ପୃଷ୍ଠା:Jati, Jagruti o Pragati.pdf/63

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୬୪ / ଜାତି, ଜାଗୃତି ଓ ପ୍ରଗତି
କରିଥିବା ନାରୀଙ୍କୁ ଶାସନ ଅଧିକାର ଦେଲେ ମଧ୍ୟ କେବଳ ୩୩ ପ୍ରତିଶତ ସ୍ୱାମୀ ଅନୁଗତା ରାବିଡ଼ି ଦେବୀ ସହ ଲାଲୁ ଯାଦବ ସୃଷ୍ଟି ହୋଇଛନ୍ତି ସିନା, ମାତ୍ର ଇନ୍ଦିରା କିମ୍ବା ନନ୍ଦିନୀଟିଏ ଏପର୍ଯ୍ୟନ୍ତ ସୃଷ୍ଟି ହେବାର ନମୂନାଟିଏ ଓଡ଼ିଶାବାସୀ ଦେଖିପାରିଲେ ନାହିଁ ବିଗତ ପଚିଶ ବର୍ଷ ମଧ୍ୟରେ । ବରଂ ନାରୀ ଅଧିକାର ନାମରେ ଏମାନଙ୍କୁ ରାଜନୀତିକୁ ଟାଣିଆଣିବାଦ୍ୱାରା ଅନେକ ନିର୍ବାଚିତ ନାରୀ ପ୍ରତିନିଧି ଅସହାୟରେ ହେଉ ବା କ୍ଷମତା ଅର୍ଥ ବା ପ୍ରଭୁତ୍ୱର ଲାଳସାରେ ହେଉ; ଉପରିସ୍ଥ ରାଜନେତା, ଅଫିସର ତଥା ଗାଁ’ ଟାଉଟରଙ୍କ କାମଲାଳସାର ସାମଗ୍ରୀ ପାଲଟି ଯାଇଛନ୍ତି ।

ଏହା ତ ଗଲା ଗ୍ରାମ ରାଜନୀତି ବିକେନ୍ଦ୍ରୀକରଣର ଭିତିରି ରୂପ । ବାହ୍ୟ ରୂପକୁ ବିଶ୍ଳେଷଣ କଲେ ଜଣାଯିବ ଯେ, ସ୍ୱାଧୀନତା ପରେ ଗ୍ରାମ ସ୍ୱରାଜ ନାରାର ସଫଳ ରୂପାୟନପାଇଁ ଗାଁ’ରୁ ହିଁ ଶାସନର ଶୁଭାରମ୍ଭ ଦିଆଯାଇ ଗ୍ରାମର ବିକାଶ ହିଁ ରାଷ୍ଟ୍ରର ବିକାଶ ବୋଲି ପ୍ରତ୍ୟେକ ରାଜନେତାର କର୍ତ୍ତବ୍ୟ ବୋଲି ଯେଉଁ ଘୋଷଣା କରାଯାଇଥିଲା, ତାହା କେବଳ ବାକ୍‌ପଟୁତା ଭିତରେ ହିଁ ସୀମିତ ହୋଇ ରହିଗଲା । କାରଣ ରାଷ୍ଟ୍ର ପୁନଃନିର୍ମାଣ କ୍ଷେତ୍ରରେ ବଡ଼ ବଡ଼ କଳକାରଖାନା, ରାସ୍ତା, ନ‌ଦୀପୋଲ କିମ୍ବା ସରକାରୀ ଗୃହ ନିର୍ମାଣରେ ହେଉଥିବା ଦୁର୍ନୀତି ଗ୍ରାମାଞ୍ଚଳକୁ ଏଭଳି ସଂକ୍ରମିତ କଲା ଯେ, ଛୋଟ ଛୋଟ ଗ୍ରାମରାସ୍ତା ସଂଯୋଗୀକରଣରେ ପଡ଼ୁଥିବା ମାଟିରେ ମଧ୍ୟ ଦୁର୍ନୀତି ରହିଲା । ଏପରିକି କାମ ନ କରି ମଧ୍ୟ ବିଲ୍ ପାଶ୍ ହେବାର କୌଶଳ ଆଉ ସହରର ବଡ଼ ବଡ଼ କଣ୍ଟ୍ରାକ୍ଟରଙ୍କ ଏକଚାଟିଆ ହୋଇ ରହିଲା ନାହିଁ । ବରଂ ଏହାଠାରୁ ପାଦେ ଆଗେଇ ଗଲେ ଲାଇସେନ୍ସ କରି ନ ଥିବା ଗାଁ’ର ଛୋଟ ଛୋଟ କଣ୍ଟ୍ରାକ୍ଟରଙ୍କମାନେ । ପୋଖରୀ ନ ଖୋଳି ବିଲ୍, ନଳକୂପ ନ ବସାଇ ବିଲ୍, ମାଟି ନ ପକାଇ ବିଲ୍, ମୋରମ୍, ପଥର ନ ବିଛାଇ ବିଲ୍, କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀକେନ୍ଦ୍ର ନାମରେ ନିଜଘର କରି ବିଲ୍ - ଏମିତି କେତେ କ’ଣ ଅଭିଯୋଗ ଆମେ ପାଇପାରିବା ଓଡ଼ିଶାର ଯେକୌଣସି ଗ୍ରାମର ନିରୀହ ଅଥଚ ଅଳସୁଆ ଅଧିବାସୀଙ୍କଠାରୁ । ଖାଲି ସରପଞ୍ଚ, ଦୁର୍ନୀତିର ପରାମର୍ଶଦାତା ପଞ୍ଚାୟତ ସଂପାଦକ, ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା ବି.ଡ଼ି.ଓ.ଙ୍କ ପତ୍ନୀଙ୍କୁ ଖୁସି କରି ପାରିଲେ ହେଲା । ଏଇଟା ଅବଶ୍ୟ ଇଂରେଜମାନଙ୍କଠାରୁ ଆସିଛି, ସହରୀ ସଭ୍ୟତା ମଧ୍ୟଦେଇ ଗ୍ରାମ ପରିବେଶ ଭିତରକୁ । ଏଥିପାଇଁ ବିରୋଧ କଲେ ବିରୋଧୀ ବ୍ୟକ୍ତି ଅପଦସ୍ଥ ହେବା ସହ ଜୀବନ ପ୍ରତି ବିପଦ ଥିବାର ବହୁ ସଂକେତ ଆମେ ଦେଖିବାକୁ ପାଇବା । ଏଭଳି ଏକ ଘଟଣା ମଧ୍ୟ ମୋ ନିଜ ଅନୁଭୂତି ମଧ୍ୟରେ ସଂଜୀବିତ । ଯାଜପୁର ବ୍ଲକ୍ ଅଧୀନରେ ଥିବା ଆମ ଗ୍ରାମକୁ ଆସିଥିବା ଏକ ପୋଖରୀ ଖନନ ତଥା ଗ୍ରାମ ରାସ୍ତାରେ ନାଲିଗୋଡ଼ି ବିଛାଇବାର କାର୍ଯ୍ୟ ଉପରୋକ୍ତ ସୂତ୍ରରେ ହେଉଥିବା ଜାଣି ସଦ୍ୟ ବଦଳି ହୋଇ ଆସିଥିବା ତଥା ଗ୍ରାମ ରାଜନୀତି ସଂପର୍କରେ