ପୃଷ୍ଠା:Jati, Jagruti o Pragati.pdf/47

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪୮ / ଜାତି, ଜାଗୃତି ଓ ପ୍ରଗତି
ଭାଷା କହିପାରୁଥିଲେ । ଏହି ସମୟରେ ଉତ୍ତର ଭାରତ ନିଜସ୍ୱ ପରିଚୟ ସ୍ଥାପନପାଇଁ ହିନ୍ଦୀକୁ କିମ୍ବା ଊର୍ଦ୍ଦୁ ଭାଷାକୁ ଗ୍ରହଣ କରିବା ବିବାଦ ମଧ୍ୟରେ ଦୋଦୁଲ୍ୟମାନ ହେଉଥିଲା । ଏ ସଂପର୍କରେ ପ୍ରଫେସର ବସୁଧା ଡାଲମିଆଁ ବିସ୍ତୃତ ଗବେଷଣା କରି ମତ ଦିଅନ୍ତି ଯେ “ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ ନେତୃତ୍ୱରେ ପୁନରୁତ୍ଥାପିତ ହିନ୍ଦୀ ସାହିତ୍ୟ ହିଁ ଉତ୍ତର ଭାରତରେ ବିକଶିତ ହୋଇଥିବା ନୂତନ ମଧ୍ୟମ ବର୍ଗକୁ ଏକ ନୂତନ ଇତିହାସବୋଧ ଏବଂ ଭବିଷ୍ୟତ ପ୍ରତି ଏକ ନୂଆ ଆତ୍ମବିଶ୍ୱାସ ପ୍ରଦାନ କଲା । ଏହି ସମୟର ସାହିତ୍ୟରେ ମଧ୍ୟମ ବର୍ଗଙ୍କୁ ନିଜସ୍ୱ ପରିଚୟପାଇଁ କେତେକ ସରଳ ସହଜ ସମୀକରଣ ମଧ୍ୟ ପ୍ରଦାନ କଲା । ଯେପରି ହିନ୍ଦୀ ଅର୍ଥାତ୍ ହିନ୍ଦୁ ଏବଂ ଉତ୍ତରଭାରତ ଅର୍ଥାତ୍ ସମଗ୍ର ଭାରତବର୍ଷ ।”

ଭାରତ ସ୍ୱାଧୀନତା ହାସଲ ପରେ କେନ୍ଦ୍ର ସରକାରଙ୍କଦ୍ୱାରା ନିଯୁକ୍ତ ସରକାରୀ ଭାଷାମାମଲାର ପରାମର୍ଶଦାତା ହରିବଂଶ ରାୟ ବଚ୍ଚନ ମତ ଦେଇଥିଲେ ଯେ-‘ହିନ୍ଦୀରେ ସଂସ୍କୃତ, ଊର୍ଦ୍ଧୁ ଓ ପାର୍ଶୀ ଭାଷାର ମହକ ରହିଛି ।’ ମାତ୍ର ପରେ ଏହି ମହକକୁ ଲୋପ କରିବାକୁ ଯାଇ ବି.ୱାଇ. କେସ୍କର ଅଧ୍ୟକ୍ଷତାରେ ଗଠିତ ସମିତିର ପରାମର୍ଶରେ ପ୍ରଥମେ ଆକାଶବାଣୀ ଓ ପରେ ଦୂରଦର୍ଶନରେ ସଂସ୍କୃତ ଶବ୍ଦାବଳୀକୁ ହିନ୍ଦୀ ଭାଷାରେ ପ୍ରାଧାନ୍ୟ ଦେବା, ତଥା ସରକାରୀ ନଥିପତ୍ରରେ ଏହାର ବ୍ୟାପକ ପ୍ରୟୋଗ ଯୋଗୁଁ ହିନ୍ଦୀର ସଂସ୍କୃତକରଣ ପ୍ରକ୍ରିୟା ଆରମ୍ଭ ହୋଇଗଲା । ତେବେ ୬ଷ୍ଟ ଦଶକରେ ରାଷ୍ଟ୍ରଭାଷାକୁ ନେଇ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଯେଉଁ ଭୟଙ୍କର ବିବାଦ ଦେଖାଦେଲା, ସେଥିରେ ଲାଭାନ୍ୱିତ ହେଲା ନିଜସ୍ୱ ଲିପି ନ ଥିବା ଅସ୍ଥାୟୀ ବିଦେଶୀ ଇଂରେଜୀଭାଷା । ଏହାର ସ୍ଥାୟିତ୍ୱକୁ ସ୍ୱୀକାର କରାଗଲା ହିନ୍ଦୀକୁ ରାଷ୍ଟ୍ରଭାଷା ମର୍ଯ୍ୟାଦା ଦେବା ପ୍ରତି ବଦଳରେ ।

ମାତ୍ର ପ୍ରକୃତରେ ହିନ୍ଦୀ କେବେ ମଧ୍ୟ ଭାରତର ରାଷ୍ଟ୍ର ଭାଷା ହୋଇ ରହିନାହିଁ । କାରଣ ଯେପର୍ଯ୍ୟନ୍ତ ଏହାକୁ ଭାରତରେ ସମସ୍ତ ରାଜ୍ୟ ଗ୍ରହଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ହିନ୍ଦୀ ଭାଷା ଅନ୍ୟ ୨୧ଟି ଆଞ୍ଚଳିକ ଭାଷା ସହ ସମାନ ବୋଲି ସାମ୍ବିଧାନିକ ସ୍ଥିତିରୁ ଜଣାପଡ଼େ । ତେଣୁ ହିନ୍ଦୀ ଆଜି ପର୍ଯ୍ୟନ୍ତ କେବଳ ଏକ ଆଧିକାରୀକ ଭାଷା ରୂପରେ ତଥା କିଛି ଅଞ୍ଚଳର କଥିତ ଭାଷା ରୂପରେ ନିଜର ସ୍ଥତିକୁ ସୁଦୃଢ଼ କରିବାପାଇଁ ସଂଘର୍ଷ କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଂରେଜୀ ଭଳି ହିନ୍ଦୀକୁ କିଛି ଅଞ୍ଚଳର ଲୋକଙ୍କପାଇଁ ରଖାଯାଇଥିଲା; ଯେଉଁମାନେ ପାରସ୍ପରିକ ସଂପର୍କପାଇଁ ନିଜ ମାତୃଭାଷା ବ୍ୟତୀତ ଆଉ ଏକ ବୃହତ୍ ଭାଷାର ଆବଶ୍ୟକ କରିଥାନ୍ତି । ମାତୃଭାଷାର ବିକାଶପାଇଁ ପୁନଶ୍ଚ ଯେଉଁଭଳି ଭାବରେ ତ୍ରିଭାଷା ନିୟମ ଗ୍ରହଣ କରାଗଲା, ତାହା ମଧ୍ୟ ଏକ କୌତୁକ ହୋଇ ରହିଗଲା । ପ୍ରଥମ ଭାଷା ମାତୃଭାଷା, ୨ୟଟି ଇଂରେଜୀ ତଥା ତୃତୀୟ ଭାଷା ରୂପରେ ଅନ୍ୟ କୌଣସି ଆଧୁନିକ ଭାରତୀୟ ଭାଷା ରଖିବା କଥା । କିନ୍ତୁ କେତେକ ରାଜ୍ୟ ସାଧାରଣରେ ଅପ୍ରଚଳିତ