ପୃଷ୍ଠା:Jati, Jagruti o Pragati.pdf/96

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୯୭
ସେମାନଙ୍କ ହାତରେ ଟେକି ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱାଭିମାନ ଓ ସ୍ୱାବଲମ୍ବନକୁ ଧ୍ୱଂସ କରିବାପାଇଁ । ଫଳରେ ବଙ୍ଗାଳୀଙ୍କ ଚକ୍ରାନ୍ତ ଯୋଗୁଁ ୧୮୬୬ ମସିହାରେ ଖାଦ୍ୟଶସ୍ୟର ଘୋର ଅଭାବ ଘଟି ଯେଉଁ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା, ସେଥିରେ କୃଷି, ଶିଳ୍ପ ଓ ବାଣିଜ୍ୟକୁ ନେଇ ବଞ୍ଚୁଥିବା ଓଡ଼ିଶା ମାଟିର ତିନିଭାଗ ଜନସାଧାରଣ କେବଳ ମରି ଯାଇ ନ ଥିଲେ, ବରଂ ଯେକୌଣସି ପ୍ରକାରରେ ବଞ୍ଚିଥିବା ଏକଭାଗ ଓଡ଼ିଆଙ୍କଠାରୁ ସ୍ୱାଭିମାନ, ସ୍ୱାବଲମ୍ବନ ଆଉ ସଂସ୍କୃତି ସଭ୍ୟତାକୁ ନେଇ ଗର୍ବ କରିବାର ଟାଣପଣ ମଧ୍ୟ ମରିଯାଇଥିଲା । ତଥାପି ଯେଉଁ କେତେଜଣଙ୍କଠାରେ ଏହା ବଞ୍ଚି ରହିଥିଲା, ତାହା କେବଳ କୁଚକ୍ରୀ ବଙ୍ଗାଳୀ ନୁହଁ ବରଂ ତ‌ତ୍କାଳୀନ ଇଂରେଜ ଅଫିସରଗଣଙ୍କୁ ମଧ୍ୟ ହତଚକିତ କରିଦେଇଥିଲା ବୋଲି ସେମାନଙ୍କ ବହୁ ଲେଖାରୁ ଜଣାପଡ଼େ ।

ତଥାପି ବଙ୍ଗାଳୀ ଜମିଦାରୀଙ୍କ ଆଧିପତ୍ୟ ତଥା ପ୍ରଲୋଭନ‌ଦ୍ୱାରା ଗରିବୀ ତାଡ଼ନାରେ ଜର୍ଜରିତ ଏହି ଓଡ଼ିଆ ପୁଅ ଧନୀ ହେବାର ମୋହକୁ ଗ୍ରହଣ କରି, ସ୍ୱାଭିମାନକୁ ତ୍ୟାଗ କରିବାପାଇଁ ଆଗେଇ ଆସିବାରୁ ଓଡ଼ିଶା ମାଟିରୁ ଲୋପ ପାଇଗଲା ନିଃସ୍ୱାର୍ଥପରତା, ସ୍ୱାଭିମାନ ଆଉ ସ୍ୱାବଲମ୍ବନ । ଏହା ବଳରେ ଦୃଢ଼ ଭାବରେ ସ୍ଥାପିତ ହେଲା ସ୍ୱାର୍ଥୀ, କୁଚକ୍ରୀ, ପଦଲେହନକାରୀ ତଥା କଳହପ୍ରିୟ ଓଡ଼ିଆ କଙ୍କଡ଼ା ଜାତି । ଯେଉଁମାନଙ୍କ ସାହାଯ୍ୟରେ ବଙ୍ଗାଳୀ କିରାଣୀ ଦଳ ତେଜି ଉଠିଲେ ଓଡ଼ିଆ ମାଟିରୁ ଓଡ଼ିଆଭାଷା ଓ ସଂସ୍କୃତିକୁ ଲୋପ କରି ବଙ୍ଗଳାଭାଷା ଓ ସଂସ୍କୃତି ପ୍ରଚଳନ କରିବାପାଇଁ । ଆଉ ଏହାକୁ ନୀରବ ସମର୍ଥନ କରିଥିଲେ ସେ ସମୟରେ ନିଜକୁ ଅସହାୟ ମଣୁଥିବା ଓଡ଼ିଶାବାସୀ । ଯେମିତି ଇଂରେଜୀ, ହିନ୍ଦୀ, ତେଲୁଗୁ ଭାଷା ସଂସ୍କୃତରି ପ୍ରଭାବକୁ ଆମେ ବର୍ତ୍ତମାନ ଉଚ୍ଚଶିକ୍ଷତ ଓଡ଼ିଆ ପ୍ରତିବାଦ ନ କରି ନୀରବ ସମର୍ଥନ କରୁଛୁ ।

ଜଣେ ଯୋଗଜନ୍ମାଙ୍କ ଆବିର୍ଭାବ :

ଜାତିଟିଏ ଲୋପ ପାଇଲା ବେଳକୁ ଜଣେ ଜଣେ ଯୋଗଜନ୍ମା ସନ୍ତାନଙ୍କ ଆବିର୍ଭାବ ପରି ବଙ୍ଗାଳୀ ଆକ୍ରମଣର ପ୍ରଥମ କେନ୍ଦ୍ରବିନ୍ଦୁ ପାଲଟିଥିବା ବାଲେଶ୍ୱର ମାଟି ଫକୀରମୋହନ ନାମକ ଯେଉଁ ବ୍ୟକ୍ତିକୁ ଜନ୍ମ ଦେଇଥିଲା; ସେହି ମହାମହିମ ବ୍ୟକ୍ତିଟି କ୍ଷୁଧା, ଦାରିଦ୍ର୍ୟ, ଅଭାବ, ଅନଟନ, ପାରିବାରିକ ଝଡ଼ଝଞ୍ଜା ଭିତରେ ରହି ମଧ୍ୟ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆମପାଇଁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ ।
ଫକୀରମୋହନ ବାଲ୍ୟକାଳରୁ ନିଜ ସ୍ୱାଭିମାନକୁ ହରାଇ ନ ଥିଲେ । ତେଣୁ ସେ ଓଡ଼ିଆଙ୍କଠାରେ ସ୍ୱାଭିମାନର ଅଭାବକୁ ଅନୁଭବ କରିଥିଲେ । ବିଶେଷ କରି ବଙ୍ଗାଳୀ