ପୃଷ୍ଠା:Jati, Jagruti o Pragati.pdf/80

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୮୧
ରଖିବା ଭାବନା ହିଁ ଆଜିର ଏହି ସଙ୍କଟ ସୃଷ୍ଟି କରିଛି । ତେଣୁ ନିଜ ଦାୟିତ୍ୱ ପ୍ରତି ସଚେତନ ହେବା ସହ ସାମୂହିକ ଭାବରେ ଭାଷାର ବିକାଶପାଇଁ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରଥମ ଓ ପ୍ରଧାନ କାର୍ଯ୍ୟ ହେବା ଆବଶ୍ୟକ ।

ଆମ ରାଜ୍ୟରେ ଏଭଳି ଗୋଟିଏ ପରିବାର ନାହିଁ, ଯେଉଁଠି ଶିକ୍ଷିତ ବେକାର ଯୁବକ ନ ଥିବ ତଥା ସେହି ଯୁବକଠାରେ କାର୍ଯ୍ୟ କରିବାର ଦକ୍ଷତା ନ ଥିବ । ମାତ୍ର ନିଜ ଦକ୍ଷତାର ପ୍ରତିପାନପାଇଁ କୌଣସି ସୁଯୋଗ ନ ଥିବାରୁ ତଥା ଉକ୍ରୃଷ୍ଟ ଇଂରେଜୀ ଭାଷା ଶିଖିବାର ଆବଶ୍ୟକତା ଥିବାରୁ ଏଥିରେ ବିଫଳ ହେବାଦ୍ୱାରା ଓଡ଼ିଶାର ଅର୍ଥନୀତି ନିମ୍ନଗାମୀ ହେବା ସହ ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ତେଣୁ ପ୍ରତ୍ୟେକ ଓଡ଼ିଆ ପରିବାରର ମଧ୍ୟ ଦାୟିତ୍ୱ ରହିଛି ଯେ, ଏହି ସୁଦକ୍ଷ, ସୁଶିକ୍ଷିତ ବେକାର ଯୁବକ ଗୋଷ୍ଠୀଙ୍କୁ ନୈତିକ ସମର୍ଥନ ଯୋଗାଇ ଦେବା । ସରକାର, ବୁଦ୍ଧିଜୀବୀଗଣ ମଧ୍ୟ ଅନ୍ୟ ପ୍ରଦେଶର ସ୍ଥିତିକୁ ଆକଳନ କରି ଏ ଦିଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ । ମାତୃଭାଷାରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାପାଇଁ ନିଜ ସନ୍ତାନ ତଥା ଅନ୍ୟ ଶିକ୍ଷିତଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ମାତୃଭାଷାରେ ରାଜ୍ୟସ୍ତରୀୟ ନିଯୁକ୍ତି ପରୀକ୍ଷା ସୁଯୋଗ ଦେବାଦ୍ୱାରା ଓଡ଼ିଶାରେ ମେଧା ମାରଣ ନୁହଁ, ବରଂ ମେଧା ଅନ୍ୱେଷଣ ପ୍ରବୃତ୍ତିକୁ ଉତ୍ସାହିତ କରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୂଚନା ଅଧିକାରଦ୍ୱାରା ଯେଉଁ କାର୍ଯ୍ୟ ସାଧନ ନ ହୋଇପାରୁଛି, ସେହିକାର୍ଯ୍ୟ ମାତୃଭାଷା ମାଧ୍ୟମରେ ନିଯୁକ୍ତ ଅଧିକାରୀଙ୍କଦ୍ୱାରା ସାଧିତ ହୋଇ ସ୍ୱଚ୍ଛ ପ୍ରଶାସନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇପାରିବ । ସେଥିପାଇଁ ପ୍ରତ୍ୟେକ ଉନ୍ନତ ରାଷ୍ଟ୍ର ନିଜ ମାତୃଭାଷାକୁ ଗୁରୁତ୍ୱ ଦେଇଥା’ନ୍ତି । ଅନୁକରଣ ପ୍ରିୟ ଓଡ଼ିଆ ଜାତି ଅନ୍ତତଃ ଏତକ ଅନୁକରଣ କରି ନିଜ ଅଞ୍ଚଳର ବିକାଶରେ ଅଗ୍ରଣୀ ଭୂମିକା ନେବାର ସମୟ ଆସି ପହଞ୍ଚିଛି ।


***