ପୃଷ୍ଠା:Jati, Jagruti o Pragati.pdf/84

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୮୫

ଭାଷା ପ୍ରତିଷ୍ଠାନର ଗତି କୁଆଡ଼େ?

ନିକଟରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ର ଏକ କର୍ମଶାଳାକୁ ଉଦ୍‌ଘାଟନ କରି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଓଡ଼ିଆ ଭାଷାକୁ କମ୍ପ୍ୟୁଟରୀକରଣ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବୋଧହୁଏ ସେ ଜାଣି ନ ଥିଲେ ଯେ, ଏହି କାର୍ଯ୍ୟପାଇଁ ପ୍ରାୟ ୬ବର୍ଷ ତଳୁ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକୁ ପ୍ରଚୁର ଅର୍ଥ ଦେଇଥିଲେ । ଓଡ଼ିଶା ଭାଗରେ ପଡିଥିବା ଅର୍ଥକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍.ସି.ଏ ବିଭାଗ ମୁଖ୍ୟ ଓ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ମିଳିତ ଭାବେ ଲୁଟ୍ କରିସାରିଥିବାରୁ, ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାକୁ ଯେପରି ଇଣ୍ଟରନେଟ୍, ଗୁଗୁଲ ଓ ୟାହୁ ସର୍ଚ୍ଚ ମାଧ୍ୟମରେ ବ୍ୟବହାର କରାଯାଇପାରୁଛି, ଆମେ ସେପରି ବ୍ୟବହାର କରିପାରୁନୁ । ‘ମାରି ନେଲେ ମହାପାତ୍ରେ ଆମେ ଚାହିଁଛୁରେ ଜଳକା’ ପରି ଆମେ କେବଳ ନୀରବରେ ବସି ରହିଛେ । ଏ ସୁବିଧା ଆମ ଓଡ଼ିଆଙ୍କୁ କେବେ ଯେ ମିଳିବ, ତାହାର ମଧ୍ୟ ଠିକଣା ନାହିଁ ।

ଠିକ୍ ସେହିପରି ଆଉ ଏକ ଲଜ୍ଜାକର ଘଟଣା ନିକଟରେ ଚର୍ଚ୍ଚା ପରିସରକୁ ଆସିଛି । ଭାଷାକୁ ନେଇ ଭାରତ ଭୂଇଁରେ ସର୍ବ ପ୍ରଥମେ ସ୍ୱତନ୍ତ୍ର ରାଜ୍ୟ ଗଠନ କରି, ନିଜର ସ୍ୱତନ୍ତ୍ରତା ପ୍ରତିଷ୍ଠା କରିଥିବା ଓଡ଼ିଆ ଭାଷା, ମାତ୍ର ୭୦ବର୍ଷ ମଧ୍ୟରେ ନିଜ ମାଟିରୁ ସତ୍ତା ହରାଇ ବସୁଥିବାରୁ ଅନ୍ୟାନ୍ୟ ଭାରତୀୟ ଭାଷା ସମକକ୍ଷ କରିବା ଉଦ୍ଦେଶ୍ୟରେ ଏହାର ବିକାଶପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ବିଭାଗକୁ । ମାତ୍ର ବିଭାଗର କେତେକ ଗୋତ୍ରମାରୁ ଓଡ଼ିଆ ବିରୋଧୀ ଅଧିକାରୀଙ୍କ ଚକ୍ରାନ୍ତ ଏବଂ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ, କେତେକ ସଦସ୍ୟ, ଅସାଧୁ କର୍ମଚାରୀଙ୍କ ଅର୍ଥଲୋଭ ଯୋଗୁଁ ଏହି ସଂସ୍ଥା ଓଡ଼ିଆ ଭାଷା ବିକାଶ କରିବା ବଳରେ ବିନାଶ ଦିଗକୁ ଦୃତ ଭାବେ ଆଗେଇ ନେଇଚାଲିଛି ।