ପୃଷ୍ଠା:Jati, Jagruti o Pragati.pdf/55

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୫୬ / ଜାତି, ଜାଗୃତି ଓ ପ୍ରଗତି
ପ୍ରାର୍ଥୀ ନିସଂକୋଚ ମନରେ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବା ଆବଶ୍ୟକ । ଏଥିପାଇଁ ଉପଯୁକ୍ତ ପୁସ୍ତକ ମଧ୍ୟ ଓଡ଼ିଆ ଭାଷାରେ ରଚିତ ହୋଇଛି । କେବଳ ଦୃଢ଼ ମନୋବଳ ନେଇ ଏହି ପରୀକ୍ଷାରେ ବସିବା ଆବଶ୍ୟକ ।

ଆଇ.ଏ.ଏସ୍ ହେବାର ସରଳ ଉପାୟ : ଏହି ପରୀକ୍ଷାଦ୍ୱାରା ଦକ୍ଷ ଓ ନିପୁଣ ଅଧିକାରୀ ମନୋନୟନ କରାଯାଉଥିବାରୁ ପ୍ରତିବର୍ଷ ୟୁ.ପି.ଏସ୍‌.ସି ପରୀକ୍ଷାର ରଣନୀତି ବଦଳାଇଥାଏ । ତେଣୁ ଏହି ପରୀକ୍ଷାକୁ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ ବା କଷ୍ଟପ୍ରଦ ନ ଭାବି କୌତୁକପୂର୍ଣ୍ଣ ଭାବନା ମଧ୍ୟରେ ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ । ଯଦିଓ ଉକ୍ତ ପରୀକ୍ଷାପାଇଁ କେତୋଟି ପାଠ୍ୟକ୍ରମ ନିର୍ଦ୍ଧିଷ୍ଟ କରାଯାଇଛି, ତଥାପି ଏଗୁଡ଼ିକର ବିଷୟବସ୍ତୁ ଅନିର୍ଦ୍ଧିଷ୍ଟ ଥିବାରୁ ପ୍ରତ୍ୟେକ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବେ ପଢ଼ି ମନେ ରଖିବାର ଆବଶ୍ୟକ ରହିଛି । ଗୋଟିଏ ବିଷୟକୁ ବାରମ୍ବାର ପଢ଼ିବାପାଇଁ ସମୟ ନ ଥିବାରୁ ବିଷୟର ଅନ୍ତର୍ନିହିତ ଆବେଦନକୁ ବୁଝି ପଢ଼ିବାକୁ ପଡିବ ।

ପୁସ୍ତକ ଓ ପତ୍ରପତ୍ରିକା : ସର୍ବପ୍ରଥମେ ୧୦ମ, +୨ ଓ +୩ ବହିଗୁଡ଼ିକୁ ଭଲ ଭାବରେ ପଢ଼ିବାକୁ ପଡିବ । ଏପରିକି ପ୍ରାରମ୍ଭିକ ପରୀକ୍ଷାରେ ଭୂଗୋଳ ପ୍ରଶ୍ନ ଅଧିକ ପଚରା ଯାଉଥିବାରୁ ୬ଷ୍ଠ ଶ୍ରେଣୀଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଭାରତର ଏନ୍.ସି.ଇ.ଆର୍.ଟି ବହିରେ ଥିବା ଭାରତ ଓ ବିଶ୍ୱ ସମ୍ବନ୍ଧିତ ଭୌଗୋଳିକ ତଥ୍ୟକୁ ଭଲ ଭାବରେ ମନେ ରଖିବାକୁ ହେବ । ଏଥିସହିତ ରାଜ୍ୟ ଓ ରାଷ୍ଟ୍ରୀୟ ଦୁଇଟି ଦୈନିକ (ସମାଜ ଓ ହିନ୍ଦୁ) ଖବରକାଗଜରୁ ବିଭିନ୍ନ ଖବର ସଂଗ୍ରହ କରି ନୋଟ୍ ପ୍ରସ୍ତୁତ କରିବା, ମାସିକ ପତ୍ରିକା ସିଭିଲ ସର୍ଭିସ କ୍ରୋନିକଲ/ ପ୍ରତିଯୋଗିତା ଦର୍ପଣ ସହିତ କମ୍ପିଟେସନ୍ ଜି.କେ (ଛୋଟବହି), ଯୋଜନା, କୁରୁକ୍ଷେତ୍ର, ପତ୍ରିକା ପଢ଼ିବାକୁ ହେବ ।

ପ୍ରାରମ୍ଭିକ ଓ ମୁଖ୍ୟ ପରୀକ୍ଷା ସାଧାରଣ ଅଧ୍ୟୟନ ପତ୍ରପାଇଁ ଉପରୋକ୍ତ ପୁସ୍ତକ ପଢ଼ିବା ଜରୁରୀ ଥିବାବେଳେ, ଇଚ୍ଛାଧୀନ ବିଷୟପାଇଁ ଅନ୍ଧ ଭାବରେ ବିଭିନ୍ନ ପୁସ୍ତକ ସଂଗ୍ରହ ନ କରି ଯେଉଁମାନଙ୍କର ଏହି ପରୀକ୍ଷାରେ କିଛି ଅଭିଜ୍ଞତା ରହିଛ, ସେମାନଙ୍କ ପରାମର୍ଶ ଅନୁସାରେ କିଛି ପୁସ୍ତକ ସଂଗ୍ରହ କରି ପଢ଼ିବା ଅଭ୍ୟାସ କରିବ ।

ଦିଗ‌୍‌ଦର୍ଶକ : ପ୍ରକୃତରେ କହିବାକୁ ଗଲେ ଏହି ପରୀକ୍ଷାର ଦିଗର୍ଶକ ହେଉଛି ସ୍ୱୟଂ ପ୍ରାର୍ଥୀ । ବିଗତ ଦଶବର୍ଷର ପ୍ରଶ୍ନପତ୍ର ଅନୁଧ୍ୟାନ କରି ପ୍ରଶ୍ନ ପଚାରିବାର କୌଶଳକୁ ଯେଉଁ ପ୍ରାର୍ଥୀ ଆୟତ୍ତ କରିପାରିବ, ସେ ଏହି ପରୀକ୍ଷାରେ ସଫଳ ହେବ । ତେବେ ପ୍ରଶ୍ନର ଉତ୍ତର ଲେଖିବା ଶୈଳୀପାଇଁ ବିଷୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । ଏଥିସହିତ ପ୍ରଶ୍ନରେ ସୂଚିତ ଥିବା ସୀମିତ ଶବ୍ଦ ମଧ୍ୟରେ ଉତ୍ତର ଲେଖିବାର ଅଭ୍ୟାସ କରିବା ଆବଶ୍ୟକ ।