ପୃଷ୍ଠା:Jati, Jagruti o Pragati.pdf/92

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୯୩

ଏଠାରେ କହିବାର କଥା ହେଲା, କନ୍ଧମାଳର ଜାତିଗତ ଦଙ୍ଗାକୁ ନେଇ ଯେତେ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଥିଲା ତଥା ଏବେ ମଧ୍ୟ ଚାଲିଛି, କନ୍ଧମାଳର ଅଧିବାସୀଙ୍କ ଭୋକକୁ ନେଇ ଯାହା ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ଜାତିସଂଘ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ ଓ ନୂଆଦିଲ୍ଲୀସ୍ଥିତ ମାନବ ବିକାଶ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସେ ସଂପର୍କରେ କେହି ଜଣେ ହେଲେ ପଦେ ପାଟି ଫିଟାଇନାହାନ୍ତି । ଅର୍ଥାତ୍ ଜାତିକୁ ନେଇ ସମସ୍ତେ ଚିନ୍ତିତ ଅଥଚ ଭୋକରେ ଡହଳବିକଳ ହେଉଥିବା ମଣିଷପାଇଁ କେହି ପଦେ ଆହା କହିବାକୁ ଆଗ୍ରହୀ ନୁହନ୍ତି ।

ଜାତିସଂଘର ସଦ୍ୟ ପ୍ରସ୍ତୁତ ରିପୋର୍ଟ ଅନୁସାରେ ବିଶ୍ୱର ଖାଦ୍ୟାଭାବ ଅଞ୍ଚଳ ବା ଭୋକର ଭୂଗୋଳ ଭାବରେ ଓଡ଼ିଶାର ୪ଟି ଜିଲ୍ଲା- ମାଲକାନଗିରି, ଗଜପତି, ରାୟଗଡ଼ା ଓ କନ୍ଧମାଳକୁ ଚିହ୍ନିତ କରାଯାଇଛି । ଖାଦ୍ୟ ଉପଲବ୍ଧି ଦୃଷ୍ଟିରୁ କନ୍ଧମାଳ ଜିଲ୍ଲା ସବୁଠାରୁ ପଛରେ । ଏଠାରେ ଶସ୍ୟକ୍ଷେତ୍ର କମ୍ ଥିବାବେଳେ ମାତ୍ର ୧୩.୫% କୃଷି ଜମି ଜଳସେଚିତ । ଏହି ଜିଲ୍ଲାର ମୁଣ୍ଡପିଛା ବାର୍ଷିକ ଶସ୍ୟ ଉତ୍ପାଦନ ୯୦୦ଟଙ୍କାରୁ କମ୍ । ଓଡ଼ିଶାରେ ୫ବର୍ଷରୁ କମ୍ ଶିଶୁମୃତ୍ୟୁ ପ୍ରତି ୧୦୦ରେ ୯ ଜଣ ବା ପ୍ରତି ୧୧ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିବା ବେଳେ ଏହି ୪ଟି ଜିଲ୍ଲାରେ ଶିଶୁମୃତ୍ୟୁହାର ୧୦୦ରୁ ୧୬ ଜଣ ଅର୍ଥାତ୍ ପ୍ରତି ୬ ଜଣରେ ଜଣେ ଶିଶୁ ମରୁଛନ୍ତି । ଯେଉଁ ଶିଶୁଗଣ ବର୍ତ୍ତି ଯାଉଛନ୍ତି ସେମାନେ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଉ ନ ଥିବାରୁ ଏମାନେ ଅଳ୍ପ ଓଜନ ବିଶିଷ୍ଟ ଓ ଭୟଙ୍କର ରୋଗରେ ପୀଡ଼ିତ । ଏହିସବୁ ଜିଲ୍ଲାମାନଙ୍କରେ ମୁଣ୍ଡପିଛା ମାସିକ ଖର୍ଚ୍ଚ ୨୫୦ ଟଙ୍କାରୁ କମ୍ । ଶ୍ରମିକମାନେ ଏଠାରେ ୩୦ ଟଙ୍କାରୁ ମଧ୍ୟ କମ୍ ମଜୁରି ପାଇଥାନ୍ତି । ତଥାପି ଏମାନେ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି । ଏହି ଜିଲ୍ଲାଗୁଡ଼ିକରେ ୨୦% ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିଥାଏ । ପରେ ଉତ୍କଟ ଖାଦ୍ୟାଭାବ ସହିତ ପାନୀୟ ଜଳର ବ୍ୟାପକ ଅଭାବ ଏବଂ ଚିକିତ୍ସାର ଅଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ଅତିକ୍ଷୁଧା ଅଞ୍ଚଳ ଭାବରେ ଚିହ୍ନିତ କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି ସହିତ ଏଥର ଦୁଇଟି ନୂଆଜିଲ୍ଲା- ଗଜପତି ଓ କନ୍ଧମାଳକୁ ଯୋଗ କରାଯାଇଛି । ଅର୍ଥାତ୍ ଓଡ଼ିଶାର ପ୍ରଗତି ହୋଇଛି ବୋଲି ବାହାରକୁ ଜଣାପଡୁଥିବା ବେଳେ ଏହାର ସୁଫଳ ଯେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚି ପାରୁନାହିଁ, ତାହା ‘ଭୋକର ଭୁଗୋଳ’ ପରିସୀମା ବୃଦ୍ଧିରୁ ଜଣାପଡ଼େ । ଏହି ୪ଟି ଜିଲ୍ଲା ସହିତ ଅନ୍ୟ ୧୪ଟି ଜିଲ୍ଲା-ନୂଆପଡ଼ା, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ନବରଙ୍ଗପୁର, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସୋନପୁର,