ପୃଷ୍ଠା:Jati, Jagruti o Pragati.pdf/50

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୫୧

ଆମେ ହିନ୍ଦୀଭାଷୀଙ୍କ ଭଳି ସଂକୀର୍ଣ୍ଣମନା ନୋହୁଁ । ଆମଠାରେ ତେଲୁଗୁ, ତାମିଲ, ମରାଠୀ, ବଙ୍ଗାଳୀଙ୍କ ପରି ଅନ୍ଧ ଭାଷାପ୍ରୀତି ନାହିଁ । ଇଂରେଜୀଭାଷାକୁ ଭଲ ପାଉଥିଲେ ମଧ୍ୟ ଦକ୍ଷିଣ ଭାରତୀୟଙ୍କପରି ଆମ ଶିକ୍ଷିତବର୍ଗଙ୍କଠାରେ ଇଂରେଜୀଭାଷାରେ ବଳିଷ୍ଠ ଦକ୍ଷତା ନାହିଁ । ଆମେ କେବଳ ଇଂରେଜୀ, ହିନ୍ଦୀର ଗୋଡ଼ାଣିଆ ହୋଇଚାଲିଛୁ ଓ ନିଜ ବିଶାଳ ହୃୟୟବତ୍ତାର ପ୍ରମାଣ ଦେବାକୁ ଯାଇ ନିଜ ମାତୃଭାଷାକୁ ଅବହେଳା କରୁଛୁ । ବୋଧହୁଏ ସେଥିପାଇଁ ଓଡ଼ିଶା ଦରିଦ୍ରତା ଓ ବୁଭୁକ୍ଷୁ କଳହାଣ୍ଡିପାଇଁ ଚିହ୍ନିତ ହୋଇଛି ସିନା, ନିଜର ସମୃଦ୍ଧ ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସର୍ବୋକ୍ରୃଷ୍ଟ ସାମାଜିକ ଚଳଣୀ ତଥା ସଂସ୍କୃତି ନିକଟରେ ଉକ୍ରୃଷ୍ଟ ଭାଷାକୁ ନେଇ ସ୍ୱତନ୍ତ୍ର ପରିଚୟ ସ୍ଥାପିତ କରିପାରିନାହିଁ ।

ସମୟର ଆହ୍ୱାନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆମେ ଇଂରେଜୀ ଭାଷାକୁ ଛାଡ଼ିପାରିବା ନାହିଁ । ମାତ୍ର ଏକ ଆଞ୍ଚଳିକ ଭାଷା ହିନ୍ଦୀକୁ ଶିକ୍ଷା କରିବାରେ କି ଯଥାର୍ଥତା ରହିଛି । ଏପରିକି ସଂସ୍କୃତ ଭାଷା ପ୍ରତି ଅନ୍ୟ ରାଜ୍ୟଗୁଡ଼ିକର ଯେଉଁ ବ୍ୟବହାରିକ ଦୃଷ୍ଟି ରହିଛି, ସେତିକି କେବଳ ଆମଠାରେ ରହିବା ଆବଶ୍ୟକ । ପ୍ରତିବଦଳରେ ଭାରତର ସମ୍ବିଧାନ ଆମକୁ ଆମ ମାତୃଭାଷା ବିକାଶପାଇଁ ଯେଉଁ ସୁଯୋଗ ଦେଇଛି, ଏବଂ ଦେଉଛି ତାହାର ଫାଇଦା ଉଠାଇବା ଆମପାଇଁ ବୁଦ୍ଧିମତ୍ତାର କାର୍ଯ୍ୟ ହେବ । ବିଭିନ୍ନ କେନ୍ଦ୍ରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ମାତୃଭାଷା ମାଧ୍ୟମରେ ହେବା ସୁଯୋଗକୁ ପ୍ରତ୍ୟେକ ଓଡ଼ିଆ ବିଦ୍ୟାର୍ଥୀ ଗ୍ରହଣ କରିନେବା ଆବଶ୍ୟକ । ଓଡ଼ିଶା ସରକାର ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଇଂରେଜୀ ସହିତ ଓଡ଼ିଆ ଭାଷା ମାଧ୍ୟମରେ ଦେବାର ସୁଯୋଗ ପ୍ରଦାନ କରି ମାତୃଭାଷାକୁ ପ୍ରୋତ୍ସାହିତ କରିବା ସହ I.A.S ଏବଂ S.S.C. ପରୀକ୍ଷାପାଇଁ ଓଡ଼ିଶାର ମେଧାବୀଙ୍କ ପ୍ରାକ୍ ପ୍ରସ୍ତୁତିରେ ପରୋକ୍ଷ ସହାୟତା କରନ୍ତୁ।

ଶେଷରେ ଗୋଟିଏ କଥା ଚିନ୍ତା କରିବା ବେଳ ଆସିଛି ଯେ - ଓଡ଼ିଶାବାସୀ ଯେତେ ଚେଷ୍ଟା କଲେ ମଧ୍ୟ ସଂସ୍କୃତ ଭାଷାର ଭୂୟୋବିକାଶ କରିପାରିବେ ନାହିଁ । କିମ୍ବା ହିନ୍ଦୀଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦେବାରେ ସହାୟତା କରିପାରିବେ ନାହିଁ । ଏପରିକି ଭବିଷ୍ୟତରେ ଭାରତ ମାଟିରୁ ଉନ୍ମୁଳିତ ହେବାକୁ ଥିବା ଇଂରେଜୀଭାଷାକୁ ରକ୍ଷା କରିପାରିବେ ନାହିଁ । ତେଣୁ ଭାଷାର ଏଭଳି ମିଥ୍ୟା ମୋହରେ ପଡ଼ି ନିଜ ମାତୃଭାଷାକୁ ଅବହେଳା କରିବା ଫଳରେ, କାୟାବିସ୍ତାର କରୁଥିବା ସୀମାନ୍ତର ବଙ୍ଗଳା, ତେଲୁଗୁ ଓ ହିନ୍ଦୀଭାଷାଦ୍ୱାରା କବଳିତ ହୋଇ ଓଡ଼ିଆ ଭାଷା ଯେ ତା’ର ଅସ୍ତିତ୍ୱ ହରାଇବ, ଏଥିରେ ସନ୍ଦେହ ନାହିଁ ।
****