ପୃଷ୍ଠା:Jati, Jagruti o Pragati.pdf/79

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୮୦ / ଜାତି, ଜାଗୃତି ଓ ପ୍ରଗତି
କରିବା ଆବଶ୍ୟକ । ଫଳରେ ଓଡ଼ିଆ ଭାଷା ସର୍ବଭାରତୀୟ ପରୀକ୍ଷାରେ ଅନ୍ୟ ଭାଷା ସହ ସମକକ୍ଷ ହୋଇ ଓଡ଼ିଶାର ଯୋଗ୍ୟ ଶିକ୍ଷିତବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସକ୍ଷମ ହେବ । ଏଥିସହିତ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ପ୍ରତ୍ୟେକ ବିଦ୍ୟାର୍ଥୀ ଉଚ୍ଚଶିକ୍ଷିତ ସାଧାରଣ ଜନତାଙ୍କ ଶ୍ରଦ୍ଧା ଜାଗ୍ରତ ହେବା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିପାଇଁ ଇଂରେଜୀ ଭାଷାରେ ଥିବା ଉତ୍କୃଷ୍ଟ ପୁସ୍ତକ ଓଡ଼ିଆ ଭାଷାରେ ଅନୁବାଦିତ ହୋଇ ମୁଦ୍ରିତ ହେବା କାର୍ଯ୍ୟ ଆରମ୍ଭ ହେବ । ଯଦ୍ୱାରା ଓଡ଼ିଆ ଭାଷାରେ ଥିବା ଭଲ ପୁସ୍ତକର ଅଭାବ ପୂରଣ ହୋଇ ଆମର ସଙ୍କୁଚିତ ଜ୍ଞାନ ପ୍ରସାରିତ ହେବାରେ ସାହାଯ୍ୟ କରିବ ।

ଏଠାରେ ଗୋଟିଏ କଥା ସ୍ମରଣୀୟ ଯେ, ଆମ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ଆମେ ଚିନ୍ତା କରିବା, କାର୍ଯ୍ୟ କରିବା । ଏଥିପାଇଁ ଆଉ କେହି ଆଗେଇ ଆସିବେ ନାହିଁ । ହୀନମନ୍ୟତା ଆମ ମେରୁଦଣ୍ଡ ଭାଙ୍ଗି ଦେଇଥିବାରୁ ଆଜି ଆମେ ବିଶ୍ୱ ଦୃଷ୍ଟିରେ ଦରିଦ୍ର, ନିର୍ବଳ, ଅନ୍ୟର ଦୟାର ପାତ୍ର । କର ରୂପରେ ସର୍ବାଧିକ ଅର୍ଥ କେନ୍ଦ୍ରକୁ ଦେଉଥିଲେ ମଧ୍ୟ ବନ୍ୟା, ବାତ୍ୟାରେ ଆମକୁ ଛିଣ୍ଡା କପଡ଼ା, ପୁରୁଣା ପଲିଥିନ, ଗମରା ଗହମ, ଗୋଡ଼ିମିଶା ଚାଉଳ ବ୍ୟତୀତ ଆଉ କିଛି ମିଳେନାହିଁ । ଆମ ରାଜ୍ୟରେ ନୂତନ କେନ୍ଦ୍ରୀୟ ସଂସ୍ଥା ନିର୍ମାଣ ହେବା ବଳରେ ପୂର୍ବରୁ ସ୍ଥାପିତ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଅନ୍ୟ ରାଜ୍ୟକୁ ଉଠାଇ ନେବାପାଇଁ କେନ୍ଦ୍ରର ଘୋଷଣା ମହାଭାରତୀୟ କ୍ଷେତ୍ରରେ ଆମର ବାସ୍ତବ ସ୍ଥିତିକୁ ସୂଚିତ କରିସାରିଲାଣି ।

ତେଣୁ ଆମ ସ୍ଥିତିକୁ ସୁଦୃଢ଼ କରିବାର ଏକମାତ୍ର ମାଧ୍ୟମ ହେଉଛି ଓଡ଼ିଆ ଜାତୀୟତା ଭାବର ସୃଷ୍ଟି କରିବା । ଯାହାର ପ୍ରାରମ୍ଭିକ ପ୍ରୟାସ ହେଉଛି ଓଡ଼ିଆ ଭାଷାର ବିକାଶ ଘଟାଇବା । ଆମ ମୁଖର ଭାଷା ହିଁ ଅନ୍ତ ଭିତରେ ଲୁଚି ରହିଥିବା ଅସନ୍ତୋଷକୁ ଫୁଟାଇବାରେ ମୁଖ୍ୟ ଭୂମିକା ନେବ । ଏହି ଭାଷା କେବଳ ଓଡ଼ିଆର ଗରିବୀକୁ ଦୂର କରିବ ନାହିଁ, ବରଂ ଦୁର୍ବଳତାକୁ ଲୋପ କରି ବିଶ୍ୱସ୍ତରରେ ଥିବା ପ୍ରାଚୀନ ପରିଚୟକୁ ପୁନଃସ୍ଥାପିତ କରିପାରିବ । ତାମିଲ ଭାଷା ଆଜି କ୍ଲାସିକ ଭାଷାର ମାନ୍ୟତା ପାଇ ଏହାର ବିକାଶ ନିମନ୍ତେ ପ୍ରତିବର୍ଷ ୨କୋଟିରୁ ଊଦ୍ଧ୍ୱ ଟଙ୍କା କେନ୍ଦ୍ରରୁ ଅନୁଦାନ ପାଉଥିବା ବେଳେ ଏବେ ତେଲୁଗୁ ଓ କନ୍ନଡ଼ ଭାଷାକୁ ସମମର୍ଯ୍ୟାଦା ଦିଆଯାଇ ଏହି ଭାଷାର ଉତ୍ତରୋତ୍ତର ଉନ୍ନତି କରାଯାଉଛି । ଉକ୍ତ ତିନୋଟି ଭାଷାର ସମକାଳୀନ ଓଡ଼ଆ ଭାଷା କାହିଁକି ଏ ଅଧିକାରରୁ ବଞ୍ଚିତ ହେବ? ଏ ପ୍ରଶ୍ନ ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆ ପଚାରିବାର ସମୟ ଉପସ୍ଥିତ । ଦଳମତ ନିର୍ବିଶେଷରେ ଓଡ଼ିଶାର ପ୍ରଗତିପାଇଁ ଏହାର ଭାଷା ବିକାଶ ଦିଗରେ ଆପ୍ରାଣ ଉଦ୍ୟମ କରିବା ଆବଶ୍ୟକ । ଓଡ଼ିଆ ଭାଷା ସୁରକ୍ଷା ଦାୟିତ୍ୱ ସରକାରଙ୍କର ବୋଲି କହି ନିଜକୁ ନିଜ କର୍ତ୍ତବ୍ୟରୁ ଦୂରେଇ