ପୃଷ୍ଠା:Jati, Jagruti o Pragati.pdf/86

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୮୭
ଦେଖାଇ, ବିଧାନସଭାର ଦୁଇଜଣ ଛାମୁଆ ନେତା ଗୁରୁଦକ୍ଷିଣା ଦେବାକୁ ଯାଇ ଭାଷା ସହିତ ସଂପର୍କ ନ ଥିବା ତଥା ଭାଷା ସୁରକ୍ଷାପାଇଁ କେବେ ଚିନ୍ତା ମଧ୍ୟ କରି ନ ଥିବା ଜଣେ ରିଡରକୁ ନିର୍ଦ୍ଦେଶକ ପଦ ଭେଟି ଦେଲେ । ତେଣୁ ଯୋଗ୍ୟତା ନ ଥାଇ ପଛ ଦର୍ଜାରେ ଆସିଥିବା ବ୍ୟକ୍ତି ମୁହଁ ଖୋଲି କିଛି କହିବାର ସମ୍ଭାବନା ନ ଥିବାରୁ, କାର୍ଯ୍ୟକାରୀ ପରିଷଦର ୬୭ ଜଣ ସଦସ୍ୟଙ୍କ ମଧ୍ୟରେ ୫୦ରୁ ଅଧିକ ପ୍ରଶାସନିକ ଅଫିସର ଓ କିଛି ଯୋଗାଡ଼ିଆ ଅଧ୍ୟାପକ ନିଜ ନିଜ ମଧ୍ୟରେ ଅନୁଷ୍ଠାନ କାର୍ଯ୍ୟ ବାଣ୍ଟି ନେଇ ସରକାର ଧନକୁ ଆତ୍ମସାତ କରିବାର ରାସ୍ତା ଫିଟାଇ ଦେଲେ । ନିର୍ଦ୍ଦେଶକଙ୍କ ଅବସର ପରେ ଏହି ପଦବୀରେ ପୁନଃ ସ୍ଥାପିତ କରିବାପାଇଁ ଚେଲାଦ୍ୱୟ ଆଗଭର ହୋଇ ସରକାରଙ୍କଦ୍ୱାରା ଯେଉଁ ନିଯୁକ୍ତି ବିଜ୍ଞାପନ ସେପ୍ଟେମ୍ବର ୨୦୦୭ରେ ପ୍ରକାଶ କରାଇଥିଲେ, ସେଥିରେ ପ୍ରାର୍ଥୀର ବୟସ ୬୧ ବର୍ଷ ସୂଚୀତ ହୋଇଥିଲା । ଅର୍ଥାତ୍ ଉକ୍ତ ବ୍ୟକ୍ତିଙ୍କୁ ଆହୁରି ୩ବର୍ଷ ରଖିବାପାଇଁ ସ୍ଥିର ନିଷ୍ପତ୍ତି ହୋଇସାରିଥିଲା । ତେବେ ଅସମୟରେ ଭୂକମ୍ପ ଆସି ସବୁଠାରୁ କରିତ୍‌କର୍ମା ଚେଲାର ମୁଣ୍ଡ ନେଇଯିବାରୁ ଭକ୍ତଙ୍କ ଗୁରୁଙ୍କୁ ସ୍ଥାୟୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇ ପାରିଲାନାହିଁ ।

ଏହି ବିଜ୍ଞାପନ ଆଧାରରେ ବହୁ ଆବେଦନକାରୀଙ୍କ ମଧ୍ୟରୁ ଆବଶ୍ୟକ ଯୋଗ୍ୟତା ମାତ୍ର ୩ଜଣ ବ୍ୟକ୍ତିଙ୍କର ଥିବାବେଳେ, ହଠାତ୍ ଭିତିରିଆ ଖବର ପ୍ରକାଶ ପାଇଲା ଯେ ଏମାନଙ୍କ ମଧ୍ୟରୁ ଯାହାର ପ୍ରଶାସନିକ ଅଭିଜ୍ଞତା ଥିବ, ତାଙ୍କୁ ଏହି ପଦବୀ ଦିଆଯିବ । ଏଥିପାଇଁ ମଧ୍ୟ ଉପକୂଳ ବନ୍ଦର ଅଞ୍ଚଳରୁ ଜଣେ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବାପାଇଁ ଆଉ ଜଣେ ଚେଲା ଆଗେଇ ଆସିଲେ । ତେବେ “ପୁଅପାଇଁ ପ୍ରାଣଗଲା” ନ୍ୟାୟରେ ଏହାଙ୍କ ମୁଣ୍ଡ ଗଡ଼ିବାରୁ ପୁଣି ନିର୍ଦ୍ଦେଶକ ପଦବୀ ପୂରଣ ହୋଇ ପାରିଲାନାହିଁ । ତେଣୁ ଗୋଳିଆ ପାଣିରୁ ଫାଇଦା ଉଠାଇବାପାଇଁ ଲାଗି ପଡ଼ିଲେ ଅନୁଷ୍ଠାନର ବୃହତ କାର୍ଯ୍ୟକାରିଣୀ ପରିଷଦ ଓ ଏମାନଙ୍କ ସାହାଯ୍ୟକାରୀ କିରାଣୀଗଣ । ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟ ସହ ସଂପୃକ୍ତ ନ ଥିବା ତଥା ଅନ୍ୟ ଦୁଇଟି ବୃହତ ପଦବୀରେ ଅଧିଷ୍ଠିତ ଥିବା ଶିକ୍ଷାବିଭାଗର ପ୍ରଫେସର ସେବକ ତ୍ରିପାଠୀଙ୍କୁ ଅସ୍ଥାୟୀ ଭାବେ ଏହି ପଦବୀ ଦିଆଗଲା । ୩ଟି ନାଆରେ ଗୋଡ଼ ଦେଇଥିବା ବ୍ୟକ୍ତି ଅନ୍ତିମ ନାଆକୁ ଅଣଦେଖା କଲାପରି ଓଡ଼ିଆ ଭାଷା ଓ ସାହିତ୍ୟ ଦୃଷ୍ଟିରୁ ଅନଭିଜ୍ଞ ଡଃ ତ୍ରିପାଠୀ କେବଳ ମିଟିଂ ଇଟିଂ ଓ ଦସ୍ତଖତଦ୍ୱାରା ଏହି ସଂସ୍ଥାକୁ ଆଗକୁ ନେଇଚାଲିଲେ । ମାତ୍ର “ମାଣ ପୁରି ସାରିବା ପରେ ଧାନ ତଳେ ପଡିବା” ପରି ଯେତେବେଳେ ଦୁର୍ନୀତିର ସୀମା ଅତିକ୍ରମ କଲା, ତାହା ଦାଣ୍ଡରେ ପଡି ହାଟରେ ଗଡ଼ିଲା । ଫଳରେ କିଛି ଦୁର୍ନୀତିଆଙ୍କ ମୁଖା ଖୋଲିଗଲା । ଆଉ କେତେ ରହିଛନ୍ତି, ଅଧିକ ଅନୁସନ୍ଧାନ ପରେ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସବୁକଥା ବାହାରି ପଡିବ ।