ପୃଷ୍ଠା:Jati, Jagruti o Pragati.pdf/155

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୬ / ଜାତି, ଜାଗୃତି ଓ ପ୍ରଗତି
ଓଡ଼ିଶା ମାଟିରେ ଥିବା ଅସଂଖ୍ୟ ପାର୍ଥରୂପୀ ଯୁବଗଣଙ୍କ ମନରେ କ’ଣ ସେହି ଦ୍ୱନ୍ଦ୍ୱ ପ୍ରତିଫଳିତ ହେଉନାହିଁ! ପ୍ରିୟାପ୍ରୀତି ତୋଷଣରେ ବ୍ୟସ୍ତଥିବା ଅଗଣିତ ପୁତ୍ରାନ୍ଧ ଧୃତରାଷ୍ଟ୍ରଙ୍କ ପରୋକ୍ଷ ଇଙ୍ଗିତରେ ତଥା ସମାଜ-ଶୋଷଣର କର୍ଣ୍ଣଧାର ସାଜିଥିବା ଦୁର୍ୟ୍ୟୋଧନ, ଦୁଃଶାସନମାନଙ୍କ ବିରୁଦ୍ଧରେ ଧର୍ମଯୁଦ୍ଧ କରିବାକୁ ଚାହୁଁଥିବା ପାର୍ଥଗଣ ଆଜି ଦେଖୁଛନ୍ତି, ସମାଜର ଶତୃ ରୂପରେ ନିଜର ପ୍ରିୟଜନମାନଙ୍କୁ । ଆଜି ପ୍ରତ୍ୟେକ ପାର୍ଥଙ୍କ ବାପା-ମାଆ, ଭାଇ-ବନ୍ଧୁ, ଶ୍ୱଶୁର-ଶଳା ଆଦି ପାଲଟି ଯାଇଛନ୍ତି ସେହି ବ୍ୟବସ୍ଥାର ଦାସ । ପୁତ୍ରାନ୍ଧ ଧୃତରାଷ୍ଟ୍ରଙ୍କ ଅଧୀନରେ ଥିବା ଏହି ଓଡ଼ିଶା ମାଟିରେ ଏବେ ବି ବହୁପାର୍ଥ ଚାହିଁଛନ୍ତି ଓଡ଼ିଆ ଜାତିର ସୁରକ୍ଷାପାଇଁ ସ୍ୱାଭିମାନର ସହ ଲଢ଼େଇ କରିବାକୁ । କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ଏହି ଦ୍ୱନ୍ଦ୍ୱ ପଛରୁ ଭିଡି ଧରୁଛି ।

ଓଡ଼ିଆ ପାର୍ଥ ଆଜି କାହା ବିରୁଦ୍ଧରେ ଲଢ଼ିବ?

ତାରି ଆଖି ଆଗରେ ଓଡ଼ିଶା ମାଟିମାଆକୁ ଲୁଟି ନେଉଛନ୍ତି ବାହାର ବେପାରୀ- ଜମି, ଜଳ ଓ ଜଙ୍ଗଲକୁ । ଶିଳ୍ପ, ପ୍ରଗତିଭଳି ଶସ୍ତା ସ୍ଲୋଗାନରେ ମତୁଆଲା ସାଜିଛନ୍ତି ଆଜିର ରଣକ୍ଷେତ୍ରରେ ଉପସ୍ଥିତ ସଖା-ସହୋଦର । ସେହିମାନଙ୍କ ଆବାହନରେ ହିଁ କଳିକଳଙ୍କର ଟିକାକୁ ମଥାରେ ଧାରଣ କରିବାକୁ ବାଧ୍ୟ ହେଉଛନ୍ତି ତରୁଣ ଓଡ଼ିଆ-ପାର୍ଥଗଣ । ମୁହଁର ଭାଷାକୁ ସେମାନଙ୍କଠାରୁ ଛଡ଼େଇ ନିଆଯାଉଛି ଉଚ୍ଚଶିକ୍ଷାର ଦ୍ୱାହିଦେଇ । ମାତ୍ର ଏ ଉଚ୍ଚଶିକ୍ଷା କେବଳ ବେକାରୀ ସୃଷ୍ଟିରେ ସହାୟ ହେଉଛି ସିନା, ବୃତ୍ତିଟିଏ ଯୋଗାଇ ସ୍ୱାଭିମାନୀ ଓଡ଼ିଆଟିଏ ତିଆରି କରିପାରୁନାହିଁ ।

ସମଗ୍ର ବିଶ୍ୱରେ ଭାଷାକୁ ନେଇ ସର୍ବପ୍ରଥମେ ରାଜ୍ୟ ବା ପ୍ରଶାସକୀୟ ଅଞ୍ଚଳଟିଏ ଗଠନ କରି ଗର୍ବିତ ହେଉଥିବା ଏହି ଜାତି ପୁଣି ବିଶ୍ୱରେ ଏକମାତ୍ର ଜାତି; ଯାହାର ସନ୍ତାନ ଆଜି ଡାକ୍ତର, ଇଞ୍ଜିନିୟର, ଓକିଲ, ବିଚାରପତି, ପ୍ରଶାସକ, ଏପରିକି କିରାଣୀ, ପିଅନଟିଏ ନିଜ ମାଟିରେ ହେବାପାଇଁ ଅନ୍ୟ ଭାଷା ଉପରେ ନିର୍ଭର କରୁଛି । ଏହି ରାଜ୍ୟର ପଡ଼ୋଶୀଭାଇ ବଙ୍ଗାଳୀ, ତେଲୁଗୁ, ତାମିଲ, ମରାଠାଗଣ ନିଜ ମାତୃଭାଷାଦ୍ୱାରା ଏହିସବୁ କ୍ଷେତ୍ରରେ ନିଯୁକ୍ତିପାଇ ନିଜ ଜାତିର, ନିଜ ରାଜ୍ୟର ସୁନାମକୁ ଦେଶବିଦେଶରେ ବିତରଣ କରୁଛନ୍ତି । କେବଳ ସେତିକି ନୁହେଁ, ଆମର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି । ଛାତ୍ରଙ୍କୁ ଶିକ୍ଷିତ କରିବାପାଇଁ ଉପଯୁକ୍ତ ଶିକ୍ଷକ, ଅଧ୍ୟାପକଙ୍କ ନିଯୁକ୍ତି ନାହିଁ । ମାତୃଭାଷା ମାଧ୍ୟମରେ ଶିକ୍ଷାପ୍ରଦାନର ବ୍ୟବସ୍ଥା ନ କରି, ଇଂରେଜୀ, ହିନ୍ଦୀ ଓ ସଂସ୍କୃତ ଭଳି ଅନ୍ୟ ଭାଷାକୁ ଜବରସ୍ତ ଲଦିଦେବାଦ୍ୱାରା ଛାତ୍ର ଓ ଶିକ୍ଷକ ମଧ୍ୟରେ ଦୂରତା ବୃଦ୍ଧି