ପୃଷ୍ଠା:Jati, Jagruti o Pragati.pdf/35

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୩୬ / ଜାତି, ଜାଗୃତି ଓ ପ୍ରଗତି

ଯେ ଭାରତର ନ୍ୟାୟପ୍ରଣାଳୀ ଆଜି ମଧ୍ୟ ଔପନିବେଶିକ ପ୍ରଭାବରୁ ମୁକ୍ତ ହୋଇନାହିଁ । ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟର ବିଚାରପତି ଏମ୍.ସି.ଧର୍ମାଧିକାରୀ ସବୁବେଳେ କହୁଥିଲେ - ଏ ଦେଶର ଦୁର୍ଭାଗ୍ୟ ଯେ, ଏଠିକାର ନ୍ୟାୟାଳୟରେ ନିଜ ଜିଭଦ୍ୱାରା କାମ ହୋଇ ନ ଥାଏ । ଇଂରେଜ ନିଜ ଶାସନକାଳରେ ନ୍ୟାୟାଳୟର କାର୍ଯ୍ୟବିଧି ନିଜ ସୁବିଧା ଅନୁସାରେ ଇଂରାଜୀ ଭାଷା ମାଧ୍ୟମରେ କରୁଥିଲେ, ଯଦ୍ୱାରା ସେମାନେ ପ୍ରକୃତ କଥା ଜାଣି ଉପଯୁକ୍ତ ନ୍ୟାୟ ପ୍ରଦାନ କରିପାରିବେ । ସ୍ୱାଧୀନତା ପରେ ନ୍ୟାୟପ୍ରଣାଳୀକୁ ଇଂରାଜୀ ଭାଷାମୁକ୍ତ କରି ସମସ୍ତଙ୍କ ବୁଝିବାଭଳି ଭାଷାରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରିବା ଜରୁରୀ ଥିଲା । ସମ୍ବିଧାନର ଅନୁଚ୍ଛେଦ - ୩୪୮ ଅନୁସାରେ ଉଚ୍ଚନ୍ୟାୟାଳୟରେ ରାଜ୍ୟପାଳଙ୍କ ଆଦେଶଦ୍ୱାରା ସଂପୃକ୍ତ ରାଜ୍ୟର ଭାଷାରେ କାର୍ଯ୍ୟ ହୋଇପାରିବ, ଯାହା ବିହାର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟରେ ପ୍ରଚଳିତ ହୋଇଆସୁଅଛି । କିନ୍ତୁ ଇଂରାଜୀ ଭାଷା ହିଁ ନ୍ୟାୟାଳୟର ଏକମାତ୍ର ସର୍ବମାନ୍ୟ ଭାଷା ଭାବେ ସେ ପର୍ଯ୍ୟନ୍ତ ରହିବ, ଯେ ପର୍ଯ୍ୟନ୍ତ ସଂସଦରେ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ନ ପାଇବ । ଅର୍ଥାତ୍ ନିମ୍ନ ଅଦାଲତ ବ୍ୟତୀତ ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଚାହିଁଲେ ବି ନିଜ ମକଦ୍ଦମା ଇଂରାଜୀ ବ୍ୟତୀତ ନିଜ ଭାଷାରେ କିମ୍ବା ଭାରତ ସମ୍ବିଧାନ ସ୍ୱୀକୃତ କୌଣସି ଭାଷାରେ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମଧୁ ଲିମାୟେ ବନାମ ବେଦମୂର୍ତ୍ତୀ ମାମଲାରେ ସ୍ପଷ୍ଟ କରିଦେଇଛିନ୍ତି । ସେଥିପାଇଁ ଇଂରାଜୀ ଭାଷା ବ୍ୟତୀତ ହିନ୍ଦୀ କିମ୍ବା ଅନ୍ୟ କୌଣସି ଭାଷାରେ ଲିଖିତ ଦସ୍ତାବିଜକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରୁନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ସମ୍ବିଧାନ ସୁରକ୍ଷାପାଇଁ ଗଠିତ ନ୍ୟାୟପାଳିକାର ସର୍ବୋଚ୍ଚ ସଂସ୍ଥା ସୁପ୍ରିମକୋର୍ଟ ସମ୍ବିଧାନ ସ୍ୱୀକୃତି ପାଇ ନ ଥିବା ଇଂରାଜୀ ଭାଷା ପ୍ରୟୋଗକୁ ଗୁରୁତ୍ୱ ଦେଇ ଏହାର ସୁରକ୍ଷା କରୁଥିବାବେଳେ ଭାରତରେ ମୌଳିକ ଭାଷା ପ୍ରଚଳନ ପ୍ରତି ଉଦାସୀନ ରହି ନିଜ ସାମ୍ବିଧାନିକ କର୍ତ୍ତବ୍ୟ ପାଳନରେ ଅବହେଳା କରୁଛି ।

ଗତ କିଛିଦିନ ତଳେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟ ଅନ୍ତର୍ଗତ ମଦୁରାଇ ଖଣ୍ଡପୀଠର ଓକିଲଗଣ ତାମିଲ ଭାଷାରେ ଯୁକ୍ତି କରିବାକୁ ଅନୁମତି ପାଇବା ଦାବି ନେଇ ଗଣ ଧାରଣାରେ ବସିଥିଲେ । ଯାହାକୁ ମଦୁରାଇ ଖଣ୍ଡପୀଠ ଗ୍ରହଣ କରିଥିବା ବେଳେ ଔପଚାରିକ ଘୋଷଣାପାଇଁ ରାଷ୍ଟ୍ରପତିଙ୍କ ସ୍ୱୀକୃତିକୁ ଅପେକ୍ଷା କରାଯାଇଛି । କେତେକ ରାଜ୍ୟରେ ଉଚ୍ଚ ନ୍ୟାୟାଳୟର ବିଚାରପତିଗଣ ମଧ୍ୟ ଏହିକଥା ଉଠାଇଲେଣି । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମଧ୍ୟ ହିନ୍ଦୀରେ ତର୍କବିତର୍କ କରିବାକୁ ଜଣେ ଓକିଲଙ୍କୁ ଅନୁମତି ଦେବାପରେ ଭାରତୀୟ ନ୍ୟାୟର ଭାଷା ଭାବେ ଆଞ୍ଚଳିକ ଭାଷାକୁ ଗ୍ରହଣ କରିବା ଦାବି