ପୃଷ୍ଠା:Kathalahari (RN Das, 1927) opt.pdf/୧୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୪
ଉତ୍କଳ କାହାଣୀ ସଂଗ୍ରହ ।


ସମୟରେ ସାତଟି ପୁଅ ଜନ୍ମ କଲେ । ଷଠୀ, ପଞ୍ଚୁଆତି ଏକୋଇଶା ସବୁ ଗଲା, ପୁଅମାନେ ବଢ଼ିଲେ ଯେମନ୍ତି ଗୋଟିଏ ୨ ପୁନିଅ ଚାନ୍ଦ । ବଡ଼ ପୁଅଟି ସମସ୍ତଙ୍କଠାରୁ ସୁନ୍ଦର ହୋଇଥାଏ । ପିଲାମାନେ ବଡ଼ ବଡ଼ ହୋଇ ଗଲେ, ପାଠ ପଢିଲେ, ଘୋଡ଼ାଚଢ଼ି ଶିଖିଲେ, କାଣ୍ଡମାରି ଶିଖିଲେ; ରାଣୀମାନଙ୍କ ଗୋଡ ଆଉ ତଳେ ପଡୁ ନଥାଏ । ଦିନେ ସେ ସାଧୁ ଗୋସେଇଁ ଆସିଲେ ପୁଅ ନବାପାଇଁ । ରଜା କଣକଲେ ବଡ଼ପୁଅକୁ ଲୋଭ କରି ଦେଲେ ନାହଁ, ସବା ସାନପୁଅଟିକି ଦେଲେ । ତାକୁ ନେଇ ଯାଉଛନ୍ତି, ବାବା ପଚରିଲେ, ତୁମ୍ ଝାଡ୍ ଯାଓଁ ନା ଜଙ୍ଗଲ୍ ଯାଁଓ, ଏ କହିଲା ହମ୍ ରାଜାକା ବେଟା ରାଜଦାଣ୍ଡମେ ଯାଁଓ । ବାବାଜୀ ସେଉଠୁ ଜାଣି ପାରିଲେ, ଏ ବଡ଼ପୁଅ ନୁହେ, ରଜା ମତେ ଠକି ଦେଇଚି ବୋଲି କହି ତାକୁ ନେଲେ, ରଜାଙ୍କୁ ଫେରାଇ ଦେଲେ କହିଲେ ଏତ ମୋର ନୁହେଁ ମୁଁ କାହିଁକି ନେବି ? ରଜା ସାନ ପୁଅକୁ ରଖିଲେ, ତା ଉପର ପୃଅକୁ ଦେଲେ । ସେ ବି ସେହିପରି ବାଚାଜୀଙ୍କି ବାଟରେ କହିଲା । ବାବାଜୀ ତାକୁ ବି ଫେରେଇ ଦେଲେ । ବଡ଼ପୁଅକୁ ଛାଡି ଆଉ ଚାରିପୁଅକୁ ରଜା ସେହିପରି ଦେଲେ, ବାବାଜୀ ତାଙ୍କୁ ବି ଫେରେଇ ଦେଲେ । ସବା ଶେଷକୁ ରଜା ବଡ଼ପୁଅକୁ ଦେଲେ । ବାବାଜୀ ତାକୁ ପଚରିଲେ ବେଟା,ଝାଡ୍ ଯାଓ କି କଙ୍ଗଲ ଯାଁଓ ? ଏ କହିଲା ବାବାଜୀକା ବେଟା, ବାବାଜୀ ଯହା ଯାଁଓ ହମ୍ ଚାହାଁ ଯାଓ । ବାବାଜୀ ୟାକୁ ନେଲେ ଘରେ ରଖିଲେ, ଆପଣାର ଘରଦୁଆର ଦେଖାଇଲେ, ଖାଲି ଗୋଟିଏ ଘର ଦେଖାଇଲେ ନାହିଁ । ଏ ବାବାଜୀ ନୁହେଁ ଗୋଟାଏ ପିଲାଖିଆ ଅସୁର; ସାଧୁଗୋସେଇଁ ରୂପ ଧରି ଏତେ ନବରଙ୍ଗ କରିଥିଲା ? ଦିନେ ବାବାଜୀ ୟାକୁ ଘରେ ରଖି କୁଆଡେ ଗଲା । ଏ ଯୋଉ ଘର ବାବାଜୀ ଦେଖାଇ ନଥିଲା, ସେ ଘର ଫିଟାଇ ଦେଖେ ଯେ ସେ ଘରେ ଗୁଡାଏ ପିଲାଙ୍କ ମୁଣ୍ଡ ଟଙ୍ଗା ହୋଇଚି । ଏ ମୁଣ୍ଡ ସବୁ ୟାଙ୍କୁ ଦେଖି ହସିଲେ ।