାଳ ଜୀବପରି ବୋଝେ ପ୍ରମାଣପତ୍ର ଦାଖଲକାରୀ ସେହି ପଶ୍ଚିମା ଶିକ୍ଷାର ଦ୍ୱାହିଦେଇ ଦେଶକୁ ନିଜର ମୌଳିକତା ବିହୀନ, ମୂଲ୍ୟବୋଧ ବିବର୍ଜିତ ଧାରକରା ସଂସ୍କୃତିର ଅବିକଳ ନକଲ ପଢ଼ିବାରେ ଏ ଦେଶର ଭବିଷ୍ୟତ ନାଗରିକଗଣ ବ୍ରତୀ ହୋଇଛନ୍ତି । ଦେଶକୁ ସେହି ମୁଣ୍ଡହୀନ ଅଜ୍ଞାନୀମାନେ ସ୍ୱାଧୀନତା ପରଠାରୁ ଗଢ଼ି ଚାଲିଛନ୍ତି । ସମସ୍ତ ପ୍ରକାରର ସାମାଜିକ ବିଭ୍ରାଟ, ବିପର୍ଯ୍ୟୟ ବିଶୃଙ୍ଖଳାର ସୂତ୍ରଧର ସାଜି ନୂଆପିଢ଼ିର ଶିକ୍ଷିତଙ୍କ ସାମ୍ନାରେ ଥୋଇଛନ୍ତି ପୁଞ୍ଜି ଓ ପଣ୍ୟର ଆଦର୍ଶ । ପୁଞ୍ଜି ହିଁ ଜୀବନ, ସ୍ୱଚ୍ଛନ୍ଦ ହିଁ ସମାଜ, ପଣ୍ୟ ହିଁ ମୂଲ୍ୟବୋଧ, ଆଉ ପ୍ରତିଷ୍ଠା ହିଁ ପ୍ରାପ୍ତି-ଏହା ହିଁ ସେମାନଙ୍କର ମୂଳମନ୍ତ୍ର । ମନରୁ ଲିଭାଇ ଦେବାକୁ ଚେଷ୍ଟା କରିବାରେ ଲାଗିଛନ୍ତି ସ୍ୱାଧୀନତା ସଂଗ୍ରାମର ତ୍ୟାଗ ଓ ତର୍ପଣର ମହାଭାରତୀୟ ସାଧନା ସଂକଳ୍ପର ଦୃଷ୍ଟାନ୍ତ ତଥା ‘ବସୁଧୈବ କୁଟୁମ୍ବକମ୍’ର ବୀଜ ମନ୍ତ୍ରକୁ ।