ପୃଷ୍ଠା:Jati, Jagruti o Pragati.pdf/23

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୨୪ / ଜାତି, ଜାଗୃତି ଓ ପ୍ରଗତି

ସରଳତାର ସୁଯୋଗ ନେଇ, ଅନ୍ୟଦ୍ୱାରା ଠକାମିର ଶିକାର ହେଲାବେଳେ ଦୋଷ ଦେଇଥାନ୍ତି ଉପକୂଳବର୍ତ୍ତୀ ଓଡ଼ିଆଙ୍କୁ । ନୂତନ ଜିଲ୍ଲା ଗଠନ ହେବା ପରେ ଯଦିଓ ସରକାରୀ କଳ କିଛି ତତ୍ପରତା ପ୍ରକାଶ କରିଥିଲା, ମାତ୍ର ଏବେ ଏହି କଳର କର୍ମକର୍ତ୍ତା ଏବଂ ବୁରୋକ୍ରାଟଗଣ ଶୋଷକ ଗୋଷ୍ଠୀରେ ସାମିଲ ହୋଇସାରିଲେଣି । ଏମାନେ ନକ୍ସଲ୍ ଆନ୍ଦୋଳନକୁ ଏକ ସୁଯୋଗ ଭାବେ ଗ୍ରହଣ କରି, ସୁରକ୍ଷା ପ୍ରସଙ୍ଗ ଆଳରେ ଆଦିବାସୀ ଉନ୍ନୟନ କାର୍ଯ୍ୟଧାରାରୁ ନିଜକୁ ଦୂରେଇ ରଖି ଏହି ଅଞ୍ଚଳକୁ ଦିଆଯାଉଥିବା ପର୍ଯ୍ୟାପ୍ତ ଅର୍ଥର ମିଥ୍ୟା ପ୍ରମାଣପତ୍ର ଦେଇ ଲୁଟ୍ କରିବାରେ ଲାଗିଛନ୍ତି । ସରକାର ମଧ୍ୟ ନିଶ୍ଚିନ୍ତ । କାରଣ ସେମାନଙ୍କର କାର୍ଯ୍ୟ କରିବାର ସୀମା ମଧ୍ୟ ହ୍ରାସ ପାଇଯାଉଛି । ଏଭଳି ସ୍ଥିତିରେ ଏମାନେ ଏତିକି ବୁଝିପାରୁ ନାହାନ୍ତି- ଯେଉଁ ଅବହେଳାର କାରଣ ଆଦିବାସୀମାନଙ୍କୁ ରକ୍ତମୁଖା ସଜାଇଛି, ତାହାର ଯଦି ଆଶୁ ସମାଧାନ ନ ଘଟେ, ତେବେ ଏହା କ୍ରମେ ବୃଦ୍ଧି ପାଇ ଓଡ଼ଶାର ବ୍ୟାପକ ଧନଜୀବନ କ୍ଷତି ହେବା ସହ ଅର୍ଦ୍ଧାଧିକ ଅଞ୍ଚଳକୁ ମଧ୍ୟ ହରାଇବାକୁ ପଡ଼ିବ । ତେଣୁ ଏପରି ଅପମାନଜନକ ସ୍ଥିତି ଉତ୍ପନ୍ନ ହେବା ପୂର୍ବରୁ ନିଜକୁ ଓଡ଼ିଆ ବୋଲି ଗର୍ବରେ ମଥାଟେକି ଚାଲୁଥିବା ପ୍ରତ୍ୟେକ ଓଡ଼ିଶାବାସୀ ସଚେତନ ହୋଇ ଆମ ରାଜ୍ୟର ନିଦ୍ରିତ ସରକାରଙ୍କୁ ସଚେତନ କରାଇବାର ସମୟ ପୁଣି ଥରେ ଉପସ୍ଥିତ ହୋଇଛି ।

କେନ୍ଦ୍ରୀୟ ‘କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି’ (କେବିକେ) ଯୋଜନାର ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନ ଥିବା ବେଳେ ଏହି ଯୋଜନା ଅନ୍ତର୍ଭୁକ୍ତ କୁଟିଆ ଗ୍ରାମ ପଞ୍ଚାୟତର ଚିର ଅବହେଳିତ, ନିରକ୍ଷର ସେହି ତିନି ସହସ୍ର ଅଧିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରମାଣ ଜଣାଉଛି, ଯେଉଁମାନେ ଆନ୍ଧ୍ରବାସୀଙ୍କ ପ୍ରଲୋଭନ ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ମଧ୍ୟ ନିଜକୁ ଓଡ଼ିଆ କହିବାର ଗର୍ବ ଅନୁଭବ କରୁଛନ୍ତି । ଘଞ୍ଚ ଅରଣ୍ୟ, ଦେଓମାଳି ପର୍ବତର ଭୀମକାୟ ରୂପ ତଥା ଏଥିରୁ ନିର୍ଝରିତ ଝରଣାର ସ୍ରୋତରେ ଦ୍ୱିଖଣ୍ଡିତ ହୋଇଥିବା ଏହି ଆଦିବାସୀ ଅଞ୍ଚଳ ପ୍ରାକୃତିକ ଅରଣ୍ୟ ଓ ଖଣିଜ ସଂପରେ ପୂର୍ଣ୍ଣଗର୍ଭା ଥିବାରୁ ପଡୋଶୀ ଆନ୍ଧ୍ରର କୁନଜରରେ ପଡ଼ିବା ସ୍ୱାଭାବିକ । ଆନ୍ଧ୍ର ଓ ଓଡ଼ିଶାର ରାଜଧାନୀଠାରୁ ସମଦୂରରେ ଥିବା ଏହି ଅଗମ୍ୟ ଅଞ୍ଚଳର ରତ୍ନକୁ ସାଉଁଟି ନେବାପାଇଁ ଆନ୍ଧ୍ରର ବ୍ୟଗ୍ରତା ବୃଦ୍ଧି ପାଇବାବେଳେ, ଓଡ଼ିଶା ସରକାରଙ୍କ ପ୍ରଶାସନିକ ଦୁର୍ବଳତା ଓ ଅବହେଳାକୁ ସର୍ବ ସାଧାରଣରେ ଦେଖାଇ ଦେଇଛି । ଏହାଦ୍ୱାରା ମଧ୍ୟ ଆନ୍ଧ୍ର ପ୍ରମାଣ କରିବାକୁ ଚାହୁଁଛି ଯେ, ଲୋକମୁଖର ଭାଷା ମାଧ୍ୟମରେ, ତଥା କିଛି ସୁବିଧା ପ୍ରଦାନ କରିବା ଆଳରେ ସୀମାନ୍ତ ଅଞ୍ଚଳକୁ ବିବାଦପୂର୍ଣ୍ଣ କରି ନିଜ ସୀମା ଅନ୍ତର୍ଭୁକ୍ତ କରାଯାଇପାରେ । ସେଥିପାଇଁ ସୀମାନ୍ତ ଅଞ୍ଚଳର ସାଲୁରପୁର ଠାରୁ ୨୨ କି.ମି ଦୂର ଥିବା ଓଡ଼ିଶାର କୁଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ତିନୋଟି ଗ୍ରାମ ଅର୍ଜୁବାଲାସା, ତାଡ଼ିବାଲସା ଓ ନାର୍ଜା ବାଲସାରେ