ପୃଷ୍ଠା:Jati, Jagruti o Pragati.pdf/143

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪୪ / ଜାତି, ଜାଗୃତି ଓ ପ୍ରଗତି
ଖାଦ୍ୟ, ଡେନ୍‌ମାର୍କଠାରୁ ପିଇବା ପାଣି, ଗୋବର ଓ ସର୍ବୋପରି ଓଡ଼ିଶା ଭଳି ରାଜ୍ୟର କ୍ଷୁଦ୍ର ଜିଲ୍ଲା ସହ ଆୟତନରେ ତୁଳନୀୟ ସୁଇଜରଲ୍ୟାଣ୍ଡଠାରୁ ଯେତେବେଳେ ସୂତା ମାଗିଲେ, ସେତେବେଳେ ବିଶ୍ୱ ଜନପ୍ରାଣଠାରୁ ସେ ଶ୍ରଦ୍ଧା କୁଆଡ଼େ ଉଭେଇଗଲା ବରଂ ସେ ସ୍ଥଳରେ ଦେଖାଦେଇଥିଲା ଘୃଣା । ଉପାଧି ମିଳିଲା ଆମେ ଭିକାରି ଦେଶର ଲୋକ, ମାଗିଖିଆ । ଏହା ହେଉଛି ବର୍ତ୍ତମାନ ଭାରତର ଜୀବନ, ଭାରତୀୟ ସ୍ୱାଭିମାନ ।

ଆମ ଦେଶକୁ ଗଢ଼ିଥିଲେ ଆମର ମହାମନିଷୀଗଣ । ଭାସ୍କର୍ଯ୍ୟ, ସଂସ୍କୃତି, ସାହିତ୍ୟ, କଳା ସହିତ ଆମ ଦେଶ ଶାସନର ମୂଳ ପ୍ରେରଣା ଥିଲା ଆଧ୍ୟାତ୍ମିକତା । ଆଜି ଯଦି ନୂଆ ସଭ୍ୟତା ଓ ଘୁଣଖିଆ ସମାଜ ଜୀବନ ଭିତରେ କିଛି ପ୍ରାଚୀନ ଶିକ୍ଷା, ମୂଲ୍ୟବୋଧ ବଞ୍ଚିଛି, ସେତକ ସୁରକ୍ଷିତ ରହିଛି ଦେଶର ଅଗଣିତ ଅଶିକ୍ଷିତ ଅପାଠୁଆ ମଣିଷଙ୍କ ନିକଟରେ । ସେମାନେ ହେଉଛନ୍ତି ପଶ୍ଚିମ ଶିକ୍ଷା ବିବର୍ଜିତ ମଣିଷ । ଆମର ଜେଜେ ବାପା, ଜେଜେମା ବରଂ ଆମଠାରୁ ଥିଲେ ଅଧିକ ସ୍ୱାଧୀନଚେତା । ସେମାନଙ୍କ ପ୍ରେରଣା, ଆଦର୍ଶ ହିଁ ସୃଷ୍ଟି କରିଥଲା ଅସଂଖ୍ୟ କ୍ରାନ୍ତିକାରୀ । ନିଜର ଦାବୀ ଓ ଅଧିକାରକୁ ସାବ୍ୟସ୍ତ କରିବାରେ ଏହି ମଳିମୁଣ୍ଡିଆଙ୍କ ଚେଷ୍ଟା ହିଁ ଭାରତବର୍ଷକୁ ଚଖାଇଥିଲା ସ୍ୱାଧୀନତାର ସ୍ୱାଦ, ଯାହାକୁ ଆମେ ନିଷ୍କଣ୍ଟକ ଭାବେ ଭୋଗ କରୁଥିଲେ ମଧ୍ୟ ନିଜ ଦେଶରେ ନିଜେ ପରାଧୀନ ହୋଇ ପଡ଼ିରହିଛୁ । ଅଦୃଶ୍ୟ ଶୃଙ୍ଖଳର ବେଡ଼ିକୁ ଜବରଦସ୍ତ ଆଣି ଆମ ହସ୍ତ ପାଦରେ ବାନ୍ଧି ଦେଉଛୁ । ଅବିଶ୍ୱାସ, ଛଳନା, ଅହଂକାରକୁ ବନ୍ଧୁ ଭାବେ ସ୍ୱୀକାର କରିଛୁ । ପ୍ରମାଣପତ୍ରକୁ ସର୍ବସ୍ୱ ମନେକରି ଅନ୍ୟକୁ ଶୋଷଣ କରୁଛୁ । ଅନ୍ୟର ଶ୍ରମ ସ୍ୱେଦର ବରଦାନରେ ନିଜର ସୌଧ ନିର୍ମାଣ କରୁଛୁ ।

ଗୋରା ସାହେବ ସିନା ବିଦା ହେଲେ, କିନ୍ତୁ ରଖିଗଲେ ସାହେବ ପଣିଆ । କ୍ଷମତା ହସ୍ତାନ୍ତର ପରେ ଗୋଟିଏ ଦଳ ସିନା ଚାଲିଗଲେ, ଆଉ ଗୋଟିଏ ବସିଲେ ଶାସନ ଗାଦିରେ । ବ୍ରିଟିଶ ଶାସନ ଅପରିବର୍ତ୍ତିତ ରହିଲା । ରହିଲା ମଧ୍ୟ ସମସ୍ତ ପ୍ରକାରର ଶୋଷଣ ଯନ୍ତ୍ର, ପୁରୁଣା ବ୍ରିଟିଶ ଆଇନ୍ । ସେମାନଙ୍କ କାଇଦା କଟକଣାର ଗୋଲାମୀ ଗନ୍ଧ । ମା’ ମୁହଁରୁ ପିଲାବେଳରୁ ଶିଖିଥିବା ଭାଷା, ଯାହାଦ୍ୱାରା ନିଜ ମନର ଭାବକୁ ସର୍ବପ୍ରଥମେ ପ୍ରକାଶ କରିଥିଲୁ, ସେ ଭାଷା କହିଲେ ନାକ ଟେକୁ । ଇଂରେଜୀ ଭାଷା ଲେଖିଲେ କିମ୍ବା କଥା କହିବାବେଳେ ଇଂରେଜୀ ଶବ୍ଦଟିଏ ଭକ୍ ଭକ୍ କରି ବାନ୍ତି କରିପକାଇଲେ ଆମେ ଗର୍ବ ଅନୁଭବ କରୁ । ରାଗିଲେ ଯଦି ଇଂରେଜୀ ଗାଳିଟିଏ ପାଟିରେ ନ ପଶିଲା, ତାହେଲେ ଶିକ୍ଷା ବେକାର ହେଲା । ମାତ୍ର ଆମେ ବୁଝିବାକୁ ପ୍ରସ୍ତୁତ ନାହୁଁ ଯେ, ଯାହାକୁ ସଂପୂର୍ଣ୍ଣ ଭାବେ ମୁଣ୍ଡରେ ମୁଣ୍ଡେଇ ବୁଲାଉଛୁ ସେହି ଇଂରେଜୀ ଭାଷାର ନିଜସ୍ୱ ଚେର ନାହିଁ, ଲିପି ନାହିଁ, ଲାଳିତ୍ୟ ନାହିଁ, ଶୁଦ୍ଧ ବ୍ୟାକରଣଟିଏ ମଧ୍ୟ ନାହିଁ । ୟାଠାରୁ, ତା’ଠାରୁ ଧାର କରି ନିଜେ ଇଂରେଜୀ ଭାଷା ଆଜି ବେଶ୍ ପ୍ରତିଷ୍ଠିତ । ଅଥଚ