ପୃଷ୍ଠା:Jati, Jagruti o Pragati.pdf/153

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୪ / ଜାତି, ଜାଗୃତି ଓ ପ୍ରଗତି

ଲଢ଼ିବା ନା ଲିଭିବା ?

ଧର୍ମକ୍ଷେତ୍ର, କୁରୁକ୍ଷେତ୍ର । କ୍ଷମତା, ପ୍ରତିପତ୍ତି ଆଉ ସଂପତ୍ତିରେ ମଦମତ୍ତ ଗୋଟିଏ ପରିବାରର ଉତ୍ତରାଧିକାରୀ ମଧ୍ୟରେ ଛୋଟିଆ କଳହର ପରିଣତି ଭାବେ ହେବାକୁ ଯାଉଥିବା ବିଶ୍ୱର ଅନ୍ୟ ଏକ ଭୟଙ୍କର ଯୁଦ୍ଧର ମୂକସାକ୍ଷୀ ହେବାକୁ ଯାଉଛି ଏହି କୁରୁକ୍ଷେତ୍ରର ପବିତ୍ର ମାଟି । ଯୁଦ୍ଧର ପ୍ରଚ୍ଛଦ ନାୟକ ରାଜା ଧ୍ରୁତରାଷ୍ଟ୍ର ଉଦ୍‌ବିଗ୍ନ । ସେ ଅନ୍ଧ, ଚକ୍ଷୁଗତ ଆଉ ପୁତ୍ରଗତ । ଯଦିଓ ସେ ଆଶ୍ୱସ୍ତ, ଭାରତବର୍ଷର ମହାନ୍ ଯୋଦ୍ଧାଗଣଙ୍କୁ ନିଜ ପୁତ୍ରଗଣଙ୍କ ପକ୍ଷଭୁକ୍ତ କରିପାରିଛି; ତଥାପି ବିବ୍ରତ, ସନ୍ଦିହାନ । ତେଣୁ ସେ ବ୍ୟାସଙ୍କ ଆଶୀର୍ବାଦରେ ମନ୍ତ୍ରୀ ସଂଜୟଙ୍କୁ ମିଳିଥିବା ଦିବ୍ୟ ଦୃଷ୍ଟିଦ୍ୱାରା ଜାଣିବାକୁ ଚାହିଁଛନ୍ତି ଯୁଦ୍ଧ ସଂପର୍କୀୟ ବିସ୍ତୃତ ବିବରଣୀ । ଶୁଣିବାକୁ ଚାହିଁଛନ୍ତି ପୁତଗ୍ରଣଙ୍କ ବିଜୟବାର୍ତ୍ତା ।

ସଂଜୟ କହୁଛନ୍ତି-“ପାଣ୍ଡବଙ୍କ ସମରସଜ୍ଜା ଦେଖି ବିବ୍ରତ ଦୁର୍ଯ୍ୟୋଧନ ଯାଇ ଆଚାର୍ଯ୍ୟ ଦ୍ରୋଣଙ୍କୁ କହିଲେ-ଆଚାର୍ଯ୍ୟ ! ପାଣ୍ଡୁପୁତ୍ରଙ୍କ ଏହି ବିରାଟ ସେନାଙ୍କୁ ଦେଖନ୍ତୁ । ଏହି ସେନାରେ ଭୀମ ଓ ଅର୍ଜୁନ ସମାନ ଯୋଦ୍ଧା-ସାତ୍ୟକୀ, ବିରାଟ, କୃପ, ଧୃଷ୍ଟକେତୁ, ଚେକିତାନ, କାଶିରାଜ, ପୁରୁଜିତ, କୁନ୍ତିଭୋଜ, ଶୈବ୍ୟ, ଯୁଧାମନ୍ୟୁ, ଉତ୍ତମୌଜା ପ୍ରଭୃତି ଅଛନ୍ତି । ଆମ ପକ୍ଷରେ ଅଛନ୍ତି ଆପଣ, ଭୀଷ୍ମ, କର୍ଣ୍ଣ କୃପ, ଅଶ୍ୱତ୍ଥମା, କର୍ଣ୍ଣ, ଭୂରିଶ୍ରବା ଆଦେ ଅସଂଖ୍ୟ ଯୋଦ୍ଧା । ଭୀଷ୍ମଙ୍କ ନେତୃତ୍ୱରେ ଆମ ସେନା ଅପର୍ଯ୍ୟାପ୍ତ, ଭୀମଙ୍କ ନେତୃତ୍ୱରେ ସେମାନଙ୍କ ସେନା ସୀମିତ । ତେଣୁ ଆମର ବିଜୟ ସୁନିଶ୍ଚିତ । ଏହି ସମୟରେ ପିତାମହ ଭୀଷ୍ମ କୌରବଙ୍କ ପକ୍ଷରୁ ଯୁଦ୍ଧ ଆରମ୍ଭର ସୂଚନା ଦେବାକୁ ଯାଇ ଶଙ୍ଖନାଦ କଲେ । ଅପରପକ୍ଷରୁ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସହ ପାଣ୍ଡବ ଓ ଅନ୍ୟାନ୍ୟ ଯୋଦ୍ଧାଙ୍କ ଶଙ୍ଖଧ୍ୱନିରେ କୁରୁକ୍ଷେତ୍ରର ଗଗନମଣ୍ଡଳ ପ୍ରକମ୍ପିତ ହୋଇଉଠିଲା ।