ପୃଷ୍ଠା:Jati, Jagruti o Pragati.pdf/91

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୯୨ / ଜାତି, ଜାଗୃତି ଓ ପ୍ରଗତି



ଆଉ କେତେଦିନ ଭୋକିଲା ରହିବା

ସମଗ୍ର ବିଶ୍ୱରେ ଓଡ଼ିଶା ଆଜି ଦୁଇଟି ଘଟଣାକୁ ନେଇ ଚର୍ଚ୍ଚିତ । ଗୋଟିଏ ଭୋକ, ଅନ୍ୟଟି ଦଙ୍ଗା । ଭୋକ ଏ ମାଟିକୁ ଆସିଛି ଦେଢ଼ଶହ ବର୍ଷ ତଳୁ, ୧୮୬୬ ନଅଙ୍କ ଦୂର୍ଭିକ୍ଷଦ୍ୱାରା । ଆଉ ଦଙ୍ଗା ଆସିଛି ମାତ୍ର ପଚିଶ ବର୍ଷ ତଳୁ, ସ୍ୱାର୍ଥପର ବ୍ୟବସାୟୀ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କ୍ୱାରା । ତେବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଓ ଭାରତ ସ୍ୱାଧୀନତାପ୍ରାପ୍ତି ପରେ ଏହି ଭୋକର ସୀମା ସଂକୁଚିତ ହୋଇ ବର୍ତ୍ତର୍ମାନ ଘନ ଜଙ୍ଗଲ ଘେରା ଅବିଭକ୍ତ କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି ବା କେବିକେ ଜିଲ୍ଲା ମଧ୍ୟରେ ସୀମିତ ହୋଇଥିବା ବେଳେ, ଦୂର୍ଭାଗ୍ୟବଶତଃ ଦଙ୍ଗା ଘଟଣା ମଧ୍ୟ ସେହି ଅଞ୍ଚଳରୁ ସୃଷ୍ଟି ହୋଇଛି । ଆଉ ଏହି ଦଙ୍ଗା ମଧ୍ୟ ଭୋକକୁ ନେଇ । ଅର୍ଥାତ୍ ‘ବୁଭୁକ୍ଷୁଂ କିମ୍ ନ କରୋତି ପାପଂ’-ନ୍ୟାୟରେ ଏହି ତିନୋଟି ଜିଲ୍ଲାର ସରଳ, ନିରୀହ ଅଥଚ ଏକବାଗିଆ ଅଧିବାସୀଗଣଙ୍କୁ ଶାଗୁଣା ପରି ଝୁଣି ଖାଇବାରେ ବ୍ୟସ୍ତ ଥିବା ତେଲୁଗୁ କୁମୁଟି, ମାରୱାଡି ଓ ଉପକୂଳ ଓଡ଼ିଶାରୁ ଯାଇଥିବା କେତେକ ଗୋତ୍ରମାରୁ ଓଡ଼ିଆଙ୍କ କୁଚକ୍ରାନ୍ତ ଯୋଗୁଁ ନିଜର ତଥା ନିଜ ପରିବାରର ପେଟଜ୍ୱାଳାକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କ କଥାରେ ପରିଚାଳିତ ହୋଇ ଏମାନେ ନିଜନିଜ ଭିତରେ ହଣାକଟା ହେଉଛନ୍ତି । ଯାହାକୁ ସାଧାରଣ ଲୋକଙ୍କ ଦୃଷ୍ଟିରେ କନ୍ଧ-ପାଣ ଲଢ଼େଇ, ଧାର୍ମିକ ଠିକାଦାରଙ୍କ ଦୃଷ୍ଟିରେ ହିନ୍ଦୁ-ଖ୍ରୀଷ୍ଟିୟାନ ଦଙ୍ଗା, ସୁଯୋଗ ଉଣ୍ଡୁଥିବା ସାମ୍ୟବାଦୀଙ୍କ ଦୃଷ୍ଟିରେ ଧନୀ-ଗରୀବର ଦ୍ୱନ୍ଦ ବୋଲି କୁହାଯାଉଛି । ଏପରିକି ଏହି ଭୋକ ଦାଉରୁ ହାତଗଣତି କେତେକ ଲୋକଙ୍କୁ ପେଟପୁରା ମୁଠେ ଖାଇବାର ବନ୍ଦବୋସ୍ତ ନ କରି ଆମ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଲଜ୍ଜା ବୋଲି ଘୋଷଣା କରିବାକୁ ପଛେଇଲେ ନାହିଁ । ଯଦି ମୁମ୍ବାଇ ବୋମା ବିସ୍ଫୋରଣ ଘଟି ନ ଥା’ନ୍ତା, ତେବେ ଆନ୍ତର୍ଜାତୀୟ ପ୍ରେକ୍ଷାପଟରୁ କନ୍ଧମାଳରେ ନିଆଁ ଲିଭି ନ ଥା’ନ୍ତା ।