ପୃଷ୍ଠା:Jati, Jagruti o Pragati.pdf/154

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୫୫

ଆରମ୍ଭରେ ପ୍ରତିପକ୍ଷଙ୍କୁ ଦେଖିବା ଉଦ୍ଦେଶ୍ୟରେ ଯୋଦ୍ଧା ଅର୍ଜ୍ଜୁନ ଧନୁର୍ବାଣ ଉଠାଇ ସାରଥୀ ଶ୍ରୀକୃଷ୍ଣଙ୍କୁ କହିଲେ- ‘ରଥକୁ ଦୁଇସେନା ମଧ୍ୟରେ ରଖନ୍ତୁ । ଏହି ଭୟଙ୍କର ଯୁଦ୍ଧରେ ମୋତେ କାହାସହ ଲଢ଼ିବାକୁ ପଡିବ, ତାହା ଦେଖିବାକୁ ଚାହେଁ ।’

ବର୍ତ୍ତମାନ ଉଭୟ ସେନା ମଧ୍ୟରେ ଅଜୁନଙ୍କ ରଥ । ପାର୍ଥ ଦେଖୁଛନ୍ତି ସମ୍ମୁଖରେ ପିତୃ-ପିତାମହ, ଗୁରୁ-ଗୁରୁପୁତ୍ର, ମାମୁଁ-ଅଜା, ଭାଇ-ଭିଣେଇ, ପୁଅ-ପୁତୁରା, ମିତ୍ର-ଶ୍ୱଶୁର ସୁହୃଦ ଇତ୍ୟାିଦି । ଯୁଦ୍ଧ ଅଭିଳାଷୀ ନିଜ ଆତ୍ମୀୟମାନଙ୍କୁ ପ୍ରତିପକ୍ଷରେ ଦେଖି ବିଷର୍ଣ୍ଣ ଅର୍ଜ୍ଜୁନ ସଖା କୃଷ୍ଣଙ୍କୁ କହିଲେ-‘ହେ କୃଷ୍ଣ ! ଶତ୍ରୁ ଭାବରେ ନିଜ ଭାଇ ବନ୍ଧୁ, କୁଟୁମ୍ବଙ୍କୁ ସମ୍ମୁଖରେ ଦେଖି ମୋର ଶରୀର ଦୁର୍ବଳ ହୋଇଯାଉଛି, ଚମ ଜଳାପୋଡ଼ା କରୁଛି, ହାତରୁ ଗାଣ୍ଡିବ ଖସିପଡୁଛି । ଯୁଦ୍ଧ କରିବାର ସାମର୍ଥ୍ୟ ହରାଉଛି । ହେ କୃଷ୍ଣ ! ମୁଁ ବିଜୟ ଚାହୁଁନାହିଁ । ରାଜ୍ୟ ସୁଖ ମଧ୍ୟ ଲୋଡ଼ାନାହିଁ । ଯେଉଁମାନଙ୍କପାଇଁ ରାଜଭୋଗ ଓ ସୁଖ କାମନା କରୁଛୁ, ସେମାନେ ଆଜି ଧନଜୀବନର ଆଶା ତ୍ୟାଗକରି ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି । ତେଣୁ ଏ ରାଜ୍ୟ, ଏ ଭୋଗ, ଏ ଜୀବନର ଅର୍ଥ କ’ଣ!

ହେ ମଧୁସୂଦନ ! ଏଠାରେ ଉପସ୍ଥିତ ଗୁରୁସମାନ, ପିତା ସମାନ, ପୁତ୍ର ସମାନ ଯୋଦ୍ଧାଗଣଙ୍କୁ ମୁଁ ହତ୍ୟା କରିବାକୁ ଚାହେଁ ନାହିଁ । ହେ ମାଧବ ! ନିଜ କୁଟୁମ୍ବଙ୍କୁ ହତ୍ୟା କରି ଆମେ କିପରି ସୁଖୀ ହୋଇପାରିବୁ? ଲୋଭ ମୋହରେ ବନ୍ଧା ଏହି ମିତ୍ରଗଣ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହର ପାପ ଜାଣିପାରୁନାହାନ୍ତି । ଯଦି ମୁଁ ସେମାନଙ୍କ ପରି ଲୋଭରେ ପଡ଼ି ଏମାନଙ୍କୁ ହତ୍ୟା କରେ, ତେବେ କୁଳକ୍ଷୟ, ମିତ୍ରଦ୍ରୋହ ଦୋଷ ଲାଗିବ । ଏସବୁ ଜାଣି ମୁଁ ଏହି ମହାପାପରୁ କାହିଁକି ଦୂରେଇ ଯିବି ନାହିଁ? ବରଂ ମୋତେ ଶସ୍ତ୍ରହୀନ ପାଇ ଯଦି ଧୃତରାଷ୍ଟ୍ରପୁତ୍ରମାନେ ହତ୍ୟା କରନ୍ତି, ତେବେ ମୋ ପକ୍ଷରେ ମଧ୍ୟ ଅଧିକ ମଙ୍ଗଳକର ହେବ ।’ ଏହା କହି ବିଷାଗ୍ରସ୍ତ ଅର୍ଜୁନ ଧନୁର୍ବାଣ ତ୍ୟାଗ କରି ରଥ ଉପରେ ବସିପଡିଲେ ।”

ହେଉଛି ଭଗବତଗୀତାର ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ “ଅର୍ଜୁନ ବିଷାଦ ଯୋଗ”ର ବିଷୟବସ୍ତୁ । ପ୍ରତି ବ୍ୟକ୍ତିର ଧନସଂପତ୍ତି, ପ୍ରତିପତ୍ତି, ଆସକ୍ତି କିପରି ଆତ୍ମୀୟତାକୁ ହତ୍ୟା କରେ, ତାହା ହିଁ ଏଠାରେ ପ୍ରତିପାଦ୍ୟ ବିଷୟ ।

ବିଷାଦଗ୍ରସ୍ତ ଅର୍ଜୁନଙ୍କ ଏହି ମାର୍ମିକ ଭାବନାକୁ ଆମେ ହୁଏତ କେଉଁ କବିର କଳ୍ପନା କିମ୍ବା ଇତିହାସର ବିଷୟ କହି ନୀରବ ରହିବା । ମାତ୍ର ଏହିସବୁ ଘଟଣା କ’ଣ ଆମ ସମାଜରେ ଏବେ ବି ପ୍ରତିକ୍ଷଣରେ ଅନୁଭବ କରି ହେଉନାହିଁ? ବିଶେଷ କରି ଆମ