ପୃଷ୍ଠା:Jati, Jagruti o Pragati.pdf/6

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୃଣ କିମ୍ବା ଗଜ କନା, ଛୁଞ୍ଚି ଅବା ଡିସପୋଜେବୁଲ ସିରିଂଜ ।

ଦାଦନ ହେଲେ, ବିଦେଶ ଗଲେ, ଗାଁରେ ନାଚେ ବିଲୁଆ ଛୁଆ, ଘରକୁ ଫେରିଲେ ଏଡ୍ସ ରୋଗର ବୋଝ । ଗାଁରେ ଗାଁରେ ଅନ୍ନପୂର୍ଣ୍ଣା ଯୋଜନା, ଅନ୍ତୋଦୟ ଯୋଜନା, ନାରୀ ଓ ଶିଶୁକଲ୍ୟାଣ ସମିତି - ଗ୍ରାମ ସଡ଼କ ଯୋଜନା-ବହୁ ରଙ୍ଗବେରଙ୍ଗର ବିଜ୍ଞାପନମୁଖର ଉନ୍ନତିର ମାର୍ଗ ଫିଟିଛି ବୋଲି ଗଣମାଧ୍ୟମର ଡଗରାମାନେ ରଡ଼ି ଛାଡ଼ନ୍ତି । କିନ୍ତୁ ଦାଦନ ସଂଖ୍ୟା କମେ ନାହିଁ । ଗର୍ଭବତୀ ନାରୀ ମରେ । ଶିଶୁର ପେଟ ଚାଖଣ୍ଡେ ଫୁଲିଥାଏ । ଗାଁ ଭେଣ୍ଡିଆ ନିଶା ପାଣି ପିଇ ବଜରଙ୍ଗୀ ହୁଏ ବା ଶଙ୍ଖ ବଜାଏ ବା ହାତ କି ପଦ୍ମଫୁଲର ଜୟଜୟକାର ଧ୍ୱନୀ ଦିଏ । ଛୁରି ଚଳାଏ-ଏମିତିଆ ନିତିିଦିନିଆ ଦୃଶ୍ୟ ଖଣ୍ଡମଣ୍ଡଳ ଓଡ଼ିଶାରେ ।

ଓଡ଼ିଆ ଭାଷାର ଜାଗା ମାଡ଼ିବସିଲାଣି ହିନ୍ଦୀ ଓ ଖଣ୍ଡି ଇଂଲିଶ । ଘରେ ଘରେ ହନୁମାନ ଚାଳିଶା, ତୁଳସୀ ଦାସଙ୍କ ଦୋହା । ଭାଗବତ, ହରିବଂଶ, ନୃସିଂହ ପୁରାଣ ସାତସପନ । ଦିନେ ଏ ଗ୍ରନ୍ଥଗୁଡ଼ିକ ବୋଲା ହେଉଥିଲା, ପାରାୟଣ ହେଉଥିଲା, ସପ୍ତା ବସୁଥିଲା । ଏବେ ସେଇ ପିଣ୍ଡିରେ ହନୁମାନର ନାଚ-ଜୟ ବଜରଙ୍ଗବାଲୀ ସଙ୍କଟମୋଚନ ପାବନ । ଓଡ଼ିଆଙ୍କ ସଂସ୍କୃତି କ’ଣ ବୋଲି ପଚାରିଲେ ପୁରୀର ପଣ୍ଡାଏ କେବଳ କହିବେ, ‘ଜଗନ୍ନାଥ ସଂସ୍କୃତି’ । କିନ୍ତୁ ଚକାଡ଼ୋଳାର ଚକାଆଖିକୁ ଚକ୍ର ଉହାଡ଼ି ପଣ୍ଡାଏ ବେତ ବାଡ଼େଇବେ ମୁଣ୍ଡରେ ନିଜର ଓହଳି ପଡୁଥିବା ପେଟର ଦାନା ପାଇଁ । ଖଙ୍କଳା ପେଟର ପଇସା ଓହଳା ପେଟକୁ ଯାଏ-ରାଜନୀତିରୁ ଶାସନ କଳ ପର୍ଯ୍ୟନ୍ତ, ନେତାରୁ ଫେତା ପର୍ଯ୍ୟନ୍ତ, କିରାଣିରୁ କୁଲି ଯାଏ-ବିଧାନସଭାରୁ ସଂସଦ ଯାଏ-ପେଟ ଓହଳାଇ ସେବକ ହେବାର ନିଶା ।

ସୁବ୍ରତଙ୍କ ଏ ବହିରେ ସବୁ ସବୁ ମିଶି ଏମିତି ପଚିଶ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ରହିଛି ଓଡ଼ିଶା ବିଷୟରେ । ସେଗୁଡ଼ିକ ତଥ୍ୟପୂର୍ଣ୍ଣ, ବିଶ୍ଳେଷଣର ସାମଗ୍ରୀ । ଓଡ଼ିଆଏ ଭାଷାକୁ, ସାହିତ୍ୟକୁ, ଦାସୀ ପୋଇଲି ପରି ଆଚରଣ ଦେଖାନ୍ତି । ଅଥଚ ଏ ରାଜ୍ୟ ମହାଭାରତର ପରମ୍ପରା ଓ ସଂସ୍କୃତିକୁ ଧରି ବହୁ ପୁରୁଣା । ଖଣ୍ଡେ ରତ୍ନ ପଥର ପରି ଖତଗଦାରେ ଅଣହେଳା ହୋଇ ପଡ଼ିଛି ।

ଏଥିପାଇଁ ଦାୟୀ କିଏ ତାହା ବଡ଼ ପ୍ରଶ୍ନ ନୁହେଁ, କ’ଣ କଲେ ଆମର ହୀନମନର ଭାବ କଟିବ, ଆମର ମୁଣ୍ଡ ଟେକ ରହିବ-ସ୍ୱାଭିମାନର ଦମ୍ଭ ମିଳିବ । ସେଥିପାଇଁ ଏ ବହିରେ ଅଛି ଅନେକ ତଥ୍ୟ, ଅନେକ ଚିନ୍ତାର ବାଟ । ସଂକ୍ଷେପରେ ଜାଗରଣର ସଙ୍କେତ । ପଢ଼-ଭୀରୁ ଓଡ଼ିଆଏ ପଢ଼ିଲେ ଚେତିବେ ।

-ଡକ୍ଟର ନଟବର ଶତପଥୀ