ପୃଷ୍ଠା:Jati, Jagruti o Pragati.pdf/151

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୨ / ଜାତି, ଜାଗୃତି ଓ ପ୍ରଗତି
ଦେହଦାନ କରିବାକୁ ବାଧ୍ୟ ହେଉଛନ୍ତି ।

କେବଳ ଧର୍ମ, ସଂସ୍କୃତି ତଥା ଅର୍ଥନୈତିକ ବିଚାରକ୍ଷେତ୍ରରେ ଓଡ଼ିଆ ଜାତି ଆଜି ମାଗିଖିଆର ପରିଚୟ ବହନ କରିନାହିଁ; ବରଂ ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଏହି କଳଙ୍କର ଟୀକା ପିନ୍ଧି ନିଜକୁ ଗର୍ବିତ ମନେ କରୁଛି । ଆଜି ଓଡ଼ିଆ ପାଠକଟିଏ ଭଲ ଗପ, ଉପନ୍ୟାସ, କାବ୍ୟ କବିତାଟିଏ ପାଇପାରୁନାହିଁ ନିଜ ପଠନ ପିପାସାକୁ ପ୍ରଶମିତ କରିବାପାଇଁ । ଶିକ୍ଷାର ପାରାଚିହ୍ନ ଉପରକୁ ଉପରକୁ ଉଠି ଚାଲିଥିବାବେଳେ, ପାଠକ ମନଜାଣି ଗପ, କବିତାଟିଏ ଲେଖିବାକୁ ଆମ ଲେଖକଙ୍କ ନିକଟରେ ସମୟ ନାହିଁ କିମ୍ବା ବୋଧହୁଏ ଜ୍ଞାନ ନାହିଁ । ସତେ ଯେପରି ଫକୀରମୋହନ, ଫତୁରାନନ୍ଦ, ଲକ୍ଷ୍ମୀକାନ୍ତ, ଗୋପୀନାଥ, କୁନ୍ତଳା, ଶକୁନ୍ତଳା ଆଉ ସୃଷ୍ଟି ହୋଇପାରିବେ ନାହିଁ କିମ୍ବା ସୃଷ୍ଟି ହୋଇପାରିବ ନାହିଁ ଏମାନଙ୍କ କାଳଜୟୀ କୃତୀକୁ ଅତିକ୍ରମ କରି ଆଉ କିଛି ସାହିତ୍ୟ ପଦବାଚ୍ୟ କୃତିତ୍ୱ । ଅଥଚ ବର୍ତ୍ତମାନର ଗପ, କବିତା, ଉପନ୍ୟାସ ନାମରେ ଯାହାକିଛି ମୁଦ୍ରିତ ହେଉଛି, ତାହା ମଧ୍ୟ ଅନ୍ୟ ଭାଷାଭାଷୀକୁ ଚୋରେଇ କରି । ଓଡ଼ଆ ଜନଜୀବନର କାହାଣୀ ପରିବର୍ତ୍ତେ ଅନ୍ୟ ଭାଷା-ସାହିତ୍ୟର ଭାବନାକୁ ଓଡ଼ିଆ ମାଟିରେ ରୋପଣ କରି ଅମୂଲ୍ୟ ଫଳଲାଭ କରିବାର ବିଫଳ ଚେଷ୍ଟାରେ ବ୍ୟସ୍ତ ଅଛନ୍ତି ଆମ ଲେଖକଗଣ ।

ସେହିଭଳି ନାଟକ, ଚଳଚ୍ଚିତ୍ର ମଧ୍ୟ ମାଗିଖିଆ ସଂସ୍କୃତିର ଦାୟାଦ ଭାବେ ଆମ ଆଖି ଆଗରେ ଏକ ଜ୍ୱଳନ୍ତ ପ୍ରତୀକ ଭାବେ ଠିଆ ହୋଇଛି । ଓଡ଼ିଆ ଜୀବନ-ଜୀବିକା, ସଂସ୍କୃତି, ଚାଲିଚଳଣୀ ଓ ପାରିବାରିକ ବିଚାରକୁ ନେଇ ଆଉ ଓଡ଼ିଆ ନାଟକ ଅଭିନୀତ ହେଉନାହିଁ କିମ୍ବା ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହେଉନାହିଁ । କେଉଁ ଆଦିମକାଳରୁ ଓଡ଼ିଆ ଜନଜୀବନକୁ ମନୋରଞ୍ଜନ କରିବା ସହିତ ସାମାଜିକ ପ୍ରତିବଦ୍ଧତାକୁ ଓଡ଼ିଆ ନାଟକ ବହନ କରିଆସୁଛି । ଏପରିକି ସ୍ୱାଧୀନତା କାଳରେ ଏହି ନାଟକ ହିଁ ହୋଇଯାଇଥିଲା ଜନଜାଗରଣର ମୁଖ୍ୟ ମାଧ୍ୟମ । ମାତ୍ର ଏସବୁ ମୌଳିକତାକୁ ଆଜିର ଓଡ଼ିଆ ନାଟକ ହରାଇ ବସିଛି । ପାଶ୍ଚାତ୍ୟ ନାଟକ ପ୍ରଭାବରେ ଏଗୁଡ଼ିକ ଗୁଡ଼ାଏ ଦୁର୍ବୋଧ୍ୟ, ଅବୋଧ୍ୟ ତଥା ଅପେରା ଜଗତରେ ଅଶ୍ଳୀଳତାକୁ ଗ୍ରହଣ କରି ହୋଇଯାଇଛି କଳୁଷିତ ।

ଚଳଚ୍ଚିତ୍ର ଅବସ୍ଥା ତ କହିଲେ ନ ସରେ । ଗତ ଦଶନ୍ଧିରୁ ଓଡ଼ିଆ ପ୍ରାଣ ହଜିଯାଇଛି ଚଳଚ୍ଚିତ୍ର ଜଗତରୁ । ତେଲୁଗୁ, ତାମିଲ, ବଙ୍ଗଳା ଭାଷାରୁ ଗୀତ, ନାଚ, ସଂଳାପ, ଏପରିକି ବିଷୟବସ୍ତୁ ମାଗିଆଣି ଯେଉଁ ଓଡ଼ିଆ ଚଳଚ୍ଚିତ୍ର ସବୁ ନିର୍ମାଣ କରାଯାଉଛି, ତାହା ଆମ ଦର୍ଶକଙ୍କ ମନକୁ ଛୁଇଁ ପାରୁ ନ ଥିବାରୁ ବାଧ୍ୟ ହୋଇ ସେମାନେ ଏ ଦିଗରୁ ମୁହଁ ଫେରାଇ ନେଉଛନ୍ତି । ଯାହା ଫଳରେ ଓଡ଼ିଶାର ବହୁ ପ୍ରେକ୍ଷାଗୃହ ବନ୍ଦ ହୋଇସାରିଥିବା ବେଳେ,