ପୃଷ୍ଠା:Jati, Jagruti o Pragati.pdf/94

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୯୫
କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା କଥା, ତା’ଠାରୁ କମ୍ ଖାଉଛନ୍ତି ସେଠାକାର କ୍ଷୁଧା ତାଲିକା ସେତେ ଖରାପ । ତେବେ କ୍ଷୁଧା ତାଲିକାରେ ଦରିଦ୍ର ଓ ଅନଗ୍ରସର ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଭଳି କେତେକ ରାଜ୍ୟ ଉପରେ ରହିଥିଲେ କାହାରି ସନ୍ଦେହ ହୋଇ ନ ଥାନ୍ତା । ବିଡ଼ମ୍ବନା ହେଉଛି ସମୃଦ୍ଧ ଗୁଜରାଟ ଓ ମହାରାଷ୍ଟ୍ରଠାରୁ ଏସବୁ ରାଜ୍ୟ ଉପରେ ଅଛନ୍ତି । କ୍ଷୁଧାଭାବର ଯେଉଁ ବର୍ଗୀକରଣ ହୋଇଛି, ସେଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶ ଆଦି ୧୨ଟି ରାଜ୍ୟ ବିପଜ୍ଜନକ ବର୍ଗରେ ରହିଥିବା ବେଳେ ପଞ୍ଜାବ, କେରଳ, ହରିୟାଣା ଓ ଆସାମ ଗୁରୁତର ବର୍ଗରେ ଅଛନ୍ତି । କେବଳ ମଧ୍ୟପ୍ରଦେଶକୁ ଅତି ଉଦ‌ବେଗଜନକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦେଖିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ଦୀର୍ଘକାଳ ଧରି ଚାଲୁଥିବା ମହିଳା ଓ ଶିଶୁକଲ୍ୟାଣ ତଥା ଅନ୍ୟାନ୍ୟ ମଙ୍ଗଳକାରୀ କାର୍ଯ୍ୟକ୍ରମର ସଫଳତା ଘେନି ସଂଶୟ ସୃଷ୍ଟି ହେଲାଣି । ଏହି ରିପୋର୍ଟ ଅନୁସାରେ ଭାରତରେ କ୍ଷୁଧା, ଶିଶୁ ମୃତ୍ୟୁହାର ଓ ଅପୁଷ୍ଟି ଆଫ୍ରିକାର ସାହାରା ମରୁଭୂମି ସଂଲଗ୍ନ ଅନଗ୍ରସର ରାଷ୍ଟ୍ରଙ୍କଠାରୁ ଅଧିକ । ଏହା ଆମ ସମୃଦ୍ଧ ଭାରତର ଛବିକୁ ଉପହାସ କରି ଆମ ଦେଶର ଯୋଜନାକାର ଓ ନୀତି ନିର୍ଦ୍ଧାରକଙ୍କପାଇଁ ଏହା ଉପରେ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାରେ ଯେଉଁ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତାହା କେତେକ ଶୋଷକ ବର୍ଗଙ୍କ ଚକ୍ରାନ୍ତ ଯୋଗୁଁ । କୃତ୍ରିମ କର୍ମନିଯୁକ୍ତିର ଅଭାବ ସୃଷ୍ଟି କିମ୍ବା ସରଳ ଅଥଚ ଗରିବ ଗ୍ରାମୀଣ ଆଦିବାସୀ ଓ ଦଳିତବର୍ଗଙ୍କୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ପ୍ରଥା, ପରମ୍ପରା ଓ ଅନ୍ଧବିଶ୍ୱାସ ମଧ୍ୟରେ ଛନ୍ଦି ଦେଇ, ଆର୍ଥିକ ଶୋଷଣର ବାଟ ମୁକୁଳା କରି ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଇଛନ୍ତି । ପରେ ଜାତିର ଦ୍ୱାହିଦେଇ ସେହି ଗରିବ-ଗରିବ ମଧ୍ୟରେ ଲଢ଼େଇ କରି ସମୁଳେ ଧ୍ୱଂସ କରିବା ପରେ ସେମାନଙ୍କ ଜମିବାଡିକୁ ସହଜରେ ଦଖଲ କରିବାର କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଶିକ୍ଷାଠାରୁ ଦୂରରେ ଥିବା ଏହି ସାଧାରଣବର୍ଗ ପେଟପାଇଁ ଖାଦ୍ୟ ଯୋଗାଡ଼ରେ ବ୍ୟସ୍ତ ଥିବାବେଳେ, ଏସବୁ ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସମସ୍ତ ଅନୁକୂଳ ସୁବିଧା ଥିଲେ ମଧ୍ୟ ଦାରିଦ୍ର୍ୟ ଆଉ କ୍ଷୁଧା ବୃଦ୍ଧି ପାଉଛି ।

ତେଣୁ ଏବେଠାରୁ ଯଦି ଆମେ ସଚେତନ ନ ରହିବା, କନ୍ଧମାଳପରି ଦଙ୍ଗା ଯେ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ତାହା କିଏ କହିବ!

***