ପୃଷ୍ଠା:Jati, Jagruti o Pragati.pdf/90

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୯୧
ଧନୀ ଓ ପ୍ରଭାବଶାଳୀ ସରକାରୀ କ୍ଷମତାସୀନ ବ୍ୟକ୍ତିଙ୍କ ଅବାନ୍ତର ଲେଖାକୁ ପୁସ୍ତକ ରୂପ ଦେଇ ବଡ଼ ବାଳିଆ ମାରିବା ଆଶାରେ ଅପେକ୍ଷା କରି ରହିଥାନ୍ତି । ଯେମିତି ବସି ରହିଛି ‘ଫ୍ରେଣ୍ଡସ୍’ । ଏହି ତାଲିକାରେ ସର୍ବାଧିକ ୨୩ଟି ପୁସ୍ତକ ଓ ଏହାଦ୍ୱାରା ସୃଷ୍ଟ ଛଦ୍ମ ସଂସ୍ଥା ଯଥା, ‘ବିଦ୍ୟା ପ୍ରକାଶନ’ରୁ ୧୧ ଖଣ୍ଡ, ‘ସୁଧା ପ୍ରକାଶନ’ରୁ ୧୦ ଖଣ୍ଡ, ‘ସାହିତ୍ୟ ସଂଗ୍ରହ’ରୁ ୪ ଖଣ୍ଡ, ‘ମିଡିଆ’ରୁ ୪ ଖଣ୍ଡ-ଏମିତି ଜାଣନ୍ତରେ ୫୨ଖଣ୍ଡ ପୁସ୍ତକ ଗୋଟିଏ ସଂସ୍ଥାରୁ ମନୋନୀତ ହୋଇଥିବା ବେଳେ ଅନ୍ୟ ସଂସ୍ଥାମାନଙ୍କରୁ ୨/୪ ଖଣ୍ଡ ଲେଖାଏଁ ମନୋନୀତ ହୋଇଛି । ସବୁଠାରୁ ମଜାର କଥା ହେଲା ଯେ, ଫ୍ରେଣ୍ଡସଦ୍ୱାରା ପିଲାଙ୍କପାଇଁ ମୁଦ୍ରିତ ଗୋଟିଏ ହେଲେ ପୁସ୍ତକ ମନୋନୀତ ହୋଇ ନ ଥିବା ବେଳେ, ସେହି ସଂସ୍ଥାଠାରୁ ପିଲାମାନଙ୍କର ଜ୍ଞାନ ଓ ଦକ୍ଷତା ବୃଦ୍ଧିପାଇଁ ଅନ୍ୟ ଧରଣର ଅବୋଧ୍ୟ ପୁସ୍ତକ ମନୋନୀତ କରାଯାଉଛି ।

ସରକାର କ’ଣ ସ୍ଥାଣୁ?

ଏ ଭିତରେ କଥାଟା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାନକୁ ଯାଇ ସାରିଲାଣି । ବୋଧହୁଏ ନବୀନ ରାଜନୀତିରେ ଯେମିତି ଦୋଷୀ ପ୍ରତି କଠୋର ଦଣ୍ଡ ଦେଉଛନ୍ତି, ଏଥିରେ ମଧ୍ୟ ସେହିପରି କିଛି କରିବେ ବୋଲି ଓଡ଼ିଶାବାସୀ ତାଙ୍କଠାରୁ ଆଶା କରିଛନ୍ତି । ତାଙ୍କର ସ୍ୱଚ୍ଛ ଶାସନର ଦୃଷ୍ଟାନ୍ତ ସ୍ୱରୂପ, ଭାଷା ପ୍ରତିଷ୍ଠାନରେ ସ୍ୱଚ୍ଛତା ଆଣି, ଓଡ଼ିଆ ଭାଷା ବିଶେଷଜ୍ଞ ସୁଦକ୍ଷ ବ୍ୟକ୍ତିଙ୍କୁ ନିର୍ଦ୍ଦେଶକ ପଦବୀରେ ସ୍ଥାୟୀ ଭାବେ ନିଯୁକ୍ତି କରିବା ଏକ ପ୍ରାଥମିକ କାର୍ଯ୍ୟ ହେବ । ଭାଷା ଓ ସାହିତ୍ୟ ପ୍ରତି ଆନ୍ତରିକତା ନ ଥିବା ବିଶାଳ କାର୍ଯ୍ୟକାରୀ ସମିତିକୁ ଭାଙ୍ଗି ଓଡ଼ିଶାର ବିଦ୍ୱାନ ଅଧ୍ୟାପକ, ବୁଦ୍ଧିଜୀବୀ ଓ ଲେଖକଗଣଙ୍କୁ ନେଇ ନୂଆ ପରିଷଦ ଗଠନ କରିବା ସହିତ, ଭାଷା ପ୍ରତିଷ୍ଠାନର ମୌଳିକ ଲକ୍ଷ୍ୟକୁ କାର୍ଯ୍ୟକାରୀ କରାଇବାକୁ ସୁଯୋଗ ଦେବା ଏବଂ ବ୍ୟାସକବି ଫକୀରମୋହନଙ୍କ କଟକର ବାଖରାବାସ୍ଥିତ ବାସଭବନକୁ ଅବାଞ୍ଛିତ ଭାବେ ମାଡ଼ି ବସିଥିବା ତଥା ବହି ଦୋକାନରେ ବହି ନ ପହଞ୍ଚାଇ ବିଭିନ୍ନ ଫନ୍ଦି ଫିକର କରି ବହି ବିକ୍ରି କରୁଥିବା କେତେକ ଜାତିଦ୍ରୋହୀ ପ୍ରକାଶନ ସଂସ୍ଥା ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କେବଳ ଯେ ଓଡ଼ିଆ ଭାଷା ତା’ର ପୂର୍ବଗୌରବ ଫେରି ପାଇବ, ତା’ ନୁହେଁ, ବରଂ ବହୁଦିନ ପରେ ଓଡ଼ିଆ ଜାତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ଉକ୍ରଳ ଗୌରବ ମଧୁସୂଦନ ଭାବରେ ପାଇଲା ପରି ଅନୁଭବ କରିବ ।

***</ceneter>